ଚଳିତବର୍ଷ ମୋଦି ସରକାର ଦ୍ୱିତୀୟ ଥର ପାଇଁ ଶାସନ ଗାଦି ଦଖଲ କରିଥିଲେ। ସରକାର ଗଠନ କରିବାର ୭ ମାସ ଭିତରେ ଦୁଇ ଥର ସଂସଦ ବସିଛି। ଏହାରି ଭିତରେ ମୋଦି ସରକାର ଅନେକ ବିଧେୟକକୁ ପାସ୍ କରି ଆଇନରେ ପରିଣତ କରିଛନ୍ତି। ଏଥିମଧ୍ୟରୁ କିଛି ବିଧେୟକ ରହିଥିଲା ଯାହାକି ମୋଦି ତାଙ୍କ ପ୍ରଥମ ସରକାରରେ ରାଜ୍ୟସଭାରେ ଗୃହୀତ କରିବାରେ ବିଫଳ ହୋଇଥିଲେ। ତେବେ ଚଳିତ ଥର ସରକାର ଯେଉଁ ସବୁ ଆଇନ ଆଣିଛନ୍ତି ସେଥିମଧ୍ୟରୁ ଅନେକ ପ୍ରସଙ୍ଗ ସଡ଼କରେ ସରକାର ବିରୋଧରେ ନାରାବାଜି ଦେଖିବାକୁ ମିଳିଛି। ଖାଲି ଜନସାଧାରଣ ନୁହଁ ବିରୋଧୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି, ହେଲେ ସରକାର ନିଜ ନିଷ୍ପତ୍ତିରେ କେବେ ପରିବର୍ତ୍ତନ କରିନାହାନ୍ତି।
ନାଗରିକତା ସଂଶୋଧନ ଆଇନ୍
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାଗରିକତା ସଂଶୋଧନ ବିଧେୟକ-୨୦୧୯କୁ ଅନୁମୋଦନ ଦେଇଛନ୍ତି। ଫଳରେ ଏହି ବିବାଦୀୟ ବିଧେୟକ ଏବେ ଆଇନରେ ପରିଣତ ହୋଇଛି। ଏ ନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମରୁ ଲୋକଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବେ। ପୂର୍ବରୁ ୧୨ ବର୍ଷ ସହିତ ନିଜ ନିଜ ଦେଶର ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଭାରତ ସରକାର ନାଗରିକତା ପ୍ରଦାନ କରୁଥିଲେ। ଏବେ ୬ ବର୍ଷରେ ନାଗରିକତା ମିଳିବ ବୋଲି ସରକାର କହିଛନ୍ତି। ୯ ତାରିଖ ଲୋକସଭାରେ ଏବଂ ୧୧ ତାରିଖ ରାଜ୍ୟସଭାରେ ଏହି ବିଧେୟକ ଗୃହୀତ ହୋଇଥିଲା।
ଧାରା ୩୭୦ ଉଚ୍ଛେଦ ହଟିଲା
ଅଗଷ୍ଟ ୫ରେ ମୋଦି ସରକାର ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏହି ଆଇନ୍ ଆଧାରରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା। ଏମିତିକି ଜମ୍ମୁ କଶ୍ମୀରର ଏକ ସମ୍ୱିଧାନ ଥିଲା। ମୋଦି ସରକାର କିନ୍ତୁ ଏହି ଧାରା ୩୭୦କୁ ଉଚ୍ଛେଦ କରିଥିଲେ।
ଜମ୍ମୁ ଏବଂ କଶ୍ମୀର ପୁନର୍ଗଠନ ଆଇନ୍
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ପୁନର୍ଗଠନ କରିଥିଲେ। ଫଳରେ ଜମ୍ମୁ କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଗୋଟିଏ ଜମ୍ମୁ କଶ୍ମୀର ଅନ୍ୟଟି ଲଦାଖ। ଅକ୍ଚୋବର ୩୧ରେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଜମ୍ମୁ ଏବଂ କଶ୍ମୀର ରିଅର୍ଗାନାଇଜେସନ ବିଲ୍ ୨୦୧୯ ଲାଗୁ ହୋଇଥିଲା। ଧାରା ୩୭୦ ଉଚ୍ଛେଦ ବେଳେ ଏହି ଜମ୍ମୁ କଶ୍ମୀର ପୁନର୍ଗଠନ ବିଧେୟକ ସଂସଦରେ ଆସିଥିଲା। ଅଗଷ୍ଟ ୫ରେ ରାଜ୍ୟସଭା, ଅଗଷ୍ଟ ୬ରେ ଲୋକସଭା ଏବଂ ଅଗଷ୍ଟ ୯ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଊ କରିଥିଲା।
