କରୋନା ବଦଳରେ ୩ ମହିଳାଙ୍କୁ ଦିଆଗଲା କୁକୁର କାମୁଡ଼ା ଟିକା

ଲକ୍ଷ୍ନୌ: କରୋନା ଟିକା ପ୍ରଦାନ ବେଳେ ବେପୁରଆ ଆଚରଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ୩ ଜଣ ବୟସ୍କ ମହିଳା କରୋନା ଟିକା ନେବାକୁ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ସେମାନଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡ଼ା ପାଇଁ ପ୍ରଦାନ କରାଯାଉଥିବା ଟିକା ଦିଆଯାଇଛି। ଅଭିଯୋଗ ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ, ଶାମଲିରେ ଥିବା […]

Vaccine

Hemant Lenka
  • Published: Friday, 09 April 2021
  • , Updated: 09 April 2021, 08:32 PM IST

ଲକ୍ଷ୍ନୌ: କରୋନା ଟିକା ପ୍ରଦାନ ବେଳେ ବେପୁରଆ ଆଚରଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ୩ ଜଣ ବୟସ୍କ ମହିଳା କରୋନା ଟିକା ନେବାକୁ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ସେମାନଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡ଼ା ପାଇଁ ପ୍ରଦାନ କରାଯାଉଥିବା ଟିକା ଦିଆଯାଇଛି। ଅଭିଯୋଗ ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ଶାମଲିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ଟିକା ନେବାକୁ ସରୋଜ(୭୦), ଅନାରକଲି(୭୨) ଓ ସତ୍ୟବତୀ(୬୦) ଯାଇଥିଲେ। ଟିକା ନେଇ ଫେରିବା ପରେ ସେମାନେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଏହାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ପରେ ଜିଲ୍ଲା ମାଜିଷ୍ଟ୍ରେଟ ଯଶଜୀତ କୌର କହିଛନ୍ତି, ପୂରା ଘଟଣାର ବିସ୍ତୃତ ରିପୋର୍ଟ ଆମେ ପାଇଛୁ। ମହିଳମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ଟିକାର ଡୋଜ୍‌ ନେବାକୁ ଯାଇଥିଲେ। ହେଲେ କେନ୍ଦ୍ରର ପ୍ରଥମ ଫ୍ଲୋରରେ କରୋନା ଟିକା ଦିଆଯାଉଥିବା ବେଳେ ସେମାନେ ଓପିଡିରେ ପଶି ଯାଇଥିଲେ।

ଏହି ସମୟରେ ସେଠାରେ ଥିବା ଫାର୍ମାସିଷ୍ଟ ବ୍ୟସ୍ତ ଥିବାରୁ ସେ ଆଉ ଜଣେ ସାଧାରଣ ଲୋକଙ୍କୁ ଟିକାକରଣ କରିବାକୁ କହିଥିଲେ। ତାଙ୍କ କଥା ମାନି ଉକ୍ତ ବ୍ୟକ୍ତି ଜଣଙ୍କ ୩ ମହିଳାଙ୍କୁ କୁକୁର କାମୁଡ଼ା ଟିକାର ଡୋଜ୍‌ ପ୍ରଦାନ କରିଥିଲେ। ଟିକା ଦେବା ବେଳେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ କିଛି ବି ପ୍ରଶ୍ନ କରି ନଥିଲେ କିମ୍ବା ସେମାନଙ୍କୁ କେଉଁ ଟିକା ଦିଆଯାଉଛି, ସେକଥା ମଧ୍ୟ କହି ନଥିଲେ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।

ଘଟଣା ପରେ ମାଜିଷ୍ଟ୍ରେଟ ଉକ୍ତ ଫାର୍ମାସିଷ୍ଟଙ୍କୁ ନିଲମ୍ବିତ କରିବା ପାଇଁ ମୁଖ୍ୟ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟିକା ନେଇଥିବା ଅନାରକଲି କହିଛନ୍ତି, ମୋତେ କୁକୁର କାମୁଡ଼ା ଟିକା ଦିଆଯାଇଥିବା ମୁଁ ଆରମ୍ଭରୁ ସନ୍ଦେହ କରିଥିଲି। କାରଣ ହସ୍ପିଟାଲରୁ ଘରକୁ ଫେରିବା ପରେ ମୋତେ ଖାଲି ନିଦ ଲାଗିଥିଲା। ମୋତେ ଆଧାର କାର୍ଡ ମଗା ନ ଯିବାରୁ ମୁଁ ସେଠାରେ ହିଁ ଟିକାକୁ ନେଇ ସାମାନ୍ୟ ସନ୍ଦେହ କରିଥିଲି। ଏବେ ଏହା ସତ ପ୍ରମାଣିତ ହୋଇଥିବା ସେ କହିଛନ୍ତି।

Related story