ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁକୁ ଭାରତର ଜଟିଳତମ ମିଶନ୍ ଚନ୍ଦ୍ରଯାନ-୨ ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ରହିଛି। ଏହାର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବା ଆଗରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଏହି ମିଶନ୍ରେ ଇସ୍ରୋର ସାହସକୁ ନେଇ ଭାରତ ବିଭିନ୍ନ ବିଦେଶୀ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସିତ ହୋଇଛି। ଅନ୍ୟପକ୍ଷରେ କିଛି ଗଣମାଧ୍ୟମ ଏହା ମଧ୍ୟ କହିବାକୁ ପଛାଇନାହାନ୍ତି ଯେ, ଏହା କୁଆଡ଼େ ଭାରତକୁ ମହାକାଶ ଗବେଷଣା କ୍ଷେତ୍ରରେ ବହୁ ପଛକୁ ନେଇଯିବ।
ଆମେରିକୀୟ ପତ୍ରିକା ୱେୟାର୍ଡର ଅନ୍ଲାଇନ୍ ଏଡିସନ୍ ଲେଖିଛି, ଏହି ମିଶନ୍ରେ ସବୁ କିଛି ନିଖୋଜ ହୋଇଯାଇନି। ଚନ୍ଦ୍ରପୃଷ୍ଠରେ ବିକ୍ରମ ଏବଂ ପ୍ରଜ୍ଞା ରୋଭର ନିଖୋଜ ହୋଇଯିବା ଭାରତର ମହାକାଶ ମିଶନ୍ ପାଇଁ ବଡ଼ ଝଟ୍କା ସତ, କିନ୍ତୁ ଏଥିରେ ସବୁ କିଛି ହଜିଯାଇନି। ନ୍ୟୁୟର୍କ ଟାଇମ୍ସ ଏହାକୁ ପ୍ରଶଂସା କରି ଲେଖିଛି, ଇଞ୍ଜିନିୟରିଂ ନିପୁଣତା ଏବଂ ଦଶନ୍ଧି ଦଶନ୍ଧି ଧରି ମହାକାଶ ବିକାଶ ବିଶ୍ୱସ୍ତରୀୟ ଲକ୍ଷ୍ୟ ପୂରଣ କରିଛି। ସେହିଭଳି ‘ଲେ ମଣ୍ଡ’ ଲେଖିଛି, ଏବେ ଯାଏ ମିଶନ୍କୁ ୪୫ ପ୍ରତିଶତ ସଫଳତା ମିଳିଛି।
ବ୍ରିଟିଶ୍ ଖବରକାଗଜ ଦି ଗାର୍ଡିଆନ୍ ଲେଖିଛି, ଭାରତର ଚନ୍ଦ୍ର ଅବତରଣ ଶେଷ ମୁହୂର୍ତ୍ତରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତ ସେହି ସ୍ଥାନରେ ଗବେଷଣା ପାଇଁ ମନ ବଳାଇଛି ଯେଉଁଠାରେ ଆଗାମୀ ୨୦,୫୦ ବା ୧୦୦ ବର୍ଷରେ ମନୁଷ୍ୟ ବସବାସ କରିପାରେ। ୱାଶିଂଟନ୍ ପୋଷ୍ଟ ଲେଖିଛି, ଏହି ଘଟଣା ଭାରତର ମହାକାଶ ଅଭିଳାଷକୁ କିଛି ପାଦ ପଛକୁ ନେଇଯାଇଛି, ଯାହାକି ଏହି ଦେଶର ଯୁବପିଢ଼ିଙ୍କ ଉଚ୍ଚାକାଂକ୍ଷାର ପ୍ରତିଫଳନ ଥିଲା। ସିଏନ୍ଏନ୍ ଲେଖିଛି, ଭାରତର ଐତିହାସିକ ଲ୍ୟାଣ୍ଡିଂ ହୁଏତ ବିଫଳ ହୋଇଛି। ଆଉ ବିଭିନ୍ନ ସମୟରେ ଭାରତକୁ କଡ଼ା ସମାଲୋଚନା କରିଆସିଥିବା ବିବିସି ଲେଖିଛି, ଏହା କୁଆଡ଼େ ଅତି ଶସ୍ତା ଥିଲା ବୋଲି ବିଶ୍ୱ ସ୍ତରରେ ଚର୍ଚ୍ଚିତ ଥିଲା। ଏହା ହଲିଉଡ୍ ଫିଲ୍ମ ଆଭେଞ୍ଜର୍ସର ବଜେଟ୍କୁ ଭାରତର ଚନ୍ଦ୍ରଯାନ-୨ ମିଶନ୍ର ବଜେଟ୍ ସହ ତୁଳନା କରି ଖବର ପ୍ରକାଶ କରିଥିଲା।