ବେଙ୍ଗାଲୁରୁ: କର୍ଣ୍ଣାଟକାରେ ନବ ଗଠିତ ୟେଦ୍ୟୁରପ୍ପା ସରକାର ସୋମବାର ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଏଭଳି ସ୍ଥିତିରେ ବିଜେପି ବହୁମତ ସାବ୍ୟସ୍ତ କରିବ ବୋଲି କହିଥିଲେ ହେଁ ଏହି ଦାବି ପଛରେ ପୂର୍ଣ୍ଣ ଆତ୍ମବିଶ୍ୱାସ ନଥିଲା।
ତେବେ ଜେଡିଏସ ବିଧାୟକ ବାହାରୁ ୟେଦ୍ୟୁରପ୍ପା ସରକାରକୁ ସମର୍ଥନ କରିବ ବୋଲି ଜେଡିଏସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜି.ଟି ଦେବଗୌଡା କହିଛନ୍ତି। ଏପରି ହେଲେ ବିଜେପିକୁ ଗୃହରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ସହଜ ହେବ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତଥା ଜେଡିଏସ ବିଧାୟକ ଦଳର ନେତା ଏପରି ସମର୍ଥନ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଜେପି ସରକାରକୁ ସମର୍ଥନ କରିବା ପାଇଁ ଜେଡିଏସ ଦଳର କିଛି ବିଧାୟକ କୁମାରସ୍ୱାମୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶୁକ୍ରବାର ପୂର୍ବତନ ମନ୍ତ୍ରୀ ଟି ଦେବଗୌଡ଼ା ବିଜେପିକୁ ସମର୍ଥନ କରିବା କଥା କହିଥିଲେ ମଧ୍ୟ କୁମାରସ୍ୱାମୀ ତାଙ୍କ ମତାମତ ଏଯାଏ ରଖି ନାହାନ୍ତି। ତେବେ ଜେଡିଏସ ସହ ମେଣ୍ଟ ସମ୍ଭାବନାକୁ ନେଇ ନିକଟରେ ୟେଦ୍ୟୁରପ୍ପା କହିଥିଲେ ଆଞ୍ଚଳିକ ଦଳ ସହ ପୂର୍ବରୁ ମଧ୍ୟ ମେଣ୍ଟ ହୋଇଥିଲା। କିନ୍ତୁ ଏହାର ପରିଣାମ ଖରାପ ଥିଲା ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ୨୦୦୬ରେ ବିଜେପି ଜେଡିଏସ ମେଣ୍ଟ ହୋଇଥିଲା। ଏହାପରେ ଅଧା ଅଧା କରି ଦୁଇ ଦଳର ନେତା ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରଥମେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବା ପାଇଁ ବିଜେପିର ସମୟ ଆସିଲା ବେଳକୁ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ ମେଣ୍ଟରୁ ଓହରି ଯାଇଥିଲା।