ନୂଆଦିଲ୍ଲୀ: ଚୀନ୍କୁ ମାତ୍ ଦେବାକୁ ଭାରତ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଏଥିପାଇଁ ନିଜ ଯୁଦ୍ଧ ରଣକୌଶଳରେ ପରିବର୍ତ୍ତନ ଆଣିଛି। ଚୀନ୍କୁ ସାବାଡ କରିବାକୁ ଭାରତ ନିଜ ନ୍ୟୁକ୍ଲିୟର ସିଷ୍ଟମକୁ ଆହୁରି ଶକ୍ତିଶାଳୀ କରୁଛି। ଯାହାଫଳରେ କ୍ଷଣକରେ ପୂରା ଚୀନ୍କୁ ଧୂଳିସାତ୍ କରିବାକୁ ସକ୍ଷମ ହେବ ଭାରତ। ଡିଜିଟାଲ ଜର୍ନାଲ ‘ଆଫ୍ଟର ମିଡନାଇଟ’କୁ ସାକ୍ଷାତକାର ଦେବାବେଳେ ଆମେରିକାର ଦୁଇ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଏପରି କହିଛନ୍ତି।
ଦୁଇ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ପାଖରେ ଏବେ ୬୦୦ କିଲୋଗ୍ରାମର ପ୍ଲୁଟୋନିୟମ ମହଜୁଦ୍ ଅଛି। ଯାହାଦ୍ୱାରା ଭାରତ ଆହୁରି ୧୫୦ ରୁ ୨୦୦ଟି ପରମାଣୁ ବମ୍ ତିଆରି କରିପାରିବ। ୬ କ୍ୱିଣ୍ଟାଲ ପ୍ଲୁଟୋନିୟମରୁ ୧୫୦ରୁ ୨୦୦ କିଲୋଗ୍ରାମ ପ୍ଲୁଟୋନିୟମ ବ୍ୟବହାର କରି ଭାରତ ଶକ୍ତିଶାଳୀ ନ୍ୟୁକ୍ଲିୟର ମିସାଇଲ୍ ତିଆରି କରୁଛି। ଏହା ଏତେ ଶକ୍ତିଶାଳୀ ଯେ, ପୂରା ଚୀନ୍ ଏହାର ରାଡାରରେ ଆସୁଛି। ଏହି ମିସାଇଲ୍ ଦେଶର ଶେଷପ୍ରାନ୍ତ ଦକ୍ଷିଣ ଭାରତରୁ ମଧ୍ୟ ପୂରା ଚୀନ୍କୁ ଧୂଳିସାତ୍ କରିବାରେ ସକ୍ଷମ।
କେବଳ ଚୀନ୍କୁ ସାବାଡ କରିବାକୁ ଭାରତ ଏଭଳି ରଣନୀତି ଆପଣାଇଛି ବୋଲି ଦୁଇ ବିଶେଷଜ୍ଞ କହିଛନ୍ତି। ପୂର୍ବରୁ ଭାରତ କେବଳ ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ଲକ୍ଷ୍ୟକରି ନିଜ ନ୍ୟୁକ୍ଲିୟର ସିଷ୍ଟମକୁ ବିକଶିତ କରୁଥିଲା। ଆମେରିକା ବିଶେଷଜ୍ଞଙ୍କ ଅନୁଯାୟୀ, ଏବେ ଆକାଶମାର୍ଗରେ ଆକ୍ରମଣ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଦୁଇଟି ବିମାନ, ସ୍ଥଳଭାଗରୁ ଆକ୍ରମଣ ପାଇଁ ୪ଟି ବାଲାଷ୍ଟିକ ମିସାଇଲ୍ ଓ ସମୁଦ୍ର ମଧ୍ୟରୁ ଆକ୍ରମଣ କରିବା ପାଇଁ ଗୋଟିଏ ବାଲାଷ୍ଟିକ ମିସାଇଲ ସିଷ୍ଟମ ଭାରତ ପାଖରେ ରହିଛି। ଏହାବାଦ୍ ଆଉ ୪ଟି ଅତ୍ୟାଧୁନିକ ପରମାଣୁ ଅସ୍ତ୍ର ନେଇପାରୁଥିବା ମିସାଇଲ୍ ସିଷ୍ଟମ ପ୍ରସ୍ତୁତ କରୁଛି ଭାରତ। ଯାହା ସ୍ଥଳପଥ ଓ ଜଳପଥରୁ ଦୂରସ୍ଥାନରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।