ଇସଲାମାବାଦ୍: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ୍ ଉଦ୍ ଦାୱା ମୁଖ୍ୟ ହାଫିଜ୍ ସୟିଦ୍ ପୁଣି ଆଇନ ଆଖିରେ ଧୂଳି ଦେବାକୁ ସଫଳ ହୋଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାମ କରୁଥିବାନେଇ ଦାବି କରିଆସୁଥିବାବେଳେ ଆଜି ଏକ ଆତଙ୍କବାଦ ନିରୋଧୀ କୋର୍ଟରେ ହାଫିଜ୍ ଉପରେ ଟେରର ଫାଇନାନ୍ସିଂ ଆରୋପ ଲଗାଇବାରେ ପାକିସ୍ତାନ ବିଫଳ ହୋଇଛି। ଏହି ହାଇ ପ୍ରୋଫାଇଲ ଶୁଣାଣିରେ କର୍ତ୍ତୃପକ୍ଷ ହାଫିଜ୍ର ସହ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିପାରିନଥିଲେ। ଏହା ଆଶ୍ଚର୍ଯ୍ୟଜନକ ମନେ ହେଉଥିଲେ ମଧ୍ୟ ପାକିସ୍ତାନ ପୁଣି ଏଭଳି ଦୋମୁହାଁ ନୀତି ଆପଣାଇଛି।
ଏହି କୋର୍ଟ ଏବେ ଆସନ୍ତା ଡିସେମ୍ବର ୧୧କୁ ଆଗାମୀ ଶୁଣାଣି ତାରିଖ ଭାବେ ଧାର୍ଯ୍ୟ କରିଛି। ଏହି ଦିନ ଲସ୍କର-ଇ-ତାଏବା ପ୍ରତିଷ୍ଠାତା ତଥା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମାଲିକ ଜାଫର ଇକ୍ବାଲ ବିରୋଧରେ ଚାର୍ଜଶିଟ୍ ଫ୍ରେମ୍ କରାଯିବ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ପୁଲିସ୍ର ଆତଙ୍କବାଦ ବିରୋଧୀ ବିଭାଗ ହାଫିଜ୍ ଏବଂ ମାଲିକ୍ ନାମରେ ପ୍ରଥମେ ଏଫ୍ଆଇଆର ରୁଜୁ କରିଥିଲା। ଏହି ମାମଲା ଲାହୋରର କୋର୍ଟ-୧ରେ ଶୁଣାଣି ହେବାର ଥିଲା। କିନ୍ତୁ ମାଲିକ୍ ଜାଫରକୁ ଜେଲ୍ରୁ କୋର୍ଟକୁ ଅଣାଯାଇପାରିନଥିଲା। ଏହି କାରଣରୁ ମାମଲାର ଶୁଣାଣି ଡିସେମ୍ବର ୧୧କୁ ଘୁଞ୍ଚିଯାଇଛି।
ଆଜି କଡ଼ା ସୁରକ୍ଷା ବଳୟରେ ହାଫିଜ୍କୁ କୋର୍ଟକୁ ଅଣାଯାଇଥିଲା। ତେବେ ସୁରକ୍ଷାଗତ କାରଣ ଦର୍ଶାଇ ଗଣମାଧ୍ୟମକୁ ଏହି ମାମଲାର ଖବର ସଂଗ୍ରହ ପାଇଁ ଅନୁମତି ମିଳିନଥିଲା। ଏହା ହାଇପ୍ରୋଫାଇଲ ମାମଲା, କୌଣସି ସ୍ଥିତି ବିଗିଡ଼ିଲେ ପୁଲିସ୍ ସୁରକ୍ଷା ଦେବାରେ ଅସମର୍ଥ ବୋଲି କୁହାଯାଇଥିଲା।
ଅନ୍ୟପକ୍ଷରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଶୁଣାଣିରେ ଇକ୍ବାଲ ଯେମିତି ହେଲେ ହାଜର ହେବାକୁ ବିଚାରପତି ଅର୍ଶାଦ ହୁସେନ୍ ଭୁଟ୍ଟା ନିର୍ଦ୍ଦେଶ ଦେଇଛନ୍ତି।
ପଞ୍ଜାବ ପୁଲିସ୍ର ଆତଙ୍କବାଦ ନିରୋଧୀ ବିଭାଗ ହାଫିଜ୍ ଏବଂ ତା’ର ସହଯୋଗୀଙ୍କ ନାମରେ ୨୩ଟି ମାମଲା ରୁଜୁ କରିଛି। ସେମାନଙ୍କ ନାମରେ ବିଭିନ୍ନ ସହରରେ ଟେରର ଫାଇନାନ୍ସିଂ କରିଥିବା ଅଭିଯୋଗ ରହିଛି। ଅନ୍ତର୍ଜାତୀୟ ସହାୟତା ବନ୍ଦ ଓ କଟକଣା ଆଦି ହେବାପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଥିବା ପାକିସ୍ତାନ ଲସ୍କର ଏବଂ ଜେୟୁଡି ଆଦି ସଂଗଠନକୁ ଟାର୍ଗେଟ୍ କରୁଛି। ଏପରିକି ତଥାକଥିତ ଦାତବ୍ୟ ସଂଗଠନ ଫଲାହ ଇ ଇନ୍ସାନିଅତ୍ ନାମରେ ମଧ୍ୟ ଅଭିଯୋଗ ଆସିଛି। ଏମାନେ ବିଭିନ୍ନ ଟ୍ରଷ୍ଟ ଜରିଆରେ ଆତଙ୍କବାଦ ପାଇଁ ଟଙ୍କା ସଂଗ୍ରହ କରୁଥିବା କୁହାଯାଉଥିଲା। ଏହି ଅଭିଯୋଗ କ୍ରମେ ଆମେରିକା ଏବଂ ଜାତିସଂଘ ପାକିସ୍ତାନକୁ ତାଗିଦ କରିଆସୁଥିଲେ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନର ଏଭଳି ଖୁଲମଖୁଲା କାରବାର ପରେ ଭାରତ ମଧ୍ୟ ପାକିସ୍ତାନ ସହ ଆଲୋଚନା ବନ୍ଦ କରିଦେଇଛି।
ଟେରର୍ ଫଣ୍ଡିଂ ନେଇ ପଞ୍ଜାବ ପୁଲିସ୍ର ସ୍ୱତନ୍ତ୍ର ବିଭାଗ ପକ୍ଷରୁ କୁହାଯାଇଛି, “ଏହି ସନ୍ଦିଗ୍ଧମାନେ ଆତଙ୍କବାଦ ଫାଇନାନ୍ସିଂ ଫଣ୍ଡିଂ ଜରିଆରେ ଅର୍ଥ ଉଠାଇଛନ୍ତି। ଆତଙ୍କବାଦୀ ନିରୋଧୀ ଆଇନ ୧୯୯୭ ଅନୁଯାୟୀ ସେମାନେ ମନି ଲଣ୍ଡରିଂ ପରି ବହୁ ମାମଲାରେ ମଧ୍ୟ ଜଡ଼ିତ ଅଛନ୍ତି। ସେମାନେ ଏସବୁ ଅପରାଧ ଅନୁଯାୟୀ ଆତଙ୍କବାଦ ନିରୋଧୀ କୋର୍ଟରେ ଦଣ୍ଡିତ ହେବେ।”