୧୦ ଦିନରେ ୪ ରାୟ, ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ନଭେମ୍ବର ୧୭ ତାରିଖରେ ଅବସର ନେବେ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଏହା ପୂର୍ବରୁ ଆସନ୍ତା ୪ ତାରିଖରୁ ୧୦ଟି କାର୍ଯ୍ୟ ଦିବସରେ ଆସିବ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ। କୁହାଯାଉଛି ଏହି ରାୟ ସବୁ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏସବୁ ଭାରତୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ। ଏହା ସାମାଜିକ, ଧାର୍ମିକ ଏବଂ ରାଜନୀତିକ ପରିସ୍ଥିତି ସହ ଜଡ଼ିତ ଥିବାରୁ ସାରା ଦେଶର ନଜର ଏବେ ଏହି ରାୟ ସବୁ ଉପରେ ରହିଛି। ଏଥିରୁ […]

Ranjan-GoGoi

Subrat Kumar Nayak
  • Published: Saturday, 02 November 2019
  • , Updated: 02 November 2019, 05:02 PM IST

ନୂଆଦିଲ୍ଲୀ: ନଭେମ୍ବର ୧୭ ତାରିଖରେ ଅବସର ନେବେ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଏହା ପୂର୍ବରୁ ଆସନ୍ତା ୪ ତାରିଖରୁ ୧୦ଟି କାର୍ଯ୍ୟ ଦିବସରେ ଆସିବ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ। କୁହାଯାଉଛି ଏହି ରାୟ ସବୁ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏସବୁ ଭାରତୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ। ଏହା ସାମାଜିକ, ଧାର୍ମିକ ଏବଂ ରାଜନୀତିକ ପରିସ୍ଥିତି ସହ ଜଡ଼ିତ ଥିବାରୁ ସାରା ଦେଶର ନଜର ଏବେ ଏହି ରାୟ ସବୁ ଉପରେ ରହିଛି।

ଏଥିରୁ ସବୁଠାରୁ ପୁରୁଣା ମାମଲା ହେଉଛି ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲା। ଏହି ସାମାଜିକ-ଧାର୍ମିକ ବିବାଦ ୧୮୫୮ ମସିହାରୁ ଚାଲିଆସିଛି। ୧୮୮୫ରୁ ଦୀର୍ଘ ଦିନ ଧରି ଏହାକୁ ନେଇ ମୋକଦ୍ଦମା ଚାଲୁ ରହିଛି।

ଏହାର ବହୁ ପ୍ରତୀକ୍ଷିତ ରାୟ ଆସନ୍ତା ନଭେମ୍ବର ୧୪ ବା ଏହା ପୂର୍ବରୁ ହିଁ ଆସିଯିବ ବୋଲି କୁହାଯାଉଛି। ୫ ଜଣି ସାମ୍ବିଧାନିକ ଖଣ୍ଡପୀଠ ଏହାର ମାରାଥନ ଶୁଣାଣି ଜାରି ରଖିଥିଲେ। ଏବେ ଏହି ରାୟକୁ ନେଇ ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଥିବାରୁ ଶାନ୍ତି କାଏମ ରଖିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆହ୍ୱାନ କରିସାରିଛନ୍ତି।

ତେବେ ଏହାକୁ ନେଇ ବିବାଦ ବହୁ ପୁରୁଣା। ଏପରିକି ୧୯୩୪ ମସିହାରେ ଏକ ଧାର୍ମିକ ହିଂସାରେ ବାବ୍ରି ମସ୍‌ଜିଦ୍‌ର ୩ଟି ଡୋମ୍‌ ଭାଙ୍ଗିଦିଆଯାଇଥିଲା। ଏହାପରେ ବ୍ରିଟିଶ ସରକାର ହିନ୍ଦୁଙ୍କ ଉପରେ ଜୋରିମାନା ରୁଜୁ କରି ଏସବୁର ପୁର୍ନନିର୍ମାଣ କରାଇଥିବା କୁହାଯାଏ।

୧୯୪୯ ମସିହା ଡିସେମ୍ବର ୨୨-୨୩ ମଧ୍ୟରାତ୍ରିରେ ରାମ ଜନ୍ମଭୂମି କୁହାଯାଉଥିବା ସ୍ଥାନରେ ରାମଙ୍କ ମୂର୍ତ୍ତି ରଖାଯିବା ପରେ ଏହାକୁ ନେଇ ପୁଣି ମୋକଦ୍ଦମା ଆରମ୍ଭ ହୋଇଥିଲା। ଗୋପାଲ ସିଂହ ବିଶାରଦ ନାମକ ଜଣେ ହିନ୍ଦୁ ପୂଜା ଅଧିକାର ନେଇ ଆବେଦନ କରିଥିଲେ। ଏହାପରେ ୧୯୫୯ରେ ନିର୍ମୋହି ଆଖଡ଼ା ଏବଂ ୧୯୬୧ରେ ସୁନ୍ନି ୱାକଫ୍‌ ବୋର୍ଡ ମଧ୍ୟ ମାମଲା ରୁଜୁ କରିଥିଲେ। ତେବେ ଏହି ମସ୍‌ଜିଦ୍‌ ଭଙ୍ଗାଯିବାର ୩ ବର୍ଷ ଆଗରୁ ରାମ ଲାଲାଙ୍କ ପକ୍ଷରୁ ମଧ୍ୟ ଆବେଦନ କରାଯାଇଥିଲା।

ତେବେ ସିଜେଆଇ କେବଳ ଅଯୋଧ୍ୟା ମାମଲା ନୁହେଁ, ଅନ୍ୟ ୩ଟି ମାମଲାର ରାୟ ଶୁଣାଇବାକୁ ଥିବା ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି। ବହୁ ଚର୍ଚ୍ଚିତ ସାବରୀମାଲା ମନ୍ଦିର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଆଗତ ରିଭ୍ୟୁ ପିଟିସନ୍‌, ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ର ରିଭ୍ୟୁ ପିଟିସନ ଏବଂ ସିଜେଆଇଙ୍କ କାର୍ଯ୍ୟାଳୟକୁ ଆରଟିଆଇ ଅଧୀନକୁ ଆଣିବା ପାଇଁ ଆବେଦନ ଆଦିର ରାୟ ଆସିବାର ଅଛି।

ସାବରୀମାଲା ଆୟପ୍ପା ମନ୍ଦିର କୁ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇ ସୁପ୍ରିମ୍‌କୋର୍ଟର ରାୟ ବିରୋଧରେ ଆଗତ ହୋଇଥିବା ରିଭ୍ୟୁ ପିଟିସନ୍‌ ବାବଦରେ ଏବେ ରାୟ ଆସିବାର ଅଛି। ଫେବୃଆରୀ ୬ରେ ଏହାର ଶୁଣାଣି ସରି ରାୟ ସଂରକ୍ଷିତ ରହିଥିଲା। ଏହି ମାମାରେ ମୋଟ ୬୫ଟି ଆବେଦନ କରାଯାଇଥିଲା। ଏଥିରୁ ୫୭ଟି ରିଭ୍ୟୁ ପିଟିସନ୍‌ ଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨୮ରେ ମନ୍ଦିର ପ୍ରବେଶ ନେଇ ଅନୁମତି ମିଳିଥିଲା। ୧୦-୫୦ ବୟସ ବର୍ଗର ମହିଳାଙ୍କୁ ପୂର୍ବରୁ ମନ୍ଦିର ପ୍ରବେଶ ଅନୁମତି ନଥିଲା।

ଆଉ ଏକ ମାମଲା ହେଉଛି ସିଜେଆଇଙ୍କ କାର୍ଯ୍ୟାଳୟକୁ ଆରଟିଆଇ ଅଧୀନକୁ ଆଣିବା। ଏନେଇ ଆରଟିଆଇ କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ସେଠାରେ କୋର୍ଟ ଏହି ଆବେଦନ ବିରୋଧରେ ରାୟ ଦେବାରୁ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ମଧ୍ୟ ସିଜେଆଇଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେଉଥିଲା।

ଅନ୍ୟ ଏକ ମାମଲା ହେଉଛି ରାଫେଲ୍‌ ମାମଲା ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଅଧୀନରେ ଶୁଣାଣି ଚାଲୁ ରହିଥିଲା ଏବଂ ଏହାର ବର୍ତ୍ତମାନ ରାୟ ଆସିବାର ଅଛି। ସୁପ୍ରିମ୍‌କୋର୍ଟ ଏନ୍‌ଡିଏ ସରକାରଙ୍କୁ ରାଫେଲ୍‌ ଚୁକ୍ତି ନେଇ କ୍ଲିନ୍‌ ଚିଟ୍‌ ଦେବା ପରେ ଏହା ବିରୋଧରେ ରିଭ୍ୟୁ ପିଟିସନ୍‌ ଆଗତ ହୋଇଥିଲା। ଭାରତ ୩୬ଟି ରାଫେଲ୍‌ ବିମାନ ଫ୍ରାନ୍ସଠାରୁ କିଣିବା ପାଇଁ ଏହି ଚୁକ୍ତି ହୋଇଥିଲା। ଇତିମଧ୍ୟରେ ଭାରତ ପ୍ରଥମ ରାଫେଲ୍‌ ବିଧିବଦ୍ଧ ଭାବେ ଡାସଲ୍ଡ କମ୍ପାନୀଠାରୁ ଗ୍ରହଣ କରିସାରିଛି। ତେବେ ଏହି ମାମଲାର ସିବିଆଇ ତଦନ୍ତ ନେଇ ହୋଇଥିବା ଆବେଦନର ରାୟ ମେ ୧୦ରେ ସଂରକ୍ଷିତ ରଖାଯାଇଥିଲା।

Related story