୩ କୃଷି ଆଇନ ପ୍ରତ୍ୟାହାର ପାଇଁ ଆସିବ ଗୋଟିଏ ବିଲ୍!

ନୂଆଦିଲ୍ଲୀ: ବିବାଦୀୟ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ମୋଦି ସରକାର ଗୋଟିଏ ବିଲ୍‌ ଆଣିବେ। ବର୍ତ୍ତମାନ ସରକାରୀ ସ୍ତରରେ ଏହି ବିଲ୍‌କୁ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ଅପେକ୍ଷାରେ ଏହି ବିଲ୍‌ ରହିଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ୩ କୃଷି ଆଇନ ଲାଗୁ କରିଥିବାରୁ ଏଗୁଡ଼ିକୁ ପ୍ରତ୍ୟାହାର କରିବାକୁ ୩ଟି ଭିନ୍ନଭିନ୍ନ ବିଲ ଆସିବ ବୋଲି କୁହାଯାଉଥିଲା। କିନ୍ତୁ ମୋଦି ସରକାର ଗୋଟିଏ ବିଲ୍‌ରେ ୩ଟି ଯାକ ଆଇନକୁ ପ୍ରତ୍ୟାହାର କରିବାକୁ […]

Farmers

Hemant Lenka
  • Published: Monday, 22 November 2021
  • , Updated: 22 November 2021, 08:48 PM IST

ନୂଆଦିଲ୍ଲୀ: ବିବାଦୀୟ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ମୋଦି ସରକାର ଗୋଟିଏ ବିଲ୍‌ ଆଣିବେ। ବର୍ତ୍ତମାନ ସରକାରୀ ସ୍ତରରେ ଏହି ବିଲ୍‌କୁ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ଅପେକ୍ଷାରେ ଏହି ବିଲ୍‌ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସରକାର ୩ କୃଷି ଆଇନ ଲାଗୁ କରିଥିବାରୁ ଏଗୁଡ଼ିକୁ ପ୍ରତ୍ୟାହାର କରିବାକୁ ୩ଟି ଭିନ୍ନଭିନ୍ନ ବିଲ ଆସିବ ବୋଲି କୁହାଯାଉଥିଲା। କିନ୍ତୁ ମୋଦି ସରକାର ଗୋଟିଏ ବିଲ୍‌ରେ ୩ଟି ଯାକ ଆଇନକୁ ପ୍ରତ୍ୟାହାର କରିବାକୁ ବ୍ୟବସ୍ଥା କରିଛନ୍ତି। ଏହାବାଦ୍‌ କୃଷି ମନ୍ତ୍ରଣାଳୟ ଚାଷୀମାନେ ଦାବି କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଉପରେ କିଛି ଗାଇଲାଇନ ଜାରି କରିବାକୁ ମାନସମନ୍ଥନ କରୁଛି। ବୁଧବାର କ୍ୟାବିନେଟ ବୈଠକ ବସିବ। ଏହି ସମୟରେ ଆଇନ ପ୍ରତ୍ୟାହାର ପାଇଁ ବିଲ୍‌ ଓ ଏମଏସ୍‌ପି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଆଗତ କରାଯାଇପାରେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ବିଲ୍‌ରେ ଆଇନକୁ ଅକାମୀ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ରହିଛି। କୃଷି ଆଇନ ଲାଗୁ ହେବା ପରେ ଦେଶରେ ଖୋଲିଥିବା ସମସ୍ତ ବୋର୍ଡକୁ ବନ୍ଦ କରିବା ପାଇଁ ପ୍ରସ୍ତାବିତ ବିଲରେ ଉଲ୍ଲେଖ ରହିଛି। ଖାଲି ସେତିକି ବୋର୍ଡ ଗୁଡ଼ିକ ନେଇଥିବା ନିଷ୍ପତ୍ତି ମଧ୍ୟ ପ୍ରସ୍ତାବିତ ବିଲ୍‌ ବଳରେ ଅସିଦ୍ଧ ଘୋଷଣା ହେବ।

ଯଦି ନୂଆ କୃଷି ଆଇନ ବଳରେ କୌଣସି ଅଫିସ ଖୋଲିଥିବ, ତା’ହେଲେ ସେଗୁଡ଼ିକ ବି ବନ୍ଦ ହୋଇଯିବ। କୃଷି ଆଇନ ପ୍ରାୟ ୬ ମାସ ଧରି କାର୍ଯ୍ୟକାରୀ ହେବା ବେଳେ କିଛି ରାଜ୍ୟ ଏହାକୁ ଆଧାର କରି କାମ କରିଥିଲେ। ଏବେ ସେଗୁଡ଼ିକୁ ମଧ୍ୟ କେନ୍ଦ୍ରର ନୂଆ ବିଲ୍‌ ଆସିବା ପରେ ଅସିଦ୍ଧ ଘୋଷଣା ହେବ।  ତେଣୁ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଗୋଟିଏ ଉପଯୁକ୍ତ ବିଲ୍ ଆଣିବାକୁ ଯୋଜନା କରୁଥିବା ଏହି ସୂତ୍ରରେ କୁହାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦେଶକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ରେ ଆସିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, “ଆମେ କିଛି ଚାଷୀ ଭାଇଙ୍କୁ କୃଷି ଆଇନ ସମ୍ପର୍କରେ ବୁଝାଇବାକୁ ସକ୍ଷମ ହୋଇନୁ। ଏବେ କାହାକୁ ଦୋଷ ଦେବାର ସମୟ ନୁହେଁ। ମୁଁ ଆଜି ଆପଣମାନଙ୍କୁ କହୁଛି ଯେ ଆମେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏବେ ଆନ୍ଦୋଳନ କରୁଥିବା ଚାଷୀମାନେ ସେମାନଙ୍କ ଘର ଓ କ୍ଷେତକୁ ଫେରି ଯାଆନ୍ତୁ।”

ତେବେ ଚାଷୀମାନେ ଏହି ନିଷ୍ପତ୍ତିରେ ପୂରା ସନ୍ତୁଷ୍ଟ ହୋଇନାହାନ୍ତି। ସେମାନେ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିଲେ। କିନ୍ତୁ କେନ୍ଦ୍ର ସରକାର ଏଯାଏ ଏମଏସପି ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ସେମାନେ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

Related story