୧୪ ବର୍ଷ ପରେ ପ୍ରଥମ ଥର ସଂଶୋଧିତ ହେଲା MSMEର ସଂଜ୍ଞା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ। ଏହି ବୈଠକରେ କେତେକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଯାହା ଭାରତର କୃଷକ, ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଠାଦୋକାନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ ବୋଲି ସରକାର କହିଛନ୍ତି। ସାଧାରଣରେ ଏମଏସଏମଇ ଭାବେ ପରିଚିତ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ […]

msme

Subhransu Sekhar
  • Published: Monday, 01 June 2020
  • , Updated: 01 June 2020, 09:35 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ। ଏହି ବୈଠକରେ କେତେକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଯାହା ଭାରତର କୃଷକ, ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଠାଦୋକାନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ ବୋଲି ସରକାର କହିଛନ୍ତି।

ସାଧାରଣରେ ଏମଏସଏମଇ ଭାବେ ପରିଚିତ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ସାରା ଦେଶରେ ବିଭିନ୍ନ ଅଂଚଳରେ ନୀରବତାର ସହିତ କାର୍ଯ୍ୟକ୍ଷମ ଥିବା ୬ କୋଟିରୁ ଅଧିକ ଏମଏସଏମଇ ଏକ ସୁଦୃଢ଼ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।

କୋଭିଡ-୧୯ ମହାମାରୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ନିର୍ମାଣରେ ଏମଏସଏମଇର ଭୂମିକାକୁ ତୁରନ୍ତ ଚିହ୍ନଟ କରିଥିଲେ । ସେଥିପାଇଁ ଏମଏସଏମଇଗୁଡ଼ିକୁ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ସାମିଲ କରାଯାଇଥିଲା । ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇ କ୍ଷେତ୍ର ପାଇଁ ଯଥେଷ୍ଟ ଅର୍ଥରାଶି ଆବଂଟନ କରାଯିବା ସହିତ ଅର୍ଥବ୍ୟବସ୍ଥାର ସୁଧାର ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ପ୍ରାଥମିକତା ଦିଆଗଲା । ଅନେକ ପ୍ରମୁଖ ଘୋଷଣା ସହ ଜଡ଼ିତ ପଦକ୍ଷେପ ପୂର୍ବରୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇସାରିଛି ।
କେନ୍ଦ୍ର ସରକାର ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ଅନ୍ୟ ଘୋଷଣାଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଏଥିରେ ସାମିଲ ରହିଛି:

  • ଏମଏସଏମଇ ପରିଭାଷାରେ ବୃଦ୍ଧି ଲାଗି ସଂଶୋଧନ । ବ୍ୟବସାୟକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେପ । ଏହା ଏମଏସଏମଇ କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିବ।
  • ଚାପଗ୍ରସ୍ତ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ସହାୟତା ପ୍ରଦାନ କରିବା ଲାଗି ଅଧୀନସ୍ଥ ଋଣ ରୂପରେ ୨୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବକୁ ଆଜି କ୍ୟାବିନେଟ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ୨ ଲକ୍ଷ ଚାପଗ୍ରସ୍ତ ଏମଏସଏମଇ ଲାଭାନ୍ୱିତ ହେବେ।
  • ଏମଏସଏମଇ ଲାଗି ୫୦,୦୦୦ କୋଟି ଟଙ୍କାର ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ ମଞ୍ଜୁରି ମିଳିଛି । ଏହା ଏମଏସଏମଇଗୁଡ଼ିକୁ ଋଣ-ଇକ୍ୟୁଟି ଅନୁପାତର ପରିଚାଳନା ଏବଂ ସେମାନଙ୍କ କ୍ଷମତା ବୃଦ୍ଧିରେ ସହାୟତା ନିମନ୍ତେ ଏକ ଢାଂଚା ଉପଲବ୍ଧ କରାଇବ । ଏହା ସେମାନଙ୍କୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ଲାଗି ସୁଯୋଗ ମଧ୍ୟ ପ୍ରଦାନ କରିବ ।

ଏମଏସଏମଇ ପରିଭାଷାରେ ବୃଦ୍ଧି ପାଇଁ ସଂଶୋଧନ:

କେନ୍ଦ୍ର ସରକାର ଆଜି ଏମଏସଏମଇ ପରିଭାଷାର ସଂଶୋଧନ କରିଛନ୍ତି। ପ୍ୟାକେଜ ଘୋଷଣାରେ ସୂକ୍ଷ୍ମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ପରିଭାଷାକୁ ୧ କୋଟି ଟଙ୍କାର ନିବେଶ ଏବଂ ୫ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଲଘୁ ଉଦ୍ୟୋଗଗୁଡ଼ିକର ସୀମାକୁ ୧୦ କୋଟି ଟଙ୍କାର ନିବେଶ ଏବଂ ୫୦ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଏକ ମଧ୍ୟମ ଉଦ୍ୟୋଗଗୁଡ଼ିକର ନିବେଶ ସୀମାକୁ ୨୦ କୋଟି ଟଙ୍କା ଏବଂ କାରବାର ସୀମାକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୦୬ରେ ଏମଏସଏମଇ ଆଇନ ଲାଗୁ ହୋଇଥିଲା । ୧୪ ବର୍ଷ ପରେ ଏଥିରେ ସଂଶୋଧନ କରାଯାଇଛି । ପ୍ୟାକେଜ ୧୩ ମେ ୨୦୨୦ରେ ଘୋଷଣା ହେବା ପରେ କେତେକ ପ୍ରସ୍ତାବ ମିଳିଥିଲା ଯେ ଘୋଷିତ ସଂଶୋଧନ ତଥାପି ବଜାର ଓ ମୂଲ୍ୟ ନିର୍ଦ୍ଧାରଣ ସ୍ଥିତି ଅନୁରୂପ ହୋଇନାହିଁ । ତେଣୁ ଏହାକୁ ଆହୁରି ଅଧିକ କରି ସଂଶୋଧନ କରାଯିବା ଆବଶ୍ୟକ । ଏସବୁ ପ୍ରସ୍ତାବକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମଧ୍ୟମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ସୀମାକୁ ଆହୁରି ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ସୀମାକୁ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି ଟଙ୍କାର କାରବାରକୁ ବୃଦ୍ଧି କରି ଦିଆଯାଇଛି । ଏହାଛାଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୂକ୍ଷ୍ମ, ଲଘୁ କିମ୍ବା ମଧ୍ୟମ, ଯେକୌଣସି ଏମଏସଏମଇ ଉଦ୍ୟୋଗର ରପ୍ତାନୀ ସଂକ୍ରାନ୍ତ କାରବାରକୁ ଟର୍ଣ୍ଣଓଭର ଭାବେ ଗଣନା କରାଯିବ ନାହିଁ ।

Related story