ହାଇଦ୍ରାବାଦ: ପ୍ରଥମେ ଅପହରଣ ଓ ପରେ ପୁଲିସ୍ ଫିଲ୍ମ ଷ୍ଟାଇଲରେ ଅପହୃତଙ୍କୁ ଉଦ୍ଧାର କରିବା ଘଟଣା ହାଇଦ୍ରାବାବାଦରେ ଚର୍ଚ୍ଚାର ବିଷୟ ପାଲଟିଛି। ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଏହି ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି। ଜମି ବିବାଦକୁ କେନ୍ଦ୍ର କରି ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ପୂର୍ବତନ ମନ୍ତ୍ରୀ ୩ ଭାଇଙ୍କୁ ଅପହରଣ କରିଥିବା ପୁଲିସସ୍ ଜାଣିବାକୁ ପାଇଛି।
ଅପହରଣର ଶିକାର ହୋଇଥିବା ୩ ଭାଇଙ୍କ ମଧ୍ୟରେ ପୂର୍ବତନ ହକି ଖେଳାଳି ପ୍ରବୀଣ ରାଓ ମଧ୍ୟ ରହିଛନ୍ତି। ପୁଲିସ୍ ପ୍ରବୀଣ ଓ ତାଙ୍କ ଦୁଇ ଭାଇଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଏଥିସହ ଟିଡିପିର ପୂର୍ବତନ ମନ୍ତ୍ରୀ ଭୂମା ଅଖିଲା ପ୍ରିୟାଙ୍କୁ ଗିରଫ କରିଛି। ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ପ୍ରିୟାଙ୍କ ସ୍ୱାମୀ ଭାର୍ଗବ ରାମ ଓ ବରିଷ୍ଠ ଟିଡିପି ନେତା ଭୂମା ନାଗି ରେଡ୍ଡୀଙ୍କ ଘନିଷ୍ଠ ସହଯୋଗୀ ଏଭି ଶୁବା ରେଡ୍ଡୀ।
ପୁଲିସ୍ କହିଛି ଯେ ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ପ୍ରବୀଣ ଓ ତାଙ୍କର ଦୁଇ ଭାଇଙ୍କ ହାଇଦ୍ରାବାଦ ସ୍ଥିତ ଘରକୁ ୧୦ରୁ ୧୫ ଜଣ ଲୋକ ଆସିଥିଲେ। ଏହି ଲୋକମାନେ ନିଜକୁ ଆୟକର ବିଭାଗର ଅଧିକାରୀ ଭାବେ ପରିଚୟ ଦେବା ସହ ନକଲି ସର୍ଚ୍ଚ ୱାରେଣ୍ଟ ଦେଖାଇଥିଲେ।
ଏହାପରେ ପରିବାରର ଅନ୍ୟମାନଙ୍କୁ ଗୋଟିଏ ଘରେ ଲକ୍ କରି ଦେଇ ପ୍ରବୀଣଙ୍କ ସମେତ ତାଙ୍କ ଦୁଇ ଭାଇଙ୍କୁ ଗାଡ଼ିରେ ଧରି ଚାଲି ଯାଇଥିଲେ। ଅପହଣ ସମ୍ପର୍କରେ ପୁଲିସ୍ ରାତି ୧୧ଟାରେ ଖବର ପାଇଥିଲା। ଏହାର ମାତ୍ର ୩ ଘଣ୍ଟା ଭିତରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
ଅପହରଣକାରୀମାନେ ୩ ଭାଇଙ୍କୁ କିଛି ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରୁଥିବା ସେମାନେ ପୁଲିସ୍କୁ କହିଛନ୍ତି। ପ୍ରାୟ ୫୦ ଏକର ଜମିକୁ ନେଇ ପ୍ରିୟା ଓ ୩ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଏହି ଜମିର ମୂଲ୍ୟ ୨୦୦ କୋଟି ଟଙ୍କା ହେବ। ଏହି କାରଣରୁ ପ୍ରିୟା ଅପହରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୁଲିସ୍ ଜାଣିବାକୁ ପାଇଛି।
ଗିରଫ ପରେ ପ୍ରିୟଙ୍କାଙ୍କୁ ଗାନ୍ଧି ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ପ୍ରଥମେ ବାତ ମାରିଥିଲା ଓ ଶେଷରେ ସେ ଅଚେତ ହୋଇଯାଇଥିଲେ। ଏବେ ପୁଲିସ୍ ଅପହରଣରେ ସାମିଲ ଥିବା ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି।