ନୂଆଦିଲ୍ଲୀ: କରୋନା ମହାମାରୀର ଗେମ ଚେଞ୍ଜର ଭାବେ ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ ଉଭା ହୋଇଛି। ଏକାଧିକ ରାଷ୍ଟ୍ର ଭାରତ ଠାରୁ ଏହି ମେଡିସନ ନେବାକୁ ନିବେଦନ ମଧ୍ୟ କରୁଛନ୍ତି। ହେଲେ ଏହି ଔଷଧ ମନଇଚ୍ଛା ଖାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ମନଇଚ୍ଛା ଏହାକୁ ନ ଖାଇବାକୁ ଆଜି କେନ୍ଦ୍ର ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଆଜି କହିଛନ୍ତି, ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ନର୍ସଙ୍କୁ ଉପଯୁକ୍ତ ପରାମର୍ଶ କ୍ରମେ ଖାଇବାକୁ ଦିଆଯାଇଛି। ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ। ଏପରି କି ଜୀବନ ମଧ୍ୟ ଯାଇପାରେ।
ହୃଦରୋଗୀଙ୍କ ପାଇଁ ଏହି ମେଡିସିନ ଆଦୌ ଠିକ ନୁହେଁ। ଏହା ଖାଇଲେ ସ୍ଥିତି ଆହୁରି ବିଗିଡ଼ି ଯିବାର ଆଶଙ୍କା ରହିଛି। ସେହିପରି ସାଧାରଣ ଲୋକ ଏହାକୁ ଖାଇଲେ ହୃଦରୋଗ ଠାରୁ ଆରମ୍ଭ କରି ଅନେକ ରୋଗର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ହାଇଡ୍ରୋକ୍ସି କ୍ଲୋରକୁଇନ ଖାଇବା ଉଚିତ ନୁହେଁ।”
ହାଇଡ୍ରୋକ୍ସି କ୍ଲୋରୋକୁଇନ କରୋନାକୁ ମାତ ଦେଉଥିବା ଜଣାପଡ଼ିବା ପରେ ଅନେକ ଲୋକ ଏହାକୁ ଖାଇବାକୁ ଚିନ୍ତା କରୁଥିବା ଖବର ମିଳିଥିଲା। ହେଲେ ଏହା ସ୍ଥିତିକୁ ଆହୁରି ସାଂଘାତିକ କରିବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏଭଳି ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।