ନୂଆଦିଲ୍ଲୀ: ସରକାର ହସ୍ତାନ୍ତର କରିବେ ଦେଶର ଚାଷ ଓ ଚାଷୀ ସଂପର୍କୀତ ସମସ୍ତ ତଥ୍ୟ। ଏଥିପାଇଁ କେତେକ ଦେଶୀ ଓ ବିଦେଶୀ କମ୍ପାନୀଙ୍କ ସହିତ ଚୁକ୍ତି ହୋଇସାରିଛି। ସେମାନେ ସରକାରଙ୍କଠାରୁ ମାଟି, ମାଟିର ଉର୍ବରତା, ଚାଷ, ପାଣିପାଗ, ଅମଳ, ସାର ଓ ଖତ, କୀଟନାଶକ ଆଦି ସଂପର୍କୀତ ତଥ୍ୟ ସବୁ ନେବେ। ସେମାନେ ସେସବୁ ତଥ୍ୟକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅନ୍ୟାନ୍ୟ ଉପାୟରେ ଅନୁଶୀଳନ କରି ଭାରତର ଚାଷ ସଂସ୍କୃତିକୁ ପ୍ରଭାବିତ କରିବେ। ଏହା ଫଳରେ ଦେଶର ଚାଷୀମାନଙ୍କର ମଙ୍ଗଳ ହେବ ଓ ସେମାନଙ୍କର ଆୟ ବହୁ ପରିମାଣରେ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି। ଏ ନେଇ ଯେଉଁସବୁ କମ୍ପାନୀଙ୍କ ସହିତ ସରକାର ଚୁକ୍ତି ସଂପାଦନ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଆମାଜନ.କମ୍ ଇଙ୍କ, ମାଇକ୍ରୋସଫ୍ଟ କର୍ପୋରେସନ, ସିସ୍କୋ ସିଷ୍ଟମ୍ସ ଇଙ୍କ୍, ଜିଓ ପ୍ଲାଟଫର୍ମସ ଲିମିଟେଟେ, ଆଇଟିସି ଲିମିଟେଡ, ଷ୍ଟାର ଏଗ୍ରିବଜାର ଟେକ୍ନୋଲୋଜି, ଇଏସଆରଆଇ ଇଣ୍ଡିଆ ଟେକ୍ନୋଲୋଜି, ପାତଞ୍ଜଳି ଅର୍ଗାନିକ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏବଂ ନିଞ୍ଜାକାର୍ଟ। ଏହିସବୁ ତଥ୍ୟର ଶେଷମୂଲ୍ୟ ୨୪୦୦ କୋଟି ଡଲାର ବା ପାଖାପାଖି ୧,୯୨,୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବାକୁ ଚାହାନ୍ତି। ସେଥିପାଇଁ ଖାଦ୍ୟଦ୍ରବ୍ୟର ଅମଳବୃଦ୍ଧି ହେବା ଦରକାର। ତାଙ୍କ ସରକାର ଦେଶର କୃଷକମାନଙ୍କର ଆୟବୃଦ୍ଧି କରିବାକୁ ଚାହାନ୍ତି, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଚାହାନ୍ତି। ସେଥିପାଇଁ କୃଷକମାନେ ଅଧିକ ଅମଳ କରିବା ଦରକାର ଓ ସେମାନଙ୍କର ଅମଳକୁ ଉପଯୁକ୍ତ ମୂଲ୍ୟ ମଧ୍ୟ ମିଳିବା ଦରକାର। ତାଙ୍କ ସରକାର ବିଦେଶରୁ ଖାଦ୍ୟ ଆମଦାନୀ କମ୍ କରିବାକୁ ଚାହୁଁଛନ୍ତି। ଦେଶ ଭିତରେ ଖାଦ୍ୟ ସାମଗ୍ରୀ ନଷ୍ଟ ନହୁଏ ତାହା ମଧ୍ୟ ନିଶ୍ଚିତ କରିବାକୁ ଚାହୁଁଛନ୍ତି। ଏସବୁ ଜରିଆରେ ଦେଶ ଭିତରେ ଅଧିକରୁ ଅଧିକ ଲୋକ ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନ ଆଦି କ୍ଷେତ୍ରରେ ନିଯୁକ୍ତ ହୋଇପାରିବେ। ଏହିସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଇତିମଧ୍ୟରେ ତିନିଟି ବିଦେଶୀ କମ୍ପାନୀ ଓ କେତେକ ଦେଶୀ କମ୍ପାନୀ ସହିତ ଚୁକ୍ତି ସଂପାଦନ କରିଛନ୍ତି। ୨୦୧୪ ମସିହାରୁ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ସଂଗ୍ରହ କରିଥିବା ଚାଷ ଓ ଚାଷୀଙ୍କ ସଂପର୍କୀତ ଅନେକ ତଥ୍ୟ ଏହିସବୁ କମ୍ପାନୀଙ୍କୁ ହସ୍ତାନ୍ତର କରାଯିବ। ଏସବୁ କମ୍ପାନୀ ଏସବୁ ତଥ୍ୟକୁ ନେଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ ଓ ଅନ୍ୟାନ୍ୟ ଜ୍ଞାନକୌଶଳ ପ୍ରୟୋଗ କରି ଅନୁଶୀଳନ କରିବେ ଓ ସେହି ଅନୁସାରେ କୃଷକମାନଙ୍କୁ, ସରକାରଙ୍କୁ ଓ ବ୍ୟବସାୟୀଙ୍କୁ ସେମାନଙ୍କର ଲାଭ ପାଇଁ ଅନେକ ପ୍ରକାର ପରାମର୍ଶ ଦେଇପାରିବେ। କେଉଁ ଜମିରେ କି ଚାଷ କରାଯିବ, କେଉଁ ପାଗରେ କି ବିହନ ବୁଣାଯିବ, କ୍ଷେତରେ କି ସାର ଓ କୀଟନାଶକ ପ୍ରୟୋଗ କରାଯିବ, କେଉଁଠି କେଉଁ ଅମଳର ଦର କେତେ ଆଦି କୃଷି ଓ କୃଷକ ସଂପର୍କୀତ ଅନେକ ପରାମର୍ଶ ଦେଇ ସେମାନେ ଚାଷୀର ଆୟବୃଦ୍ଧିରେ ସହଯୋଗ କରିବା ସଙ୍ଗେ ସଙ୍ଗେ ଦେଶର ଖାଦ୍ୟ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବେ।
ଭାରତର ଲୋକସଂଖ୍ୟା ୧୩୦ କୋଟି। ଏହାର ପ୍ରାୟ ଅର୍ଦ୍ଧେକ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ନିଯୁକ୍ତ ଅଛନ୍ତି। ଦେଶର ଜିଡିପି ବା ଅର୍ଥନୀତିରେ କୃଷିର ଅବଦାନ ହେଉଛି ଏକ ପଞ୍ଚମାଂଶ ବା ପାଞ୍ଚ ଭାଗରୁ ଭାଗେ। ଆର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥାର ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଦେଶର କୃଷି ପ୍ରଯୁକ୍ତି ବଜାରର ଆୟ ପ୍ରାୟ ୨୪୦୦ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧,୯୨,୦୦୦ କୋଟ ଟଙ୍କା ହେବ। ସେହିପରି ଏବେ ଦେଶରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଖୁଚୁରା ଗ୍ରୋସରି ବା ତେଜରାତି କାରବାର ହେଉଛି। ଏକ୍ଷେତ୍ରରେ ଆମାଜନ, ରିଲାୟାନ୍ସ ଆଦି ବଡ଼ ବଡ଼ କମ୍ପାନୀ ପ୍ରବେଶ କରିସାରିଛନ୍ତି। ସେମାନଙ୍କ ଜରିଆରେ ସରକାର ଦେଶର ଖୁଚୁରା ବଜାରକୁ ସ୍ଥିର ରଖିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କର ଆୟବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ କୃଷି କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର କରାଯାଉଛି।
ଆର୍ଣ୍ଣେଷ୍ଟ ଆଣ୍ଡ ୟଙ୍ଗ ଇଣ୍ଡିଆର ଅଙ୍କୁର ପାହ୍ବା କୁହନ୍ତି, ‘ଏହା ଏହାର ବଡ଼ ପ୍ରଭାବ ରହିଛି। ଘରୋଇ ଖେଳାଳିମାନେ ଏଥିରେ ବଡ଼ ସୁଯୋଗର ଗନ୍ଧ ବାରିଛନ୍ତି। ପ୍ରଯୁକ୍ତି ଓ ଭିତ୍ତିଭୂମି ଅଭାବରୁ ଭାରତରେ ବହୁ ପରିମାଣର ଖାଦ୍ୟଦ୍ରବ୍ୟ ନଷ୍ଟ ହେଉଛି। ତେଣୁ ଏଭଳି କାର୍ଯ୍ୟକ୍ରମ ଜରିଆରେ ଭାରତରେ ଅନେକ ପରିବର୍ତ୍ତନ ଆସିପାରିବ।’
ସରକାରଙ୍କ ପରିକଳ୍ପନା ଅତ୍ୟନ୍ତ ସରଳ। ଫସଲ ପ୍ରକାରଭେଦ, ମୃତ୍ତିକାର ସ୍ୱାସ୍ଥ୍ୟ, ପାଣିପାଗ, ଫସଲ ବୀମା, କୃଷି ଋଣ ଆଦି ଚାଷ ଓ ଚାଷୀ ସଂପର୍କୀତ ସମସ୍ତ ତଥ୍ୟକୁ ଗୋଟିଏ ଡାଟାବେସ୍ ବା ତଥ୍ୟଭିତ୍ତିରେ ରଖି ତାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧି ଏବଂ ଅନ୍ୟ ଡାଟା ଆନାଲିଟିକ୍ସ ପ୍ରଯୁକ୍ତି ଜରିଆରେ ଅନୁଶୀଳନ କରାଯିବ। ଏସବୁ ତଥ୍ୟ ଓ ଅନୁଶୀଳନ ଭିତ୍ତିରେ ବିଭିନ୍ନ କମ୍ପାନୀ ଚାଷୀମାନଙ୍କୁ ଚାଷ ଓ ଫସଲ ପଦ୍ଧତି, ଜଳସେଚନ ପଦ୍ଧତି, ଶୀତତାପ ନିୟନ୍ତ୍ରିତ ଗୋଦାମ ଘର, ରେଫ୍ରିଜେରେଟେଡ ଟ୍ରକ, ମୃତ୍ତିକାର ଉର୍ବରତା ବୃଦ୍ଧି ଆଦି କ୍ଷେତ୍ରରେ ଅନେକ ସେବା ଓ ସହଯୋଗ ଯୋଗାଇଦେବେ। ଏଯାଏଁ ସରକାର ପ୍ରାୟ ୫୦ ନିୟୁତ ଚାଷୀଙ୍କର ତଥ୍ୟ ହସ୍ତଗତ କରିଛନ୍ତି। ଦେଶରେ ପ୍ରାୟ ୧୨୦ ନିୟୁତ ଲ୍ୟାଣ୍ଡ ହୋଲ୍ଡିଂ ବା ଜମିଖଣ୍ଡର ମାଲିକ ରହିଥିବା ଚିହ୍ନଟ ହୋଇଛି।
