ଭାରତ ଆରମ୍ଭ କଲା କରୋନା ମେଡିସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ୍ ଦେବା କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛି ଭାରତ। ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସର ମୁକାବିଲା ଲାଗି ବିଶ୍ୱର ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ଭ୍ୟାକସିନ୍ ଓ ଔଷଧ ପ୍ରସ୍ତୁତିରେ ଲାଗିଥିବା ବେଳେ ମୁମ୍ବାଇର ଗ୍ଲେନମାର୍କ ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ ହୋଇଛି। ଖୁବଶୀଘ୍ର ଏଥିରେ ସଫଳତା ମିଳିବ ବୋଲି ଫାର୍ମା କମ୍ପାନୀ ଆଶା ବ୍ୟକ୍ତ କରିଛି। ଯଦି ଏହା ସଫଳତାର ସହ […]

nf

Hemant Lenka
  • Published: Tuesday, 12 May 2020
  • , Updated: 12 May 2020, 07:34 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ୍ ଦେବା କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛି ଭାରତ। ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସର ମୁକାବିଲା ଲାଗି ବିଶ୍ୱର ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ଭ୍ୟାକସିନ୍ ଓ ଔଷଧ ପ୍ରସ୍ତୁତିରେ ଲାଗିଥିବା ବେଳେ ମୁମ୍ବାଇର ଗ୍ଲେନମାର୍କ ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ ହୋଇଛି।

ଖୁବଶୀଘ୍ର ଏଥିରେ ସଫଳତା ମିଳିବ ବୋଲି ଫାର୍ମା କମ୍ପାନୀ ଆଶା ବ୍ୟକ୍ତ କରିଛି। ଯଦି ଏହା ସଫଳତାର ସହ ଶେଷ ହୁଏ, ତା’ହେଲେ କୋଭିଡ କବଳରେ ଛଟପଟ ସମଗ୍ର ବିଶ୍ୱ ପାଇଁ ଭାରତ ଏକ ନୂଆ ଆଶା ସଞ୍ଚାର କରିବ। କାରଣ କରୋନା ଭାଇରସର ମୁକାବିଲା ଲାଗି ସମଗ୍ର ବିଶ୍ୱର ଚିକିତ୍ସା ବିଜ୍ଞାନୀଙ୍କ ଆଖରୁ ନିଦ ହଜି ଯାଇଛି। ଏସବୁ ଭିତରେ ଭାରତରେ ପ୍ରସ୍ତୁତ ଆଣ୍ଟି କରୋନା ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି।

ମୁମ୍ବାଇର ଫାର୍ମା କମ୍ପାନୀ ଗ୍ଲେନମାର୍କ ଫାଭିପିରାଭିର ନାଁରେ ପ୍ରସ୍ତୁତ କରିଥିବା ଏକ ଔଷଧ କରୋନା ଭୂତାଣୁକୁ ସମୂଳେ ନାଶ କରିବ ବୋଲି ଆଶା କରାଯାଉଛି। ଦେଶର ୧୦ଟି ପ୍ରମୁଖ ସରକାରୀ ଓ ଘରୋଇ ମେଡିକାଲରେ ଏହି ଔଷଧର ପରୀକ୍ଷଣ ଆରମ୍ଭ ହୋଇଛି। ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଗବେଷଣା ଶେଷ ହେବ ବୋଲି ଉକ୍ତ କମ୍ପାନୀ ଆକଳନ କରିଛି।

ଫାବିପିରାଭିରର ପରୀକ୍ଷଣ ନେଇ କମ୍ପାନୀକୁ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ପକ୍ଷରୁ ପୂର୍ବରୁ ସ୍ୱୀକୃତି ମିଳିଥିଲା। ଅନୁମିତି ମିଳିବା ପରେ ଏହାର ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟିମ୍ ଔଷଧର ଆପ୍ଲିକେସନ୍ ପ୍ରୋଗ୍ରାମ୍ ଇଣ୍ଟରଫେସ୍ ବା ଏପିଆଇ ଏବଂ ଉତ୍ପାଦର ପ୍ରସ୍ତୁତ ପ୍ରଣାଳୀକୁ ସଫଳତାର ସହ ଶେଷ କରିଥିବା ଦାବି କରିଛି।

ଅନ୍ୟପକ୍ଷରେ କରୋନା ଭୂତାଣୁର ବିନାଶ ଲାଗି ଏଯାଏ କୌଣସି ଔଷଧ ନଥିବାରୁ ଫାଭିପିରାଭିର ଉଲ୍ଲେଖନୀୟ ଭୂମିକା ନେବ ବୋଲି ଆଶା ରଖିଛନ୍ତି ଦେଶର ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ବିଶ୍ୱର ପ୍ରାୟ ୧୦୦ରୁ ଅଧିକ ସଂସ୍ଥା କାମରେ ଲାଗିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରମୁଖ ୭/୮ଟି ସଂସ୍ଥା ଏ ଦିଗରେ ତ୍ୱରିତ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ବିଶ୍ୱ ସାସ୍ଥ୍ୟ ସଂଗଠନ ମୁଖ୍ୟ। ତେବେ ଏଥିପାଇଁ ୮ ଶହ କୋଟି ଡଲାର ପାଣ୍ଠିର ଆବଶ୍ୟକ ଥିବାରୁ ବିଭିନ୍ନ ଦେଶର ତଥା ବ୍ୟାଙ୍କଗୁଡ଼ିକର ସହୟତା କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିବେଦନ କରିଛି।

ସେହିପରି ଭାରତର ଆଇସିଏମଆର ସମେତ ଆମେରିକା, ଚାଇନା ଭଳି ଦେଶର ଚିକିତ୍ସାବିଜ୍ଞାନୀ ଓ ଗବେଷଣା ସଂସ୍ଥାଗୁଡ଼ିକ ପକ୍ଷରୁ ଆହୁରି ୬ ପ୍ରକାର ଭ୍ୟାକସିନ୍ ପ୍ରସ୍ତୁତ ପ୍ରକ୍ରିୟା ଜୋରସରରେ ଚାଲିଛି। ତେଣୁ ଖୁବଶୀଘ୍ର ବିଶ୍ୱବାସୀ କରୋନାକୁ ମାତ ଦେଇପାରିବେ ବୋଲି ଆଶା କରାଯାଉଛି।

Related story