ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍କାଉଣ୍ଟର ହୋଇଥିଲା।
ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି।
ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର୍ ଥିବା ଜଣାପଡ଼ିଛି। ତା’ ସହିତ ହିଜ୍ବୁଲ୍ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ଏହି ଅପରେସନ୍ରେ ସେନା, ସିଆର୍ପିଏଫ୍ ଓ ରାଜ୍ୟ ପୁଲିସ୍ର ଯବାନ ସାମିଲ ହୋଇଥିଲେ।
ଗତ ଶୁକ୍ରବାର ରାଜ୍ୟର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ଏହି ଏନ୍କାଉଣ୍ଟର କରାଯାଇଥିଲା।
ସେହିଭଳି ଗତ ମଙ୍ଗଳବାର ଶୋପିଆନ ଜିଲ୍ଲାର ନଦୀଗାମ୍ ଗାଁରେ ପୁଲିସ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଅପରେସନ୍ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ।