ତାଇୱାନରେ ଲ୍ୟାଣ୍ଡ କଲେ ନାନ୍ସି, ଧସେଇ ପଶିଲା ଚାଇନାର ୨୧ ଯୁଦ୍ଧ ବିମାନ

ତାଇପେଇ: ଚାଇନାର ଖୁଲମଖୁଲା ଧମକ ଓ ନାଲି ଆଖିକୁ ଖାତିର ନ କରି ଶେଷରେ ଗତକାଲି ରାତିରେ ତାଇୱାନରେ ପହଞ୍ଚିଛନ୍ତି ଆମେରିକାର ଲୋକସଭାର ବାଚସ୍ପତି ନାନ୍ସି ପେଲୋସି । କଡ଼ା ସୁରକ୍ଷା ମଧ୍ୟରେ ନାନ୍ସିଙ୍କୁ ନେଇ ଯାଇଥିବା ଆମେରିକାର ବାୟୁସେନା ବିମାନ ତାଇୱାନର ରାଜଧାନୀ ତାଇପେଇରେ ପହଞ୍ଚିଛି । ଏହି ସମୟ ମଧ୍ୟରେ  ଆମେରିକାର ଯୁଦ୍ଧ ଜାହାଜକୁ ଆଲର୍ଟ ମୋଡରେ ରଖାଯାଇଥିଲା। ଚୀନ୍‌ର ଧମକକୁ ଖାତିର ନ କରି ନାନ୍ସି ତାଇୱାନ ମାଟିରେ ପାଦ ଦେଇଥିବାରୁ  ଚୀନ୍ […]

nancy-pelosi

  • Published: Wednesday, 03 August 2022
  • , Updated: 03 August 2022, 10:41 AM IST

ତାଇପେଇ: ଚାଇନାର ଖୁଲମଖୁଲା ଧମକ ଓ ନାଲି ଆଖିକୁ ଖାତିର ନ କରି ଶେଷରେ ଗତକାଲି ରାତିରେ ତାଇୱାନରେ ପହଞ୍ଚିଛନ୍ତି ଆମେରିକାର ଲୋକସଭାର ବାଚସ୍ପତି ନାନ୍ସି ପେଲୋସି । କଡ଼ା ସୁରକ୍ଷା ମଧ୍ୟରେ ନାନ୍ସିଙ୍କୁ ନେଇ ଯାଇଥିବା ଆମେରିକାର ବାୟୁସେନା ବିମାନ ତାଇୱାନର ରାଜଧାନୀ ତାଇପେଇରେ ପହଞ୍ଚିଛି । ଏହି ସମୟ ମଧ୍ୟରେ  ଆମେରିକାର ଯୁଦ୍ଧ ଜାହାଜକୁ ଆଲର୍ଟ ମୋଡରେ ରଖାଯାଇଥିଲା।

ଚୀନ୍‌ର ଧମକକୁ ଖାତିର ନ କରି ନାନ୍ସି ତାଇୱାନ ମାଟିରେ ପାଦ ଦେଇଥିବାରୁ  ଚୀନ୍ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲି ନାହିଁ। ଏହି ସମୟରେ ଚାଇନାର ୨୧ ଟି ଯୁଦ୍ଧ ବିମାନ ତାଇୱାନର ବାୟୁସୀମାରେ ପ୍ରବେଶ  କରିଥିଲା।  ଏହା ମଧ୍ୟରେ ଚୀନ୍‌ର ସୁଖୋଇ-୩୫ ଫାଇଟର ବିମାନ ମଧ୍ୟ ରହିଥିଲା। ବେଜିଂର ଷ୍ଟେଟ ମିଡିଆ ପକ୍ଷରୁ ମଙ୍ଗଳବାର ରାତିରେ ଏହା ସ୍ପଷ୍ଟ କରାଯାଇଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଥମେ ଚାଇନା ବିମାନ ଏହା ସୀମାରେ ପ୍ରବେଶ କରିଥିବା ଘଟଣାକୁ ଅସ୍ୱୀକାର କରିଥିଲା।  ମାତ୍ର ପରେ ଏହାକୁ ମନ୍ତ୍ରାଳୟ ପକ୍ଷରୁ ସ୍ୱୀକାର କରାଯାଇଥିଲା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ କହିଛି ଯେ ୨୦ରୁ ଅଧିକ ଚୀନ୍ ଯୁଦ୍ଧ ବିମାନ ବାୟୁ ପ୍ରତିରକ୍ଷା ପରିଚୟ ଜୋନ୍ (ADIZ) ରେ ପ୍ରବେଶ କରିଛି।

