ଭୋପାଲ: ପରସ୍ପରକୁ ପଥର ମାରିବା ପାଇଁ ପର୍ବ ‘ଗୋଟ୍ମାର’। ଏହା ପୁଣି ବର୍ଷ ବର୍ଷ ଧରି ପାଳିତ ହୋଇଆସୁଛି। ମଧ୍ୟପ୍ରଦେଶର ଚିନ୍ଦୱାରାଠାରେ ପାଳିତ ହେଉଥିବା ଏହି ପର୍ବରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏଥିରେ ଗୁରୁତର ଭାବେ ଆହତ ୧୨ ଜଣ ଲୋକ ପନ୍ଧୁନ୍ନା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଗତ ୪୦୦ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ‘ଗୋଟ୍ମାର’ ପର୍ବରେ ପନ୍ଧୁନ୍ନା ଏବଂ ସାୱରଗାଓଁର ଜାମ୍ ନଦୀର ଦୁଇପଟେ ଏକାଠି ହୁଅନ୍ତି। ନଦୀ ମଝିରେ ପୋତାଯାଇଥିବା ପତାକା ହାସଲ କରିବା ପାଇଁ ଉଭୟ ଗାଁର ଲୋକଙ୍କୁ ବିପରୀତ ଦିଗରୁ ଆସୁଥିବା ଏହି ପଥର ମାଡ଼ ସହିତ ଲଢ଼ିବାକୁ ପଡ଼େ। ଚଳିତ ବର୍ଷ ପନ୍ଧୁନ୍ନା ଗାଁ ବିଜୟୀ ହୋଇଥିଲା।
କିମ୍ବଦନ୍ତୀ ଅନୁଯାୟୀ, ପନ୍ଧୁନ୍ନା ଗାଁର ଗୋଟିଏ ପୁଅ ସାୱରଗାଓଁର ଗୋଟିଏ ଝିଅକୁ ଉଠାଇଆଣିଥିଲା। ଏଥିପାଇଁ ନଦୀ ପାର ହେବାବେଳେ ସାୱରଗାଓଁର ଲୋକେ ଟେକା ମାଡ଼ କରିଥିଲେ। ପନ୍ଧୁନ୍ନା ଗାଁ ଲୋକେ କିନ୍ତୁ ଏହି ପ୍ରେମୀ ଯୁଗଳଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ଏହି ପରମ୍ପରା ପର୍ବରେ ପରିଣତ ହୋଇଯାଇଛି। ଚଳିତ ବର୍ଷ ଏହି ପଥରମରା ପର୍ବକୁ ପୁଲିସ୍ ସିସିଟିଭି ଜରିଆରେ ନଜର ରଖିଥିଲା।