ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ପ୍ରତିରକ୍ଷା ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବଡ଼ ଭାଇ ମହିନ୍ଦା ରାଜପକ୍ଷେ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ଭାରତ ପହଞ୍ଚିଥିଲେ। ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସହିତ ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ ବାବଦରେ ଆଲୋଚନା ହୋଇଛି ବୋଲି ଜଣାପଡ଼ିଛି।
ଆଜି ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପୂର୍ବରୁ ସକାଳେ ରାଷ୍ଟ୍ରପତି ଭବନରେ ରାଜପକ୍ଷେଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ବୈଠକ ହୋଇଥିଲା। ଏହି ସମୟରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ଏବଂ ବିକାଶ ବାବଦରେ ପରସ୍ପରକୁ ସହଯୋଗ କରିବା ନେଇ ଆଲୋଚନା ହୋଇଥିଲା।
ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବେଳେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପକ୍ଷେ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ, ଦୁଇ ଦେଶ ପାଇଁ ଆତଙ୍କବାଦୀ ପ୍ରମୁଖ ସମସ୍ୟା। ଦୁଇ ଦେଶ ଆତଙ୍କବାଦୀ ସମସ୍ୟାର ସାମ୍ନା କୁରଛି। ଗତବର୍ଷ ଏପ୍ରିଲରେ ଶ୍ରୀଲଙ୍କାର ଇଷ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଯାହା ହୋଇଥିଲା, ତାହା ନିନ୍ଦନୀୟ। ଏହା କେବଳ ଶ୍ରୀଲଙ୍କା ଉପରେ ଆକ୍ରମଣ ନଥିଲା ବରଂ ସମଗ୍ର ମାନବଜାତି ଉପରେ ଆକ୍ରମଣ ଥିଲା ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ଆତଙ୍କବାଦ ପ୍ରସଙ୍ଗରେ ପରସ୍ପରକୁ ସହଯୋଗ କରିବେ।
ଜବାବରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଥିଲେ, ‘ଶ୍ରୀଲଙ୍କା ପୁଲିସ ଅଫିସର ମାନେ ଭାରତରେ ଥିବା ଆତଙ୍କବାଦୀ ବିରୋଧୀ ଟ୍ରେନିଂ ସଂସ୍ଥାରେ ସାମିଲ୍ ହୋଇଯାଇଛନ୍ତି। ଆମେ ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଗକୁ ବଢ଼ାଇବୁ’।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ରାଜପକ୍ଷେ ବାରଣାସୀ, ସାରନାଥ, ବୋଧଗୟା ଏବଂ ତିରୁପତି ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ୨୦୦୫ରୁ ୨୦୧୫ ଯାଏ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ ରାଜପକ୍ଷେ। ଦକ୍ଷିଣ ଏସିଆରେ ଦୀର୍ଘଦିନ ଧରି ରାଷ୍ଟ୍ରପତି ରହିବାରେ ରାଜପକ୍ଷେ ପ୍ରଥମ ବ୍ୟକ୍ତି। ୨୦୧୮ରେ ସେ କିଛି ସମୟ ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜପକ୍ଷେ ରାଷ୍ଟ୍ରପତି ଥିବା ବେଳେ ହିନ୍ଦ ମହାସାଗରରେ ଚୀନର ପ୍ରଭାବ ବଢ଼ିଥିଲା। ଯାହାକି ଭାରତ ପାଇଁ ଚିନ୍ତାର କାରଣ ସାଜିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।