ନୂଆଦିଲ୍ଲୀ: ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଭାରତର ପ୍ରଥମ ଲୋକପାଳ ନିଯୁକ୍ତ ହେବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ପିସିଙ୍କ ନାମ ଚୂଡ଼ାନ୍ତ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଏହି କମିଟିରେ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ଅଛନ୍ତି।
ଲୋକପାଳ ଅନୁସନ୍ଧାନ କମିଟି ଦ୍ୱାରା ପ୍ରସ୍ତାବିତ ୧୦ଟି ନାମ ମଧ୍ୟରେ ଜଷ୍ଟିସ୍ ଘୋଷଙ୍କ ନାମ ମଧ୍ୟ ଥିଲା। ଜଷ୍ଟିସ୍ ପିସି ୨୦୧୭ ମସିହାରେ ସୁପ୍ରିମ୍କୋର୍ଟରୁ ଅବସର ନେବାପରେ ମାନବାଧିକାର କମିଶନ୍ରେ ଯୋଗ ଦେଇଥିଲେ। ଜଷ୍ଟିସ୍ ଘୋଷ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନେଇସାରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକପାଳ ଆଇନ ୨୦୧୪ ମସିହା ଜାନୁଆରୀ ୧୬ରୁ ପାରିତ ହେଲାଣି। ଏହାର ୫ ବର୍ଷ ପରେ ଜଷ୍ଟିସ୍ ଘୋଷ ଏହି ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି। ଏହି ଆଇନ ବଳରେ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଥିଲା। ସେମାନେ ଜନପ୍ରତିନିଧିଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ମାମଲାର ବିଚାର କରିବେ।
ଚଳିତ ବର୍ଷ ଜାନୁଆରୀରେ ହିଁ ସୁପ୍ରିମ୍କୋର୍ଟ ଏହକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କହିଥିଲେ, ଯେତେ ଶୀଘ୍ର ସମ୍ଭବ ଲୋକପାଳ ନିଯୁକ୍ତି କରିବାର ଆବଶ୍ୟକତା ରହିଛି। କାରଣ ଏହି ନିଯୁକ୍ତି ପାଇଁ ବହୁତ ସମୟ ଗଡ଼ିଗଲାଣି।
ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ୨୦୧୮ ମସିହା ସେପ୍ଟେମ୍ବର ୨୭ରେ ଲୋକପାଳ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା। ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଏହାର ମୁଖ୍ୟ ଦାୟିତ୍ୱ ନେଇଥିଲେ।
ତେବେ ଚୟନ କମିଟି ବୈଠକ ପାଇଁ ଲୋକସଭାରେ ବର୍ତ୍ତମାନ ବିରୋଧୀ ଦଳ ନେତା କେହି ନଥିବାରୁ ଗୃହରେ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଏହାକୁ ଅସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିବାର କାରଣ ଜଣାଇଥିଲେ। ସେ କିଛି ପରିବର୍ତ୍ତନର ସର୍ତ୍ତ ରଖି ଯୋଗଦେବେ କହିଥିଲେ। ଏହାପରେ ସେ ମୋଦି ସରକାରକୁ ସମାଲୋଚନା କରି କହିଥିଲେ, ଲୋକପାଳ ଚୟନରେ ବିରୋଧୀ ଦଳଙ୍କୁ ସାମିଲ କରିବା ପାଇଁ ଲୋକପାଳ ଆଇନରେ ସଂଶୋଧନ ଅଣାଯାଉନାହିଁ।