ମୋଟର ଭେଇକିଲ୍ ଆଇନ୍
ସେପ୍ଟେମ୍ୱର ୧ରୁ ଦେଶରେ ଲାଗୁ ହୋଇଛି ନୂଆ ସଂଶୋଧିତ ମୋଟର ଯାନ ଆଇନ। ଚଳିତବର୍ଷ ଜୁଲାଇ ୧୫ରେ ଲୋକସଭାରେ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସଂଶୋଧିତ ମୋଟର ଯାନକୁ ଆଗତ କରିଥିଲେ। ଏହା ୧୯୮୮ ମସିହା ମୋଟର ଯାନ ଆଇନର ସଂଶୋଧନ। ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଓ ବେଆଇନ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ପାଇଁ ସରକାର ଏହି ଆଇନ୍ ଆଣିଥିଲେ। ଜୋରିମାନା ପରିମାଣ ଅଧିକ ରହିବାରୁ ଏହି ଆଇନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତିନି ତଲାକ ଆଇନ୍
ଜୁଲାଇରେ ତିନି ତଲାକ୍ ବିଧେୟକ ସଂସଦରେ ଗୃହୀତ ହୋଇଥିଲା। ଜୁଲାଇରେ ସଂସଦର ଏହି ବିଧେୟକ ଗୃହୀତ ହୋଇଥିଲା। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ ଏହି ବିଧେୟକକୁ ଆଗତ କରିଥିଲେ। ଏହି ଆଇନ ଅନୁସାରେ ତିନି ତଲାକ୍ ପ୍ରଚଳନକୁ ଅବୈଧ ଏବଂ ବେଆଇନ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ ହେଲେ ୩ ବର୍ଷର ଦଣ୍ଡବିଧାନ ଏବଂ ଜରିମାନାର ବ୍ୟବସ୍ଥା ରହିଛି। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ଆଇନ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଏନଆଇଏ ସଂଶୋଧନ ଆଇନ୍
ଜୁଲାଇରେ ମୋଦି ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସଂଶୋଧନ ବିଧେୟକ ସଂସଦରେ ଆଣିଥିଲେ। ଜୁଲାଇ ୨୫ରେ ଲୋକସଭା ଏବଂ ଜୁଲାଇ ୩୦ରେ ରାଜ୍ୟସଭାରେ ଏହି ବିଧେୟତ ଗୃହୀତ ହୋଇଥିଲା। ଏହି ଆଇନ୍ ଅନୁଯାୟୀ, ବିଦେଶରେ ଏନ୍ଆଇଏ ତଦନ୍ତ କରିପାରିବ। ଏହାବାଦ୍ ସାଇବର କ୍ରାଇମ ଏବଂ ମାନବ ଚାଲାଣ ଘଟଣାର ତଦନ୍ତ ଏନ୍ଆଇଏ କରିବ। ସଂସଦରେ ଏହି ବିଧେୟକ ଗୃହୀତ ହେବା ବେଳେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏନଆଇଏକୁ ରାଜନୀତିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରନ୍ତି ସରକାର ବୋଲି ବିରୋଧୀ ଅଭିଯୋଗ କରିଥିଲେ।