ଶିଶୁକୁ ନୃଶଂସ ହତ୍ୟା ଘଟଣା: ଗଠନ ହେଲା ଏସ୍‌ଆଇଟି, ୫ ପୁଲିସ୍‌ ନିଲମ୍ବିତ

ଆଲିଗଡ଼: ଉତ୍ତର ପ୍ରଦେଶର ତାପ୍ପାଲ ଠାରେ ବାପା ମା’ କରଜ ନ ଶୁଝିବାରୁ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ କରଜଦାତା ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ବା ଏସ୍‌ଆଇଟି ଗଠନ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଏହି […]

sit

Hemant Lenka
  • Published: Friday, 07 June 2019
  • , Updated: 07 June 2019, 05:57 PM IST

ଆଲିଗଡ଼: ଉତ୍ତର ପ୍ରଦେଶର ତାପ୍ପାଲ ଠାରେ ବାପା ମା’ କରଜ ନ ଶୁଝିବାରୁ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ କରଜଦାତା ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ବା ଏସ୍‌ଆଇଟି ଗଠନ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାଁରେ ଏନ୍‌ଏସ୍‌ଏ ଆକ୍ଟରେ ଦଫା ଲଗାଯିବ ବୋଲି ଏଡିଜି(ଆଇନ୍‌ ଶୃଙ୍ଖଳା) ଆନନ୍ଦ କୁମାର କହିଛନ୍ତି।

ଆଲିଗଡ଼ ଠାରୁ ୫୦ କିମି ଦୂର ତପ୍ପାଲ ଅଞ୍ଚଳରୁ ଜୁନ୍‌ ୨ରେ ଶିଶୁ କନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଝିଅଟିକୁ ତଣ୍ଟିଚିପି ହତ୍ୟା କରାଯିବା ପରେ ତା’ର ଆଖିକୁ ଦୁର୍ବୃତ୍ତ ମାନେ ତାଡ଼ି ନେଇଥିଲେ। ଏକ ଅଳିଆ ଗଦା ନିକଟରୁ ଶିଶୁଟିର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ନାରକୀୟ କାଣ୍ଡ ସାମ୍ନାକୁ ଆସିବା ପରେ ବିଭିନ୍ନ ରାଜନୀତିକ ଦଳଠାରୁ ଆରମ୍ଭ କରି ଏନଜିଓ ଓ ସାମାଜିକ ସଂଗଠନ ଗୁଡ଼ିକ ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଦାବି କରିଥିବା ବେଳେ କେତେକ ଆନ୍ଦୋଳନ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି।

ଏଡିଜି ଆନନ୍ଦ କୁମାର କହିଛନ୍ତି, “ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ଏକ ଏସ୍‌ଆଇଟି ଗଠନ କରାଯାଇଛି। ଜରୁରୀକାଳୀନ ଭିତ୍ତିରେ ତଦନ୍ତ ସାରିବାକୁ ଏସ୍‌ଆଇଟିରେ ଫରେନ୍ସିକ ଟିମ୍‌, ସ୍ପେଶାଲ ଅପରେସନ ଗ୍ରୁପ୍‌(ଏସ୍‌ଓଜି) ଓ ଜଣେ ବିଶେଷଜ୍ଞ ଟିମ୍‌ରେ ରହିଛନ୍ତି। ଏହି ଘଟଣାରେ ପକସୋ ଆଇନ୍‌ ମଧ୍ୟ ଲାଗୁ କରାଯିବ।”

ଏହାପୂର୍ବରୁ ଆଲିଗଡ଼ ଏସ୍‌ପି ଆକାଶ କୁଲାହାରି କାର୍ଯ୍ୟରେ ଅବହେଳା ପାଇଁ ଜଣେ ଇନ୍‌ସପେକ୍ଟର, ୩ ଜଣ ସବ୍‌-ଇନ୍‌ସପେକ୍ଟର ଓ ଜଣେ କନଷ୍ଟେବଲଙ୍କୁ ନିଲମ୍ବନ କରିଥିଲେ। ଶିଶୁ କନ୍ୟାଟି ମେ’ ୩୧ରୁ ନିଖୋଜ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ଜାହେଜ ଖାନ୍‌ ଓ ଅସଲାମକୁ ଗିରଫ କରିଛନ୍ତି। ସେମାନେ ନିଜର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି। ଏହି ଦୁଇ ଜଣ ପ୍ରଥମେ ଝିଅଟିକୁ ଓଢ଼ଣୀ ଦ୍ୱାରା ହତ୍ୟା କରିବା ପରେ ତା’ର ଆଖି ତାଡ଼ି ଦେଇଥିଲେ। କିଛି ଦିନ ମୃତଦେହକୁ ସେମାନେ ଘର ମଧ୍ୟରେ ରଖିଥିଲେ। ହେଲେ ଏହା ପଚିବା ଆରମ୍ଭ କରିବାକୁ ଏହାକୁ ନିକଟସ୍ଥ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ।

ମୃତ ଝିଅଟିର ବାପା କହିଛନ୍ତି, “ଏହି ଘଟଣାରେ ଗିରଫ ଦୁଇ ଯୁବକଙ୍କ ପରିବାର ଲୋକ ମଧ୍ୟ ସାମିଲ ଅଛନ୍ତି। ମୁଁ ଜାହେଜ ଠାରୁ ୪୦ ହଜାର ଟଙ୍କା କରଜ କରିଥିଲି। ଏଥିରୁ ୩୫ ହଜାର ଟଙ୍କା ଫେରାଇଥିବା ବେଳେ ବାକି ୫ ହଜାର ଖୁବ୍‌ଶୀଘ୍ର ଫେରାଇ ଦେବି ବୋଲି କହିଥିଲି। କିନ୍ତୁ ମୁଁ ଅଧିକ ସମୟ ମାଗିବାରୁ ସେ ମୋତେ ବାରମ୍ବାର ଧମକ ଦେଉଥିଲା।”

ପୁଲିସ୍‌ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରାଇଛି। ଏଥିରେ ଶିଶୁଟି କୌଣସି ଯୌନ ନିର୍ଯାତନାର ଶିକାର ହୋଇ ନଥିବା ସ୍ପଷ୍ଟ ହୋଇଛି। ତେବେ ଅଧିକ ପରୀକ୍ଷା ପାଇଁ ଏହାକୁ ଆଗ୍ରା ପଠା ଯାଇଛି। ଶିଶୁ କନ୍ୟାର ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Related story