ନୂଆଦିଲ୍ଲୀ: ରାଜସ୍ୱର ପରିମାଣ ବଢ଼ୁଥିବାରୁ ୧୨% ଏବଂ ୧୮% ଜିଏସ୍ଟିକୁ ମିଶାଇ ଗୋଟିଏ ସ୍ଲାବ କରାଯିବାର ସମ୍ଭାବନା ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସୋମବାର କହିଛନ୍ତି। ଫଳରେ ଟିକସ ସ୍ଲାବ୍ ୨ଟିରେ ସୀମିତ ରହିବ। ଏକ ଫେସବୁକ୍ ପୋଷ୍ଟ ଜରିଆରେ ସେ କହିଛନ୍ତି, ଭାରତ ପରି ଏକ ବିଶାଳ ବିକାଶଶୀଳ ଦେଶରେ ଗୋଟିଏ ଟିକସ ସ୍ଲାବ୍ ଲାଗୁ କରିବା ଅସମ୍ଭବ ବ୍ୟାପାର।
ଶ୍ରୀ ଜେଟଲୀ କହିଛନ୍ତି, ୨୦ଟି ରାଜ୍ୟର ଜିଏସ୍ଟି ସଂଗ୍ରହ ପରିମାଣ ୧୪%ରୁ ଅଧିକ। ତେଣୁ ଜିଏସ୍ଟି ଲାଗୁ ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ କ୍ଷତିର ଭରଣା ପାଇଁ ସେମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ଦେବାର ଆବଶ୍ୟକତା ଆଉ ନାହିଁ।
ଗତ ମେ’ ମାସରେ ସେ ସ୍ୱାସ୍ଥ୍ୟଗତ କାରଣରୁ ମୋଦି ସରକାରଙ୍କ ଦ୍ୱିତୀୟ ସଂସ୍କରଣରେ ମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଶ୍ରୀ ଜେଟଲୀ କହିଛନ୍ତି ବର୍ତ୍ତମାନ ପ୍ରାୟ ସମସ୍ତ ସାମଗ୍ରୀରେ ୧୮%, ୧୨% କିମ୍ବା ୫% ଜିଏସଟି ଟିକସ ଲାଗୁ ହେଉଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦ ଟିକସ ହ୍ରାସ କରିବା କାରଣରୁ କେନ୍ଦ୍ର ସରକାରଙ୍କୁ ୯୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ବିଳାସମୟ ସାମଗ୍ରୀ ଏବଂ ସିନ୍ ଗୁଡ୍ସ (ବ୍ୟକ୍ତି ଏବଂ ସମାଜ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେଉଥିବା ମଦ, ଡ୍ରଗ୍ସ, ଫାଷ୍ଟ୍ ଫୁଡ୍, କ୍ୟାଣ୍ଡି, କଫି, ସୁଗାର୍, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ସାମଗ୍ରୀ) ବ୍ୟତୀତ ପ୍ରାୟ ଅନ୍ୟ କୌଣସିଥିରେ ୨୮% ଜିଏସ୍ଟି ଲାଗୁନାହିଁ। ୦% ଏବଂ ୫% ତ ଯେମିତି ହେଲେ ରହିବ। ତେବେ ରାଜସ୍ୱ ପରିମାଣ ବଢ଼ିବାରେ ଲାଗିଥିବାରୁ ବର୍ତ୍ତମାନ ୧୨% ସ୍ଲାବ୍ ଏବଂ ୧୮% ମିଶାଇ ଗୋଟିଏ ରେଟ୍ ଲାଗୁ କରାଯାଇପାରିବ।