ନୂଆଦିଲ୍ଲୀ: ଜେନେଭାଠାରେ ଜମ୍ମୁ-କଶ୍ମୀରର ସ୍ଥିତିକୁ ନେଇ ପାକିସ୍ତାନର କୁମ୍ଭୀର କାନ୍ଦଣାକୁ ଜବରଦସ୍ତ ଜବାବ ଦେଇଛି ଭାରତ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ଜାତିସଂଘ ମାନବିକ ଅଧିକାର ପରିଷଦ ବୈଠକରେ ଦେଇଥିବା ବିବୃତିର ଉତ୍ତରରେ ଭାରତ ପକ୍ଷରୁ କୁହାଯାଇଛି, ବିଶ୍ୱ ଆତଙ୍କବାଦର ଉତ୍ପତିସ୍ଥଳ ମନଗଢ଼ା ଗପ କହୁଛି। ଏହି ଷଡ଼ଯନ୍ତ୍ରକାରୀ ରାଷ୍ଟ୍ର ପୀଡ଼ିତ ହେବାର ଅଭିନୟ କରିଆସୁଛି ବୋଲି ଭାରତ କହିଛି।
ଭାରତର ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଠାକୁର ସିଂହ କହିଛନ୍ତି, “ଆମ ଦେଶ ବିରୋଧରେ ଯେଉଁ ମିଥ୍ୟା ଅଭିଯୋଗ ଏବଂ କପୋଳକଳ୍ପିତ ଦୋଷାରୋପ ଅଣାଯାଇଛି ତାହା ବିରୋଧରେ ଆମ ପ୍ରତିନିଧିମଣ୍ଡଳୀ ଦୃଢ଼ ଜବାବଦେଇଛନ୍ତି। ସମଗ୍ର ବିଶ୍ୱ ଜାଣିଛି, ଏଳଭି ମନଗଢ଼ା ଗପସବୁ ବିଶ୍ୱ ଆତଙ୍କବାଦର ଉତ୍ପତିକେନ୍ଦ୍ରରୁ ଆସିଥାଏ।” ସେ କହିଥିଲେ, ଏହି ଦେଶ କୂଟନୀତିର ବିକଳ୍ପ ଭାବେ ସୀମାପାର ଆତଙ୍କବାଦକୁ ବ୍ୟବହାର କରୁଛି।
ସେ ଜମ୍ମୁ-କଶ୍ମୀରରେ ଲଗାଯାଇଥିବା କଟକଣା ବାବଦରେ କହିଥିଲେ, ଏହି ଅଞ୍ଚଳରେ ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ସେ ଏହି ଅବସରରେ ୪୭ଟି ସଦସ୍ୟ ରାଷ୍ଟ୍ରଙ୍କୁ ଆତଙ୍କବାଦ ବିରୋଧରେ ମୁହଁ ଖୋଲିବା ପାଇଁ ଆହ୍ୱାନ କରିଥିଲେ।
ସେ ପାକିସ୍ତାନର ତଥାକଥିତ ମାନବିକ ଅଧିକାର ଦରଦ ଏବଂ କୁମ୍ଭୀର କାନ୍ଦଣା ବାବଦରେ ମଧ୍ୟ ବର୍ଷିଥିଲେ। ସେ କହିଥିଲେ, ଯେଉଁ ରାଷ୍ଟ୍ର ନିଜକୁ ମାନବିକ ଅଧିକାରର ସ୍ୱର ଭାବି ଅନ୍ୟ ରାଷ୍ଟ୍ରମାନଙ୍କରେ ମାନବିକ ଅଧିକାର କଥା କହୁଛି, ପ୍ରଥମେ ନିଜ ରାଜ୍ୟରେ ମାନବିକ ଅଧିକାରକୁ ଗୁରୁତ୍ୱ ଦେଉ। ସେମାନେ ନିଜେ ଷଡ଼ଯନ୍ତ୍ର କରି ପୀଡ଼ିତ ହେବାର ଅଭିନୟ କରୁଛନ୍ତି।