ତେବେ ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ଚାଷୀମାନେ ମୂଳରୁ ବିରୋଧ କରୁଛନ୍ତି। ସରକାରଙ୍କ ତିନି ଚାଷ ସଂପର୍କୀତ ଆଇନକୁ ୯ ମାସ ହେଲା ବିରୋଧ କରାଯାଉଛି। ବିରୋଧୀ ଚାଷୀନେତାମାନଙ୍କର ଅଭିଯୋଗ ହେଉଛି, ବଡ଼ ବଡ଼ ଘରୋଇ କମ୍ପାନୀଙ୍କ ହାତକୁ ଦେଶର ଚାଷ ଓ ଚାଷୀର ଭାଗ୍ୟ ବିକି ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ବଡ଼ କମ୍ପାନୀମାନେ ଦେଶର ଚାଷ ଓ ଚାଷୀଙ୍କୁ ନିୟନ୍ତ୍ରିତ କରିବେ। ଚାଷ ଆଇନକୁ ଗତ ନଭେମ୍ବରରୁ ବିରୋଧ କରୁଥିବା ପଞ୍ଜାବର ସୁଖବିନ୍ଦର ସିଂହ କୁହନ୍ତି, ‘ଏହା ଫଳରେ ସେମାନେ ଦେଶର କେଉଁଠି ଭଲ ଅମଳ ହୋଇନାହିଁ, କେଉଁଠି ଅଧିକ ଅମଳ ହୋଇଛି ଜାଣିଯିବେ। ତେଣୁ ସେମାନେ ଗୋଟେ ଜାଗାରୁ ଶସ୍ତାରେ ଫସଲ କିଣି ଅନ୍ୟ ଜାଗାରେ ଅଧିକ ଦରରେ ବିକ୍ରି କରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କ ତୁଳନାରେ ଖାଉଟି ହିଁ ଅଧିକ କ୍ଷତିଗ୍ରସ୍ତ ହେବେ।’
ଅଭିମନ୍ୟୁ କୋହାର ନାମକ ଅନ୍ୟ ଜଣେ ଚାଷୀ ନେତାଙ୍କ ଅନୁସାରେ ଏହା ଜରିଆରେ କୃଷକମାନଙ୍କର ତଥ୍ୟ ସୁରକ୍ଷିତ ରହିବ ନାହିଁ। ସରକାର ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବାରେ ବିଫଳ ହୋଇଛନ୍ତି। ଅପେକ୍ଷା କୌଶିକ ନାମ୍ନୀ ଜଣେ ବିଶ୍ଳେଷକ କୁହନ୍ତି, ଭାରତର କୃଷି କ୍ଷେତ୍ରରେ କୃଷି ପ୍ରଯୁକ୍ତିର ବ୍ୟବହାର ଅନେକ କମ୍। ଏଭଳି ସ୍ଥଳେ ଡିଜିଟାଲ ପ୍ରଯୁକ୍ତିର ପ୍ରୟୋଗ କେତେ ସଫଳ ହେବ ତାହା କହିହେବ ନାହିଁ।
ଏହା ସତ୍ତ୍ୱେ ମାଇକ୍ରୋସଫ୍ଟ ଦେଶରେ ୧୦୦ ଗାଁ ବାଛି ସାରିଛି। ଏସବୁ ଗାଁରେ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଯାନ୍ତ୍ରିକ ଶିକ୍ଷା ଭିତ୍ତି ପ୍ରତିଷ୍ଠା କରିବ। ଆମାଜନ ମଧ୍ୟ ମୋବାଇଲ୍ ଆପ୍ପ ଜରିଆରେ ଚାଷୀମାନଙ୍କୁ ରିୟଲ-ଟାଇମ ପରାମର୍ଶ ଦେବା ଆରମ୍ଭ କରିସାରିଲାଣି। ଷ୍ଟାର ଏଗ୍ରିବଜାର ଓ ଇଏସଆରଆଇ କମ୍ପାନୀ ମଧ୍ୟ ଚାଷ ଓ ଚାଷୀ ସଂପର୍କୀତ ତଥ୍ୟ ଏକଜୁଟ କରିବାରେ ଲାଗିଗଲେଣି।