ନୂଆଦିଲ୍ଲୀ: ନ୍ୟୁଜ୍ ୧୮ର ପ୍ରତିଷ୍ଠାତା ତଥା କ୍ୱିଣ୍ଟ ଏବଂ ବ୍ଲୁମବର୍ଗ ଆଦି ଗଣମାଧ୍ୟମ ପ୍ରତିଷ୍ଠାନର ମୁଖ୍ୟ ରାଘବ ବେହଲଙ୍କ ନାମରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟକର ବିଭାଗର ଏକ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ସେ ଲଣ୍ଡନରେ ୨.୪୫ କୋଟି ଟଙ୍କା ମୂଲ୍ୟର ଏକ ସମ୍ପତ୍ତିରେ ନିବେଶ କରିଥିଲେ ହେଁ ଏହାର ଉତ୍ସ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ଦେଇପାରିନଥିଲେ।
ଜଣେ ବରିଷ୍ଠ ଇଡି ଅଧିକାରୀ ଏବିଷୟରେ ସୂଚନା ଦେଇ ଏହି ମାମଲାର ଆଧାର ଆୟକର ବିଭାଗର ରିପୋର୍ଟ ବୋଲି କହିଛନ୍ତି। ଗତ ସପ୍ତାହରେ ଆୟକର ବିଭାଗ ତାଙ୍କ ନାମରେ ଚାର୍ଜଶିଟ୍ କରିଥିଲା। ଏହାର ଉତ୍ତରରେ ରାଘବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ଚିଠି ଲେଖି ଜଣାଇଥିଲେ, ସଚ୍ଚୋଟତା ଏବଂ ମର୍ଯ୍ୟାଦାର ସହିତ ଟିକସ ଦାଖଲ କରୁଥିଲେ ମଧ୍ୟ କିଛି ଭୁଲ ନଥାଇ ମୋତେ ଶିକାର ଭଳି ବ୍ୟବହାର କରାଯାଉଛି।
ସେ ଏଥିରେ ଆହୁରି ମଧ୍ୟ ଲେଖିଥିଲେ, ଲଣ୍ଡନରେ ନିବେଶ ହୋଇଥିବା ୨.୭୩ ବ୍ରିଟିଶ୍ ପାଉଣ୍ଡ ବାବଦରେ ମୁଁ ମୋ ଅନୁମୋଦିତ ପ୍ରତିନିଧିଙ୍କ ଜରିଆରେ ମେ ୧୩ ପୂର୍ବରୁ ତଥ୍ୟ ରଖିସାରିଛି। ମୁଁ ଟିକସ ଫାଙ୍କିଛି ବୋଲି ଆୟକର ବିଭାଗ ଅଭିଯୋଗ ଆଣିବା ପରେ ମୁଁ ସ୍ପଷ୍ଟ ତଥ୍ୟ ରଖିସାରିଛି। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ନଏଡାସ୍ଥିତ ତାଙ୍କ କ୍ୱିଣ୍ଟ କାର୍ଯ୍ୟାଳୟ ଉପରେ ଆୟକର ଚଢ଼ଉ ହୋଇଥିଲା।