ଦଙ୍ଗା ବେଳେ ଜେଲରେ ଥିଲେ, କିନ୍ତୁ ଅଭିଯୁକ୍ତ ଭାବେ ଦର୍ଶାଇଛି ପୁଲିସ୍‌

ଭୋପାଲ: ରାମ ନବମୀରେ ଦେଖାଯାଇଥିବା ସାଂପ୍ରଦାୟକି ଦଙ୍ଗାକୁ ନେଇ ମଧ୍ୟପ୍ରଦେଶ ଠାରୁ ଆରମ୍ଭ କରି ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦଙ୍ଗାରେ ସାମିଲ ଥିବା ଲୋକଙ୍କ ଘର ଓ ଦୋକାନ ମଧ୍ୟ ପୁଲିସ୍‌ ପ୍ରଶାସନ ଭାଙ୍ଗି ଦେଉଛି। ହେଲେ ବାସ୍ତବରେ ପୁଲିସ୍‌ ପ୍ରଶାସନ କେମିତି ଗୁପ୍ତ ଏଜେଣ୍ଡାରେ କାମ କରୁଛି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ବରୱାନିରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ୍‌ ଅନେକ ଯୁବକଙ୍କୁ ଅଭିଯୁକ୍ତ […]

jail

Hemant Lenka
  • Published: Friday, 15 April 2022
  • , Updated: 15 April 2022, 11:37 AM IST

ଭୋପାଲ: ରାମ ନବମୀରେ ଦେଖାଯାଇଥିବା ସାଂପ୍ରଦାୟକି ଦଙ୍ଗାକୁ ନେଇ ମଧ୍ୟପ୍ରଦେଶ ଠାରୁ ଆରମ୍ଭ କରି ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦଙ୍ଗାରେ ସାମିଲ ଥିବା ଲୋକଙ୍କ ଘର ଓ ଦୋକାନ ମଧ୍ୟ ପୁଲିସ୍‌ ପ୍ରଶାସନ ଭାଙ୍ଗି ଦେଉଛି। ହେଲେ ବାସ୍ତବରେ ପୁଲିସ୍‌ ପ୍ରଶାସନ କେମିତି ଗୁପ୍ତ ଏଜେଣ୍ଡାରେ କାମ କରୁଛି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ବରୱାନିରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ୍‌ ଅନେକ ଯୁବକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ହେଲେ ଅଭିଯୁକ୍ତଙ୍କ ମଧ୍ୟରେ ଏମିତି ୩ ମୁସଲିମ ଯୁବକଙ୍କ ନାଁ ରହିଛି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ୩ ମୁସଲିମ ଯୁବକ ଦୀର୍ଘ ଦେଢ଼ ମାସ ହେଲା ଜେଲରେ ଅଛନ୍ତି। ତଥାପି ରାମ ନବମୀ ଦିନ ଦେଖାଯାଇଥିବା ଦଙ୍ଗା ଘଟଣାରେ ସେମାନଙ୍କୁ ପୁଲିସ୍‌ ଅଭିଯୁକ୍ତ ଭାବେ ଦର୍ଶାଇଥିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ, ୩ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ମଧ୍ୟ ପୁଲିସ୍‌ ପ୍ରଶାସନ ବେଆଇନ ନିର୍ମାଣର ଆଳ ଦେଖାଇ ଭାଙ୍ଗି ଦେଇଛି।

ଗତ ମାସରୁ ଗିରଫ ହୋଇ ଜେଲରେ ଥିବା ୩ ମୁସଲିମ ଯୁବକଙ୍କ ବିରୋଧରେ ପୁଲିସ୍ ଏପ୍ରିଲ ୧୦ ଘଟଣାରେ ମାମଲା କରିଛି। ଏହି ଯୁବକମାନେ ଏପ୍ରିଲ ୧୦ରେ ବରୱାନି ଜିଲ୍ଲାର ସେନ୍ଧୱାରେ ଗୋଟିଏ ମୋଟରସାଇକେଲ ଜାଳି ଦେଇଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। ହତ୍ୟା ଉଦ୍ୟମ ମାମଲାରେ ଯେଉଁ ପୁଲିସ୍‌ ଷ୍ଟେସନ ପକ୍ଷରୁ ପ୍ରାୟ ଦେଢ଼ ମାସ ତଳେ ୩ ଯୁବକଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇଥିଲା, ସେହି ପୁଲିସ୍‌ ଷ୍ଟେସନରେ ହିଁ ଦଙ୍ଗା ଘଟଣାରେ ଅଭିଯୋଗ ଦାଖଲ କରାଯାଇଛି।

