ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ବୈଠକରେ ପାକିସ୍ତାନ ଅଭିଯୋଗ କରିଛି କଶ୍ମୀରରେ ଅଳ୍ପସଂଖ୍ୟକ ଅସୁରକ୍ଷିତ। ଅନ୍ୟପଟେ ଠିକ ସେହି ଦିନ ଖୋଦ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳର ନେତା ତଥା ପୂର୍ବତନ ବିଧାୟକ ବଲଦେବ କୁମାର କହିଛନ୍ତି ପାକିସ୍ତାନରେ ସଂଖ୍ୟାଲଘୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ ଅସୁରକ୍ଷିତ।
ଏବେ ସେ ଅତ୍ୟାଚାରେ ଅସହ୍ୟ ହୋଇ ଭାରତର ଶରଣ ଲୋଡ଼ିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫର ଜଣେ ସକ୍ରିୟ ନେତା ବଲଦେବ। ପାକିସ୍ତାନର ଖାଇବର ପାଖତୁଖାବା ପ୍ରଦେଶର ବାରିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ବର୍ତ୍ତମାନ ସେ ପଞ୍ଜାବର ଖନ୍ନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି ବୋଲି କହିଛନ୍ତି। ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ବଦଳିଯିବ ବୋଲି ସେ ଭାବୁଥିଲେ। କିନ୍ତୁ ଏବେ ସ୍ଥିତି ଆହୁରି ଓଲଟା ବୋଲି କହିଛନ୍ତି। ଇମ୍ରାନଙ୍କ କାର୍ଯ୍ୟକାଳ ସମୟରେ ହିନ୍ଦୁ ଏବଂ ଶିଖ୍ମାନଙ୍କ ଉପରେ ଅଧିକ ଅତ୍ୟାଚାର ବଢ଼ିବା ସାଙ୍ଗକୁ ତାଙ୍କୁ ହତ୍ୟା କରାଯାଉଛି ବୋଲି ସେ କହିଛନ୍ତି।
ଏବେ ସେ ଓ ତାଙ୍କ ପରିବାର ପାକିସ୍ତାନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେ ଭାରତରେ ରହିବା ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଛନ୍ତି। ଆଉ କେବେ ପାକିସ୍ତାନ ଫେରିବେ ନାହିଁ ବୋଲି ମଧ୍ୟ ସର୍ତ୍ତ ରଖିଛନ୍ତି।
ଗତ ଅଗଷ୍ଟ ୧୨ରେ ତିନି ମାସିଆ ଭିସା ନେଇ ଭାରତ ଆସିଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ପଞ୍ଜାବ ଲୁଧିଆନାରେ ଥିବା ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇଛନ୍ତି। ଏବେ ସେ ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି। ତେଣୁ ଭାରତ ସରକାର ତାଙ୍କୁ ରହିବା ପାଇଁ ଅନୁମତି ଦେଉ ବୋଲି ସେ ଅପିଲ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।