ଶସ୍ତା ହେବ ଗୃହ ଏବଂ ଯାନବାହନ ଋଣ, ଅର୍ଥନୀତିକ ସଙ୍କଟ ଚର୍ଚ୍ଚା ପରେ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ଶେଷରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍‌ ଭାରତର ଜିଡିପି ହ୍ରାସ ନେଇ ଆକଳନ କରିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ମୁହଁ ଖୋଲିବା ସ୍ଥିତି ଗମ୍ଭୀର ଥିବା ପ୍ରମାଣିତ କରିଥିଲା। ତେବେ ଏହା ପରେ ଅର୍ଥମନ୍ତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷ ରଖିବା ସହ […]

nirmala

Subrat Kumar Nayak
  • Published: Friday, 23 August 2019
  • , Updated: 23 August 2019, 10:14 PM IST

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ଶେଷରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍‌ ଭାରତର ଜିଡିପି ହ୍ରାସ ନେଇ ଆକଳନ କରିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ମୁହଁ ଖୋଲିବା ସ୍ଥିତି ଗମ୍ଭୀର ଥିବା ପ୍ରମାଣିତ କରିଥିଲା। ତେବେ ଏହା ପରେ ଅର୍ଥମନ୍ତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷ ରଖିବା ସହ ପ୍ରତିକାର ପାଇଁ ବିଭିନ୍ନ ଘୋଷଣା କରିଛନ୍ତି। ଆରବିଆଇ ରେପୋ ରେଟ୍‌ ହ୍ରାସର ଫାଇଦା ବ୍ୟାଙ୍କ ଜରିଆରେ ଋଣକର୍ତ୍ତାଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ସହ ବିଦେଶୀ ନିବେଶ ଉପରୁ ଅତିରିକ୍ତ ଶୁଳ୍କ ପ୍ରତ୍ୟାହାର କରାଯିବ। ସେ ଆହୁରି ମଧ୍ୟ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେବା ପାଇଁ ତଥାକଥିତ ଏଞ୍ଜେଲ ଟ୍ୟାକ୍ସ ଉଠାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସିଏସ୍‌ଆର ନିୟମ ଉଲ୍ଲଂଘନକୁ ଏକ ଅପରାଧ ଭାବେ ବିବେଚନା କରାଯିବ ନାହିଁ।

ନିର୍ମଳା ଭାରତୀୟ ଅର୍ଥନୀତିକୁ ନେଇ ହେଉଥିବା ଚର୍ଚ୍ଚା ବାବଦରେ କହିଛନ୍ତି, ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସତ୍ତ୍ୱେ ଅନ୍ୟ ସମସ୍ତ ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ଅଧିକ ରହିଥିଲା। ଅର୍ଥନୀତିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଉଥିବା କହିବା ସହ ଏହା ଏକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ୭୦ ହଜାର କୋଟି ଟଙ୍କାର ନିବେଶ କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ଼ କରାଯିବ।

ଅର୍ଥନୀତିକ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି, ଅଟୋମୋବାଇଲ ବା ଯାନବାହାନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ବିଭାଗର ପୁ଼ରୁଣା ଗାଡ଼ି ବଦଳାଇବାକୁ ଅନୁମତି ଦେବେ। ଏହା ଫଳରେ ଗାଡ଼ିଗୁଡ଼ିକର ବିକ୍ରି ବଢ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଯାନବାହନ ବିକ୍ରିକୁ ବଢ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଦ୍ୱାରା ଘୋଷିତ ରେପୋ ରେଟ୍‌ ହ୍ରାସର ଫାଇଦା ଋଣ ନେଇ ଗାଡ଼ି କିଣୁଥିବା ଲୋକେ ପାଇପାରିବେ।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଭିନ୍ନ ତ୍ରୟମାସିକରେ ରେପୋ ରେଟ୍‌ ହ୍ରାସ କରାଯାଉଥିଲେ ମଧ୍ୟ ଏହାର ଫାଇଦା ବ୍ୟାଙ୍କଗୁଡ଼ିକର ଗ୍ରାହକଙ୍କ ପାଖରେ ପହଞ୍ଚୁ ନଥିବାରୁ ନିର୍ମଳା ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ବ୍ୟାଙ୍କମାନେ ବର୍ତ୍ତମାନ ଋଣ କର୍ତ୍ତାଙ୍କୁ ସୁଧ ହାର ହ୍ରାସର ଫାଇଦା ଦେବା ପାଇଁ ରାଜି ହୋଇଛନ୍ତି। ଫଳରେ ଗୃହ ଋଣ, ଗାଡ଼ି ଋଣ ଏବଂ ଅନ୍ୟ ଖୁଚୁରା ଋଣର କିସ୍ତି କମ୍‌ ରହିବ।

