ନୂଆଦିଲ୍ଲୀ: ଦେଶରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ କରୋନା ଭାଇରସ। ପ୍ରଥମଥର ପାଇଁ ଭାରତରେ କରୋନା ଦିନକରେ ୧୪ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧୩ ହଜାରର ନିକଟରେ ପହଞ୍ଚି ଯାଇଛି।
କରୋନା ଯୋଗୁ ୨୪ ଘଣ୍ଟାରେ ୧୪,୫୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରମଣ ହୋଇ ନଥିଲେ। କିନ୍ତୁ ଶୁକ୍ରବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଦିନରେ କରୋନାରେ ୧୪,୫୧୬ ଜଣ ଆକ୍ରାନ୍ତ ହେବାରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ମୁହାଁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩,୯୫,୦୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆଉ ୩୭୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨,୯୪୮କୁ ବୃଦ୍ଧି ପାଇଛି।
କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଭାରତରେ କରୋନା ଆରୋଗ୍ୟ ହାର ପ୍ରାୟ ୫୫%କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୨,୧୩,୮୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧,୬୮,୨୬୯ ଜଣ ଚିକିତ୍ସିତ ହେଉଛନ୍ତି।
କରୋନା ଯୋଗୁ ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବଭଳି ମହାରାଷ୍ଟ୍ର ସ୍ଥିତି ବେକାବୁ ଥିବା ବେଳେ ଗୋଟିଏ ସପ୍ତାହ ହେଲାଣି ଦିଲ୍ଲୀ ପରିସ୍ଥିତି ଅଣାୟତ୍ତ ହୋଇଛି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୪,୩୩୧ ରହିଛି। ଏମାନଙ୍କ ମଧ୍ୟରୁ ୫,୮୯୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୬୨,୭୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ରେକର୍ଡ ୩ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୧୧୬ରେ ପହଞ୍ଚି ଯାଇଛି। ଏଠାରେ ୨୦୩୫ ଜଣ ପ୍ରାଣ ହରାଇଥିବା ବେଳେ କରୋନାରୁ ୨୩,୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୨୭,୫୧୨ ଜଣ ଚିକିତ୍ସିତ ହେଉଛନ୍ତି।
ତାମିଲନାଡୁରେ ବି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ସଂକ୍ରମିତ ହୋଇଥିବା ୫୪,୪୪୯ ଜଣଙ୍କ ମଧ୍ୟରୁ ୬୬୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦,୨୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହାବାଦ ଆନ୍ଧ୍ର ପ୍ରଦେଶରେ ୯୬, ଆସାମରେ ୯, ବିହାରରେ ୫୦, ଚଣ୍ଡିଗଡ଼ରେ ୬, ଛତିଶଗଡ଼ରେ ୧୦, ଗୁଜରାଟରେ ୧୬୧୮, ହରିଆଣାରେ ୧୪୪, ହିମାଚଳ ପ୍ରଦେଶରେ ୮, ଜମ୍ମୁ-କଶ୍ମୀରରେ ୭୫, ଝାରଖଣ୍ଡରେ ୧୧, କର୍ଣ୍ଣାଟକାରେ ୧୨୪, କେରଳରେ ୨୧, ଲଦାଖରେ ୧, ମଧ୍ୟପ୍ରଦେଶରେ ୪୯୫, ମେଘାଳୟରେ ୧, ଓଡ଼ିଶାରେ ୧୧, ପୁଡୁଚେରୀରେ ୭, ପଞ୍ଜାବରେ ୯୨, ରାଜସ୍ଥାନରେ ୩୩୩, ତେଲେଙ୍ଗାନାରେ ୧୯୮, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୨୬, ଉତ୍ତର ପ୍ରଦେଶରେ ୪୮୮ ଓ ପଶ୍ଚିମବଙ୍ଗରେ ୫୨୯ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।