ନୂଆଦିଲ୍ଲୀ: ଭାରତର ୧୪ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରାମନାଥ କୋବିନ୍ଦ। ଆସନ୍ତୁ ଜାଣିବା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ରାମନାଥଙ୍କ ଜୀବନ କାହାଣୀ।
ଜନ୍ମ ଓ ପାଠପଢ଼ା: ରାମନାଥ କୋବିନ୍ଦ ୧୯୪୫ ମସିହା ଅକ୍ଟୋବର ମାସ ୧ ତାରିଖରେ ଉତ୍ତର ପ୍ରଦେଶର ପାରାଉଙ୍ଖ ଗାଁରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ମାଇକୁ ଲାଲ ଓ ମା’ଙ୍କ ନାଁ କଳାବତୀ। ତାଙ୍କ ବାପା ଜଣେ କୃଷକ ଥିଲେ। ସେ କାନପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଡିଏଭି କଲେଜରୁ ବାଣିଜ୍ୟରେ ସ୍ନାତକ କରିଥିଲେ। ସେ ସେହି କଲେଜରେ ଏଲ୍ଏଲ୍ବି ମଧ୍ୟ କରିଥିଲେ।
ଆଇଏଏସ୍ ପାଇଲେନି ବୋଲି ଚାକିରି କଲେନି: ଆଇନରେ ସ୍ନାତକ ଡିଗ୍ରୀ ହାସଲ କରି ସାରିବା ପରେ ସେ ଦିଲ୍ଲୀ ଯାଇଥିଲେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ। ସେ ତୃତୀୟ ପ୍ରୟାସରେ ଏଥିରେ କୃତକାର୍ଯ୍ୟ ହୋଇଥିଲେ। ତେବେ ଆଇଏଏସ୍ ପାଇ ନ ଥିଲେ। ସେ ଆଲାଏଡ୍ ସର୍ଭିସ ପାଇଁ ମନୋନୀତ ହୋଇଥିଲେ। ତେଣୁ ସେ ଚାକିରିରେ ଯୋଗ ଦେଲେ ନାହିଁ।
ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି: ଆଲାଏଡ୍ ସର୍ଭିସ୍ରେ ଯୋଗ ନ ଦେଇ ସେ ଓକିଲାତି ଆରମ୍ଭ କରିଥିଲେ। ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ସେ ଦିଲ୍ଲୀ ହାକୋର୍ଟରେ କେନ୍ଦ୍ର ସରକାରଙ୍କ ଆଡ୍ଭୋକେଟ୍ ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ରୁ ୧୯୯୩ ପର୍ଯ୍ୟନ୍ତ ସେ ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାରଙ୍କର ଜଣେ ଷ୍ଟାଣ୍ଡିଂ କାଉନ୍ସେଲ ଭାବେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ୧୬ ବର୍ଷ ଧରି ଓକିଲାତି କରିଥିଲେ। ଜଣେ ଆଡ୍ଭୋକେଟ୍ ଭାବେ ସେ ସମାଜର ଦୁର୍ବଳ ଶ୍ରେଣୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦେଉଥିଲେ। ୧୯୭୭ରୁ ୧୯୭୮ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରିଥିଲେ।
ବିବାହ: ରାମନାଥ କୋବିନ୍ଦ ୧୯୭୪ ମସିହା ମେ’ ୩୦ ତାରିଖରେ ସବିତାଙ୍କୁ ବିବାହ କରିଥିଲେ। ସେମାନଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ପୁଅଙ୍କ ନାଁ ପ୍ରଶାନ୍ତ କୁମାର ଓ ଝିଅଙ୍କ ନାଁ ଶ୍ୱାତୀ।
ବିଜେପିରେ ଯୋଗଦାନ: ୧୯୯୧ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ଥିଲେ। ସେ ସର୍ବଭାରତୀୟ କୋଲି ସମାଜର ସଭାପତି ମଧ୍ୟ ଥିଲେ। ସେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଉତ୍ତର ପ୍ରଦେଶର ଡେରାପୁରରେ ଥିବା ତାଙ୍କ ପୈତୃକ ଘରକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)କୁ ଦାନ କରି ଦେଇଥିଲେ।
ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ: ସେ ଦୁଇ ଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଥରେ ଘଟମପୁର ଓ ଆଉ ଥରେ ଭୋଗନିପୁର ବିଧାନସଭା ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ତେବେ ଦୁଇ ଥର ଯାକ ହାରି ଯାଇଥିଲେ।
ରାଜ୍ୟସଭା ସଦସ୍ୟ: ୧୯୯୪ରେ ସେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଲଗାତାର ଦୁଇଟି ପାଳି ରାଜ୍ୟସଭା ସାଂସଦ ଥିଲେ। ଅର୍ଥାତ ୧୯୯୪ ରୁ ୨୦୦୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଅନେକ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ନିଜ ସାଂସଦ ପାଣ୍ଠିକୁ ସେ ବିଶେଷ କରି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ବ୍ୟୟ କରୁଥିଲେ।
ଅନ୍ୟାନ୍ୟ ନିଯୁକ୍ତି: ସେ ଡକ୍ଟର ବି.ଆର. ଆମ୍ବେଦକର ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦର ସଦସ୍ୟ ଥିଲେ। ଆଇଆଇଏମ୍ କୋଲକାତାର ବୋର୍ଡ ଅଫ୍ ଗଭର୍ଣ୍ଣସ୍ର ସଦସ୍ୟ ଥିଲେ। ସେ ୨୦୦୨ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଜାତିସଂଘକୁ ସମ୍ବୋଧିତ କରିଥିଲେ।
ରାଜ୍ୟପାଳ: ୨୦୧୫ ଅଗଷ୍ଟ ୮ ତାରିଖରେ ସେ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ରାଜ୍ୟପାଳ ଭାବେ ସେ ନିରପେକ୍ଷତାର ସହିତ ତାଙ୍କ କାର୍ଯ୍ୟ ନିର୍ବାହ କରିଥିଲେ। ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିପାଇଁ ତାଙ୍କୁ ପ୍ରଶଂସା କରିଥିଲେ। ବିହାରରେ ଯୋଗ୍ୟତା ନ ଥିବା ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ନେଇ ଅଭିଯୋଗ ଆସିବା ପରେ ସେ ଏଥିପାଇଁ ଏକ ବିଚାରବିଭାଗୀୟ କମିଶନ ଗଠନ କରିଥିଲେ। ଏଥିପାଇଁ ସେ ପ୍ରଶଂସିତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।