ନୂଆଦିଲ୍ଲୀ: କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି। ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ। ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି।
ହେଲେ ଏହି ମାସ୍କ ବଜାର ଦର ୭୦ରୁ ୮୦ଟଙ୍କାରୁ କମରେ ମିଳୁନାହିଁ। ତେଣୁ ଲୋକଙ୍କୁ ଅଯଥା ଖର୍ଚ୍ଚରୁ ମୁକ୍ତି ଦେବାକୁ ନୂଆ ମେସିନ ସାମ୍ନାକୁ ଆସିଛି। ଏନ-୯୫ ମାସ୍କକୁ ପୁନର୍ବାର ବ୍ୟବହାର ଯୋଗ୍ୟ କରାଇବା ପାଇଁ ଦିଲ୍ଲୀ ଆଇଆଇଟି ଏକ ମେସିନ ଉଦ୍ଭାବନ କରିଛି।
ଏହା ବାୟୋ ମେଡିକାଲର ବଜ୍ୟବସ୍ତୁକୁ ସଂକ୍ରମଣ ମୁକ୍ତ କରିବା ସହ ଏମ-୯୫ ମାସ୍କକୁ ମଧ୍ୟ ସଂକ୍ରମଣ ମୁକ୍ତ କରିବାର କ୍ଷମତା ରଖିଛି। ଗୋଟିଏ ମାସ୍କକୁ ୧୦ଥର ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ କରାଇପାରିବ ଏହି ମେସିନ। ଏହାର ନାମ ‘ଚକର ଦେ କୋଭ‘ ରଖାଯାଇଛି । ଏହାକୁ ଆଇସିଏମଆର ମଧ୍ୟ ଗ୍ରୀନ ସିଗ୍ନାଲ ଦେଇଛି।
ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଏହି ଯନ୍ତ୍ରଟି ଓଜୋନ ଗ୍ୟାସ ଦ୍ୱାରା ଜୀବାଣୁ ମୁକ୍ତ କରିବ। ଏହା ମାସ୍କରୁ ପ୍ରାୟ ୯୯.୯୯% ଜୀବାଣୁ ଓ ଭାଇରସକୁ ମାରିପାରିବାର କ୍ଷମତା ରଖିଛି। ଏହା ଗୋଟିଏ ମାସ୍କ ବ୍ୟବହାର ଯୋଗ୍ୟ କରିବା ପାଇଁ ୯୦ ମିନିଟ୍ ସମୟ ନେବ। ଏହା ସହ ମେସିନ ଦ୍ୱାରା ମାସ୍କକୁ ସଂକ୍ରମଣ ମୁକ୍ତ କରି ଏହାକୁ ୧୦ ଥର ବ୍ୟବହାର ଉପଯୋଗୀ କରିପାରିବ।