ପାମ୍ଫଲେଟ୍‌ ଅଭିଯୋଗକୁ ଖଣ୍ଡନ କଲେ ଗମ୍ଭୀର, କେଜ୍ରିଓ୍ୱାଲଙ୍କ ବିରୋଧରେ ରୁଜୁ କଲେ ମାନହାନି ମକଦ୍ଦମା

ନୂଆଦିଲ୍ଲୀ: ଆପତ୍ତିଜନକ ପାମ୍ଫଲେଟ୍ ନେଇ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ତଥା ପ୍ରତିଦ୍ୱନ୍ଦ୍ୱୀ ଅତୀଶ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର। ଅତୀଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗମ୍ଭୀର ପାମ୍ଫଲେଟ୍ ଲଗାଇଥିଲେ ବୋଲି ଆପ୍ ଅଭିଯୋଗ କରିଛି। ତେବେ ଗମ୍ଭୀର ଏହାକୁ ତୀବ୍ର ନିନ୍ଦା କରିବା ସହିତ ଟ୍ୱିଟ୍‌ କରି ଆପର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ […]

gambhir

Subhransu Sekhar
  • Published: Friday, 10 May 2019
  • , Updated: 10 May 2019, 10:33 AM IST

ନୂଆଦିଲ୍ଲୀ: ଆପତ୍ତିଜନକ ପାମ୍ଫଲେଟ୍ ନେଇ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ତଥା ପ୍ରତିଦ୍ୱନ୍ଦ୍ୱୀ ଅତୀଶ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର।

ଅତୀଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗମ୍ଭୀର ପାମ୍ଫଲେଟ୍ ଲଗାଇଥିଲେ ବୋଲି ଆପ୍ ଅଭିଯୋଗ କରିଛି। ତେବେ ଗମ୍ଭୀର ଏହାକୁ ତୀବ୍ର ନିନ୍ଦା କରିବା ସହିତ ଟ୍ୱିଟ୍‌ କରି ଆପର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିୱାଲ୍‌ ବିନା ପ୍ରମାଣରେ ତାଙ୍କୁ ସମାଲୋଚନା କରିଥିବା ସେ କହିଛନ୍ତି। ଏଥିପାଇଁ ସେ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିବା କହିଛନ୍ତି।

ନିର୍ବାଚନ ବେଳେ ତାଙ୍କୁ ବଦ୍‌ନାମ କରିବାକୁ ଆପ୍ ଜାଣିଶୁଣି ଏପରି ପାମ୍ଫଲେଟ୍ ଲଗାଇଛି ବୋଲି ଭାରତୀୟ କ୍ରିକେଟ୍ ଟିମ୍‌ର ଏହି ପୂର୍ବତନ ସଦସ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ଆପ୍‌ ତାଙ୍କୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି।

ଗମ୍ଭୀର ଟ୍ୱିଟ୍‌ କରି ଆହୁରି ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ବେଳେ ଆମ୍‌ ଆଦ୍‌ମୀ ପାର୍ଟି ଏତେ ତଳକୁ ଖସି ଯିବ ବୋଲି ସେ କେବେ ଭାବି ନଥିଲେ। ନିର୍ବାଚନ ଜିତିବା ପାଇଁ ଆପ୍ ଏମିତି ପାମ୍ଫଲେଟ୍ ଲଗାଇଛି। ଯଦି ଆପ୍ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହୋଇଯାଏ, ତା’ହେଲେ ସେ ନିର୍ବାଚନ ଜିତିଲେ ମଧ୍ୟ ଇସ୍ତଫା ଦେଇ ଦେବେ।

ସେ କହିଛନ୍ତି ଯେ, ତାଙ୍କ ଘରେ ୫ ଜଣ ମହିଳା ଅଛନ୍ତି। ତେଣୁ ମହିଳାଙ୍କୁ କିଭଳି ସମ୍ମାନ ଦିଆଯାଏ, ତାହା ସେ ଭଲ ଭାବରେ ଜାଣିଛନ୍ତି।

ଗମ୍ଭୀରଙ୍କ ବିରୋଧରେ ଆପ୍‌ ଆଣିଥିବା ସମସ୍ତ ଅଭିଯୋଗକୁ ବିଜେପି ପୂର୍ବରୁ ଖଣ୍ଡନ କରି ସାରିଛି।

ଆସନ୍ତା ରବିବାର ଦିଲ୍ଲୀରେ ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏହାରି ଭିତରେ ପାମ୍ଫଲେଟକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ବିବାଦ ତେଜିଛି।

ସୂଚନାଯୋଗ୍ୟ, ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ଆପ୍ ଅତୀଶଙ୍କୁ ପ୍ରାର୍ଥୀ କରିଛି।

Related story