ନୂଆଦିଲ୍ଲୀ: ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଥିବା ୪ ଜଣ ବିଚାରପତିଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୨୭ ଜଣ ବିଚାରପତି ରହିଥିଲେ। ବିଚାରପତିଙ୍କ ସଂଖ୍ୟା ପୂରଣ ପାଇଁ କଲେଜିୟମ ୪ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବାକୁ କହିଥିଲେ।
କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ୪ ଜଣ ବିଚାରପତି ହେଲେ ଜଷ୍ଟିସ୍ ଅନିରୁଦ୍ଧ ବୋଷ, ଜଷ୍ଟିସ୍ ଏଏସ୍ ବୋପାନ୍ନା, ଜଷ୍ଟିସ୍ ବିଆର ଗାଭାଇ ଓ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ।
ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ ଗଠିତ। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଧ୍ୟକ୍ଷ ରହିଛନ୍ତି। କେନ୍ଦ୍ର ସରକାର କଲେଜିୟମ ସୁପାରିସ୍କୁ ଗ୍ରହଣ କରି ଉକ୍ତ ଫାଇଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ସୁଦ୍ଧା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି।