ଚୀନ୍ ସପକ୍ଷରେ ଅଣ୍ଟା ଭିଡ଼ିବା WHO ପାଇଁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଏବେ ଚୀନର ଏହି ଘୋଷଣା ପରେ ପ୍ରଥମରୁ କରୋନା ଭାଇରସର ଉତ୍ପତ୍ତି ନେଇ ବେଜିଂ ସପକ୍ଷରେ ଯୁକ୍ତି ବାଢୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କୁହାଯାଉଛି ଚୀନର ୟୁଟର୍ଣ ପରେ କରୋନା […]

who

Subhransu Sekhar
  • Published: Monday, 18 May 2020
  • , Updated: 18 May 2020, 08:44 PM IST

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଏବେ ଚୀନର ଏହି ଘୋଷଣା ପରେ ପ୍ରଥମରୁ କରୋନା ଭାଇରସର ଉତ୍ପତ୍ତି ନେଇ ବେଜିଂ ସପକ୍ଷରେ ଯୁକ୍ତି ବାଢୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କୁହାଯାଉଛି ଚୀନର ୟୁଟର୍ଣ ପରେ କରୋନା ଭାଇରସ ଉତ୍ପତ୍ତି ବାବଦରେ WHO ଫସିଯିବନି ତ?

କରୋନା ମହାମାରୀ ବ୍ୟାପିବା ପଛରେ ଚୀନ ମୁଖ୍ୟ ଖଳନାୟକ। ଏଭଳି ଅଭିଯୋଗ ଆମେରିକା ପାଖରୁ ଆରମ୍ଭ କରି ଅନେକ ଦେଶ କରୁଛନ୍ତି। ଚୀନର ଉହାନରୁ ଏହି ମହାମାରୀ ଗତ ଡିସେମ୍ୱରରେ ପ୍ରଥମେ ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ୨୧୦ଟି ଦେଶକୁ ଏହି ଭାଇରସ ବିସ୍ତାର ହୋଇ ଏଯାବତ ୪,୮୩୩,୪୬୩ ଜଣ ସଂକ୍ରମିତ ହୋଇଛନ୍ତି। ମୋଟ୍ ୩୧୭,୨୨୫ ଜଣଙ୍କର ମୃତ୍ୟୁ ଘଟିଛି।

ଚୀନ ଏଭଳି ଭାଇରସ ବାବଦରେ ବିଳମ୍ୱରେ ସୂଚନା ଦେବାରୁ ସାରା ବିଶ୍ୱ ଏଥିପାଇଁ ପ୍ରଭାବିତ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଅଭିଯୋଗ କରିଥିଲେ। କରୋନା ତଦନ୍ତ ପାଇଁ ଆମେରିକା ଯେତେବେଳେ ଚୀନକୁ ଅନୁରୋଧ କରିଥିଲା ସେତେବେଳେ ଚୀନ୍ ଅନୁରୋଧ ଖାରଜ କରିଦେଇଥିଲା। ତେବେ ଆମେରିକାର ଅଭିଯୋଗକୁ ଚୀନ୍ ସରକାର ବାରମ୍ବାର ଖାରଜ କରିଆସୁଥିଲେ। ଏହାପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନାକୁ ଚାଇନିଜ ଭାଇରସ କହିଥିଲେ, ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଥିଲେ ଏହା ଉହାନ ଭାଇରସ।

ହେଲେ ଆମେରିକାର ଏହି ଅଭିଯୋଗକୁ ଖାରଜ କରିଥିଲା WHO। ନିଜେ ପ୍ରେସ କନଫରେନସ କରି ଟେଡ୍ରୋସ ଆଢ଼ାନମ୍ ଆମେରିକାର ଅଭିଯୋଗକୁ ଖାରଜ କରିଥିଲେ। ଏବଂ ଚୀନରୁ ବ୍ୟାପିଥିବାର କୌଣସି ପ୍ରମାଣ ନାହିଁ କହି ଚୀନ୍ ସପକ୍ଷରେ ଓକିଲାତି କରିଥିଲେ। ଏହାପରେ ଟ୍ରମ୍ପ ଆରମ୍ଭ କରିଛନ୍ତି ‘ମିଶନ୍ ଚୀନ୍’। ଏମିତିକି WHO ଫଣ୍ଡକୁ ଆମେରିକା ପଇସା ଦେବନି ବୋଲି ଘୋଷଣା କରିଥିଲେ ଏବେ ଟ୍ରମ୍ପ ନିଷ୍ପତ୍ତି ପରିବର୍ତ୍ତନ କରିଥିବା ଜଣାପଡ଼ିଛି।

WHO ବିଳମ୍ୱରେ କରୋନା ବାବଦରେ ଅବଗତ କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ। ଏମିତିକି ଚୀନ୍ ସପକ୍ଷରେ WHO ଓକିଲାତି କରୁଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ହେଲେ ଏହି ଅଭିଯୋଗକୁ WHO ଖଣ୍ଡନ କରିଆସୁଥିଲା। WHO ଖଣ୍ଡନ କରିଆସୁଥିଲେ ମଧ୍ୟ ଏହି ଭାଇରସକୁ ଚୀନ୍ ଭାଇରସ ବୋଲି ଆମେରିକା ରାଷ୍ଟ୍ରପତି କହୁଥିବା ବେଳେ ଉହାନ ଭାଇରସ ବୋଲି କହୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ।