ଏହି ବଡ଼ ତ୍ରୁଟି ସମ୍ପର୍କରେ ବରିଷ୍ଠ ପୁଲିସ୍‌ ଅଧିକାରୀ ମନୋହର ସିଂହ କହିଛନ୍ତି, “ଆମେ ଘଟଣାର ତଦନ୍ତ କରିବୁ ଓ ଜେଲ ଅଧିକ୍ଷକଙ୍କ ଠାରୁ ସବୁ ସୂଚନା ଆଣିବୁ। ଅଭିଯୋଗକାରୀଙ୍କ ବୟାନ ଆଧାରରେ ପୁଲିସ୍ ମାମଲା କରିଛି। ତେଣୁ ପୁଲିସ୍‌ ପକ୍ଷରୁ କୌଣସି ତ୍ରୁଟି ହୋଇନାହିଁ।”

ଜେଲରେ ଥାଇ ଦଙ୍ଗା ମାମଲାରେ ଫସିଥିବା ୩ ଯୁବକ ହେଲେ ଶାହବାଜ, ଫାରୁକ ଓ ରୌଫ। ମାର୍ଚ୍ଚ ୫ରେ ଏମାନଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ସେମାନେ ଜେଲରେ ଅଛନ୍ତି। ସାଂପ୍ରଦାୟିକ ଦଙ୍ଗା ପରେ ଶାହବାଜଙ୍କ ଘର ପୁଲିସ୍ ଭାଙ୍ଗି ଦେଇଥିବା ତାଙ୍କ ମା’ ସକିନା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୋ ପୁଅ ଦେଢ଼ ମାସ ହେଲା ଜେଲରେ ଥିଲେ ମଧ୍ୟ ପୁଲିସ୍ ଏପ୍ରିଲ ୧୦ ମାରପିଟ ଘଟଣାକୁ ନେଇ ଏଠାକୁ ଆସିଥିଲା। ଆମକୁ ଘରକୁ ବାହାର କରି ଦେଇ ସେମାନେ ଭଙ୍ଗାରୁଜା କରିଥିଲେ। ମୋ ପୁଅ ଜେଲରେ ଥିବା ବେଳେ କାହିଁକି ଏଫଆଇଆର ରୁଜୁ ହେଲା ବୋଲି ପ୍ରଶ୍ନ କରିଥିଲି।

ହେଲେ ପୁଲିସ୍ ଅଧିକାରୀମାନେ କିଛି ବି ଶୁଣି ନଥିଲେ। ଆମେ ସେମାନଙ୍କ ଗୋଡ଼ ତଳେ ପଡ଼ିଥିଲୁ। ତଥାପି ସେମାନେ ଆମ ଘର ଭାଙ୍ଗି ଦେଇଛନ୍ତି। ଏଥିସହ ମୋ ସାନ ପୁଅକୁ ମଧ୍ୟ ଉଠାଇ ନେଇ ଯାଇଛନ୍ତି।”

ରାମ ନବମୀ ଶୋଭାଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଘଟଣାରେ ସାମିଲ ଥିବା ଲୋକଙ୍କ ଘର ଭାଙ୍ଗିବାକୁ ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ପ୍ରଶାସନ ଘର ଓ ଦୋକାନକୁ ମିଶାଇ ୪୫ଟି ନିର୍ମାଣକୁ ଭାଙ୍ଗି ସାରିଲାଣି।

ସୂଚନାଯୋଗ୍ୟ, ରାମ ନବୀମ ଦିନ ମଧ୍ୟପ୍ରଦେଶର ଖାରଗୋନ ଓ ବରୱାନିରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଧୀରେଧୀରେ ସ୍ଥିତି ସାଂପ୍ରଦାୟିକ ହିଂସାର ରୂପ ନେଇଥିଲା। ଏହି ହିଂସାକାଣ୍ଡରେ ୬ ଜଣ ପୁଲିସ୍‌ କର୍ମଚାରୀଙ୍କ ସହ ମୋଟ ୨୪ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ମଧ୍ୟ ହୋଇଛି।

Related story