ସେହିଭଳି ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଡଆଇପିଆଇବି ପଞ୍ଜୀକୃତ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଆୟକର ଆଇନର ଧାରା ୫୬-୨ବି ଲାଗୁ ହେବନାହିଁ। ସିବିଡିଟି ଅଧୀନରେ ଏକ ସ୍ୱତନ୍ତ୍ର ସେଲ୍‌ ପ୍ରତିଷ୍ଠା କରି ଷ୍ଟାର୍ଟଅପ୍‌ମାନଙ୍କର ଆୟକର ସମ୍ବନ୍ଧୀୟ ସମସ୍ୟା ସମାଧାନ କରାଯିବ ବୋଲି ନିର୍ମଳା ଆଜି ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ ଆଜି କର୍ପୋରେଟ୍‌ ସୋଶାଲ ରେସ୍ପନ୍‌ସିବିଲିଟି (ସିଏସ୍‌ଆର) ବାବଦରେ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଏଣିକି ସିଏସ୍‌ଆର ନିୟମ ଉଲ୍ଲଂଘନ କରିବା ଏକ ଅପରାଧ ଭାବେ ବିବେଚିତ ହେବନି। ଏହା କେବଳ ଏକ ଦାୟିତ୍ୱ ଭାବେ ବିଚାର କରାଯିବ। ଏହା କମ୍ପାନୀ ଆଇନ ଅଧୀନରେ ଆସୁଥିବାରୁ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଏହାର ସମୀକ୍ଷା କରିବ। କମ୍ପାନୀ ଆଇନରେ ୨୦୧୩ ମସିହାରେ ଅଣାଯାଇଥିବା ପରିବର୍ତ୍ତନର ଏହି ଅଂଶକୁ ନେଇ ପୂର୍ବରୁ କମ୍ପାନୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ନିର୍ମଳା ଆଜି କରିଥିବା କିଛି ବଡ଼ ଘୋଷଣା ମଧ୍ୟରେ ଫରେନ୍‌ ପୋର୍ଟଫୋଲିଓ ନିବେଶକଙ୍କ (ଏଫ୍‌ପିଆଇ) ବାବଦରେ ଘୋଷଣା ତାଙ୍କ ପ୍ରଥମ ବଜେଟ୍‌ ଅଭିଭାଷଣର ୟୁଟର୍ଣ୍ଣ। କାରଣ ଗତ ବଜେଟ୍‌ରେ ହିଁ ସେ ଘୋଷଣା କରିଥିଲେ ‘ଅତି ଧନୀ’ଙ୍କ ପାଇଁ ଲାଗୁ ହେଉଥିବା ଅତିରିକ୍ତ ଶୁଲ୍କ ବିଦେଶୀ ନିବେଶକାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଅର୍ଥାତ ବଜେଟ୍‌ ପୂର୍ବରୁ ଯାହା ଥିଲା ତାହା ହିଁ ବଳବତ୍ତର ରହିବ ବୋଲି ନିର୍ମଳା ଆଜି କହିଛନ୍ତି। ପୂର୍ବରୁ ବିଭିନ୍ନ ବିଦେଶୀ ନିବେଶକାରୀ ସଂସ୍ଥା ଏବଂ କ୍ୟାପିଟାଲ ମାର୍କେଟ୍‌ ସହିତ ଜଡ଼ିତ ଲୋକେ ଏହାକୁ ବିରୋଧ କରି ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ।

ଇକ୍ୱିଟି ଶେୟାର ହସ୍ତାନ୍ତରରୁ ହେଉଥିବା ଦୀର୍ଘ ମିଆଦି ଏବଂ ସ୍ୱଳ୍ପ ମିଆଦୀ ଲାଭରେ ସେ ବୃଦ୍ଧି କରିଥିବା ଅତିରିକ୍ତ ଶୁଳ୍କ ମଧ୍ୟ ପ୍ରତ୍ୟାହାର କରାଯାଇଛି। କ୍ୟାପିଟାଲ ମାର୍କେଟ୍‌ରେ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

Related story