ସୂତ୍ର ଅନୁସାରେ ଚୀନ୍ ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସଙ୍କୁ କରୋନା ଭାଇରସ ବାବଦରେ ସୂଚନା ଲୁଚାଇବାକୁ ନିବେଦନ କରିଥିଲେ। ଏମିତିକି ବିଳମ୍ୱରେ ଏ ବାବଦରେ ବିଶ୍ୱବାସୀଙ୍କୁ ଅବଗତ କରାଇବାକୁ ଚୀନ୍ ରାଷ୍ଟ୍ରପତି ନିବେଦନ କରିଥିଲେ। ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ନିଜ ଦେଶର ଗୁଇନ୍ଦା ରିପୋର୍ଟକୁ ଆଧାର କରି ଜର୍ମାନୀର ଏହି ପ୍ରମୁଖ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି।

ଜାନୁଆରୀ ୨୧ରେ ଜିଙ୍ଗପିଙ୍ଗ ଓ WHO ପ୍ରମୁଖ ଟେଡ୍ରୋସଙ୍କ ସହିତ ଏଭଳି ଆଲୋଚନା ହୋଇଥିବା ରିପୋର୍ଟରେ ଦାବି ହୋଇଛି। ଜର୍ମାନୀର ଗୁଇନ୍ଦା ବିଏନଡି ଏଭଳି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଆଲୋଚନା ବେଳେ କରୋନା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ବ୍ୟାପୁଥିବା ବାବଦରେ ଲୁଚାଇବା ସହିତ ବିଳମ୍ୱରେ ଅବଗତ କରାଇବାକୁ ଜିଙ୍ଗପିଙ୍ଗ୍ ଅନୁରୋଧ କରିଥିଲେ। ତେଣୁ ବିଳମ୍ୱରେ WHOକୁ କରୋନା ବାବଦରେ ବିଶ୍ୱବାସୀକୁ ଅବଗତ କରାଇଥିବା ଆକଳନ କରାଯାଉଛି।

ରବିବାର ଚୀନର ନେଶନାଲ ହେଲଥ କମିଶନ ଏବଂ ସାଇନ୍ସ ଆଣ୍ଡ ଏଜୁକେଶନ ଡିପାର୍ଟମେଣ୍ଟର ଅଧିକାରୀ କହିଥିଲେ, କରୋନା ଭାଇରସର ପ୍ରାଥମିକ ନମୁନାକୁ ନଷ୍ଟ କରାଯାଇଛି। ଚୀନ୍ ସରକାର ଏ ନେଇ ନିର୍ଦ୍ଦେଶ ଦେଇଥିଲେ। ବାୟୋସେଫ୍ଟି ପାଇଁ ଏଭଳି ନିର୍ଦ୍ଦେଶ ଦେଇଥିଲେ ଚୀନ୍ ସରକାର।

ସେହିପରି WHOର ଫୁଡ୍ ସେଫଟି ଜୁନାଟିକ ଭାଇରସର ଏକ୍ସପୋର୍ଟ ଡକ୍ଟର ପିଟର ବେନ୍ ଏମ୍ୱରେକ କହିଥିଲେ, କରୋନା ବ୍ୟାପିବା ପଛରେ ଚୀନର ଉହାନ ବଜାରର ଭୂମିକା ରହିଛି। ବଜାରକୁ କିଭଳି ଏହି କରୋନା ଭାଇରସ ଆସିଲା ସେ ବାବଦରେ ଗବେଷଣା କରିବା ଦରକାର। ଜୀବଜନ୍ତୁଙ୍କ ପାଖରୁ ନା ସଂକ୍ରମିତ ଦୋକାନୀ କିମ୍ବା କିଣୁଥିବା ଲୋକ ଏହି ଭାଇରସକୁ ନେଇ ବଜାରକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଥିଲେ।

ଏବେ କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ପଇସା ଦିଆଯିବ ବୋଲି କରୋନା ମହାମାରୀର ପ୍ରମୁଖ ଭିଲେନ୍ କୁହାଯାଉଥିବା ଜିଙ୍ଗପିଙ୍ଗ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ହେଲଥ ଆସେମ୍ୱଲିର ୭୩ତମ ବୈଠକ ଅବସରରେ ସେ ଏଭଳି କହିଛନ୍ତି। ଯଦି କରୋନା ଭାଇରସ ଚୀନରୁ ବ୍ୟାପିନାହିଁ ତା’ହେଲେ ୧୫ ହଜାର ୧୬୬ କୋଟି ଟଙ୍କା ଦେବାକୁ ଚୀନ୍ ରାଷ୍ଟ୍ରପତି କାହିଁକି ଘୋଷଣା କରିଛନ୍ତି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅନ୍ୟପଟେ WHOର ପ୍ରମୁଖ ଏବେ ନିରବ ରହିଛନ୍ତି।

Related story