ଏହାକୁ ନେଇ ଉଭୟ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ଚାରିଟି ଆମେରିକୀୟ ଯୁଦ୍ଧ ଜାହାଜ ସମେତ ଏକ ବିମାନ ପରିବହନକାରୀ ଜାହାଜ ତାଇୱାନର ପୂର୍ବରେ ମୁତୟନ ହୋଇଛି। ଏହାକୁ ଦେଶର ନୌସେନାର ନିୟମିତ ପ୍ରକ୍ରିୟା ବୋଲି କୁହାଯାଇଛି।

ଚୀନ୍‌ ତାଇୱାନକୁ ନିଜର ଅଂଶବିଶେଷ ବୋଲି ଦାବି କରି ଆସୁଛି। ଏଥିସହ ଦୀର୍ଘ ଦିନ ଧରି ବେଜିଂର କଡ଼ା ସମାଲୋଚକ ପେଲୋସିଙ୍କ ସ୍ୱୟଂଶାସିତ ତାଇୱାନ ଯାତ୍ରାକୁ ଚାଇନା କଡ଼ା ବିରୋଧ କରି ଆସୁଛି। ଏଥିସହ ତାଇୱାନ ମାଟିରେ ପେଲୋସି ପାଦ ନ ଦେବାକୁ ଖୁଲମଖୁଲା ଚେତାବନୀ ଦେଇଥିଲା। ଏପରିକି ପେଲୋସିଙ୍କ ଗସ୍ତ କଲେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମରେ କହିଥିଲା। ନାନ୍ସି ପେଲୋସି  ଗତ ୨୫ ବର୍ଷ ମଧ୍ୟରେ ଦୀପ ରାଷ୍ଟ୍ର ତାଇୱାନରେ ପାଦ ଦେଇଥିବା ଆମେରିକୀୟ ରାଜନେତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।  ଏହି ଘଟଣାକୁ ନେଇ ଉଭୟ ଆମେରିକା ଓ ଚାଇନା ଏବେ ମୁହାଁମୁହିଁ ହୋଇଥିବା ବେଳେ  ବୃହତ୍ତମ ଅର୍ଥନୀତି ପାଇଁ ଏହା ଏକ ସଙ୍କଟ ଭାବେ ଉଭା ହେଉଛି।

କିଛି ଦିନ ପୂର୍ବରୁ ପେଲୋସିଙ୍କ ତାଇୱାନ ଗସ୍ତ ଖବର ପାଇବା ପରେ ଚୀନ୍ ଏହାକୁ ବିରୋଧ କରିବାକୁ ଲାଗିଲା। ଚୀନ୍ ଚେତାବନୀ ଦେଇଥିଲା ଯେ ଯଦି ନାନ୍ସି ଏହି ଦୀପଦେଶରେ ପାଦ ପକାଇବାର ସାହସ କରନ୍ତି, ତେବେ ତା’ର ସେନା କେବେ ହାତ ଉପରେ ହାତ ପକାଇ ବସି ରହିବାର ମୁର୍ଖାମୀ କରିବ ନାହିଁ ।

ପେଲୋସିଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ସ୍ପଷ୍ଟ କରାଯାଇଥିଲା ଯେ, କଂଗ୍ରେସ ପ୍ରତିନିଧୀ ଦଳର ନେତୃତ୍ୱ ନେଇ ସେ ବିଭିନ୍ନ ଦେଶ ଯାତ୍ରା କରିବେ। ତାଙ୍କର ଏହି ଭ୍ରମଣ କାଳ ମଧ୍ୟରେ ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ ଏବଂ ଜାପାନ ଗସ୍ତ  ଅନ୍ତର୍ଭୁକ୍ତ ଥିବା ଉଲ୍ଲେଖ ଥିବା ବେଳେ ତାଇୱାନ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ।

ଅପରପକ୍ଷେ, ଚୀନ୍  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ସୋମବାର କହିଥିଲେ, ଯେ ଯଦି ପେଲୋସି ତାଇୱାନ ଗସ୍ତ କରନ୍ତି ତେବେ ଏହା ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ଏକ ପ୍ରମୁଖ ହସ୍ତକ୍ଷେପ ହେବ। ଏହାର ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ  ଦେଇଥିଲେ।

Related story