ସେ କହିଥିଲେ, ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ଭାରତର ଅନ୍ତରୀଣ ପ୍ରସଙ୍ଗ।ଏହା ସଂସଦରେ ନିଷ୍ପତ୍ତି ନିଆଯାଇଥିବାରୁ ଏଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ ନକରିବା ଉଚିତ। ସେ କହିଥିଲେ ଏହି ପଦକ୍ଷେପ ଦ୍ୱାରା ଲିଙ୍ଗଗତ ବୈଷମ୍ୟ ଦୂର କରାଯିବା ସହ ଶିକ୍ଷାର ଅଧିକାର ମିଳିପାରୁଛି ଏବଂ ଅନ୍ୟ ସବୁ ରାଜ୍ୟରେ ହେଉଥିବା ଉନ୍ନୟନ ମୂଳକ କାମ ହୋଇପାରୁଛି।
ବିଜୟ ଠାକୁର ସିଂହ ପାକିସ୍ତାନର ମୁଖା ଖୋଲିବା ଆଗରୁ ଖୋଦ୍ ପାକିସ୍ତାନର ଜଣେ ନେତା ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆଣିଛନ୍ତି। ହିନ୍ଦୁ ଏବଂ ଶିଖ୍ମାନେ ସେଠାରେ ସଂଖ୍ୟାଲଘୁ ହୋଇଥିବାବେଳେ ସେମାନଙ୍କ ସ୍ଥିତି ବାବଦରେ ପାକିସ୍ତାନର ଶାସକ ଦଳ ପାକିସ୍ତାନ ତେହରିକ୍ ଇ ଇନ୍ସାଫ୍ ନେତା ବଲଦେବ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। ସେ ଏଠାରେ ରାଜନୀତିକ ଶରଣ ମାଗିଛନ୍ତି। ଏତଦ୍ବ୍ୟତୀତ ଜେନେଭାସ୍ଥିତ ଜାତିସଂଘ କୋଠା ବାହାରେ ଆଜି ବେଶ୍ କିଛି ଲୋକ ପାକିସ୍ତାନକୁ ବିରୋଧ କରିଥିଲେ। ବିଶେଷ କରି ବଲୋଚିସ୍ତାନ ଏବଂ ଖାଇବର ପଖ୍ତୁନ୍ଖ୍ୱାଠାରେ ପାକିସ୍ତାନର ବର୍ବର କାଣ୍ଡ ବିରୋଧରେ ସେମାନେ ମୁହଁ ଖୋଲିଥିଲେ।
ଏହା ପୂର୍ବରୁ ପାକିସ୍ତାନ ମନ୍ତ୍ରୀ କୁରେଶୀ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କହିଥିଲେ ଭାରତ ଏହି ଅଞ୍ଚଳକୁ ବିଶ୍ୱର ସବୁଠାରୁ ବଡ଼ ଜେଲ୍ରେ ପରିଣତ କରିଛି। କିନ୍ତୁ ସେ ଆଜି କରିଥିବା ସବୁଠାରୁ ବଡ଼ ଭୁଲ୍ ହେଉଛି, ଜମ୍ମୁ-କଶ୍ମୀରକୁ ଗଣମାଧ୍ୟମକୁ ପ୍ରଥମ ଥର ପାଇଁ ସେ ଭାରତୀୟ ରାଜ୍ୟ ଜମ୍ମୁ-କଶ୍ମୀର ବୋଲି କହିଥିଲେ। ଭାରତ ଏହି ରାଜ୍ୟକୁ ଏନ୍ଜିଓ, ବିଦେଶୀ ସଂଗଠନ ଏବଂ ସମାଜିକ ସଂଗଠନଙ୍କୁ କାହିଁକି ଛାଡ଼ୁନି ବୋଲି ଏହି ଅବସରରେ ପ୍ରଶ୍ନ ଉଠାଇଥିଲେ।