ଅହେତୁକ ଅବହେଳା! ଝୁଲା ପୋଲ ଭୁଶୁଡ଼ିବା ଦିନ ବିକ୍ରି ହୋଇଥିଲା ୩,୧୬୫ ଟିକେଟ

ମୋର୍ବି: ଗୁଜରାଟାର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସ୍ଥାନୀୟ ପ୍ରଶାସନ ଓ ଝୁଲା ପୋଲର ନବୀକରଣ ପାଇଁ ଠିକା ନେଇଥିବା ଓରେଭା ଗ୍ରୁପ ଲୋକଙ୍କୁ ସୁରକ୍ଷା ନେଇ ଅହେତୁକ ଅବହେଳା କରିଛନ୍ତି। ନବୀକରଣ ଠାରୁ ଆରମ୍ଭ କରି ଝୁଲା ପୋଲକୁ ଖୋଲିବା ଯାଏ ସବୁ କିଛି ପ୍ରସଙ୍ଗରେ ଅବହେଳା […]

Morbi

  • Published: Tuesday, 22 November 2022
  • , Updated: 22 November 2022, 04:57 PM IST

ମୋର୍ବି: ଗୁଜରାଟାର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସ୍ଥାନୀୟ ପ୍ରଶାସନ ଓ ଝୁଲା ପୋଲର ନବୀକରଣ ପାଇଁ ଠିକା ନେଇଥିବା ଓରେଭା ଗ୍ରୁପ ଲୋକଙ୍କୁ ସୁରକ୍ଷା ନେଇ ଅହେତୁକ ଅବହେଳା କରିଛନ୍ତି।

ନବୀକରଣ ଠାରୁ ଆରମ୍ଭ କରି ଝୁଲା ପୋଲକୁ ଖୋଲିବା ଯାଏ ସବୁ କିଛି ପ୍ରସଙ୍ଗରେ ଅବହେଳା ହୋଇଥିବା ଜଣାପଡ଼ିଛି। ଓରେଭା ଗ୍ରୁପ ଝୁଲାପୋଲର ରକ୍ଷାଣବେକ୍ଷଣ, ଅପରେସନ ଓ ସୁରକ୍ଷା ଦାୟିତ୍ୱର ଠିକା ପାଇଥିଲା। କିନ୍ତୁ ଅକ୍ଟୋବର ୩୦ ଅର୍ଥାତ ବ୍ରିଜ ଭୁଶୁଡ଼ିବା ଦିନ କମ୍ପାନୀ ପକ୍ଷରୁ ଲୋକଙ୍କ ସୁରକ୍ଷାକୁ ଆଦୌ ଧ୍ୟାନ ଦିଆଯାଇ ନଥିଲା।

ସେଦିନ ୩,୧୬୫ଟି ଟିକେଟ ବିକ୍ରି କରାଯାଇଥିଲା। ନିଜେ ସରକାର ଏକଥା ଆଜି ଗୋଟିଏ ଜିଲ୍ଲା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିସହ ତଦନ୍ତ ବେଳେ ହାସଲ ହୋଇଥିବା ଫରେନ୍ସିକ ରିପୋର୍ଟକୁ ମଧ୍ୟ ସରକାରୀ ଓକିଲ କୋର୍ଟରେ ଦାଖଲ କରିଛନ୍ତି।

ଏତେ ଲୋକଙ୍କୁ ଟିକେଟ ଦେଇଥିଲେ ମଧ୍ୟ କମ୍ପାନୀ ୧୦୦ ବର୍ଷ ପୁରୁଣା ଝୁଲା ପୋଲର କ୍ଷମତାକୁ ଆଦୌ ଆକଳନ କରି ନଥିଲା। ଝୁଲା ପୋଲର କେବୁଲରେ କଳଙ୍କି ଲାଗି ଯାଇଥିଲା। ଏହାର ଆଙ୍କଲେଗୁଡ଼ିକ ମଧ୍ୟ ଓଜନ ଅଧିକ ହେବାରୁ ଭାଙ୍ଗି ଯାଇଥିଲା। ସେହିପରି ଆଙ୍କେଲ ସହ କେବୁଲକୁ ସଂଯୋଗ କରୁଥିବା ନଟବୋଲ୍ଟ ମଧ୍ୟ ଉପାଡ଼ି ହୋଇଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ପ୍ରାଥମିକ ତଦନ୍ତୁ ସ୍ପଷ୍ଟ ହୋଇଛି ଯେ ଓଜନଦାର ଫ୍ଲୋରିଂ ବ୍ୟବସ୍ଥା ପୁରୁଣା କେବୁଲରେ ଫିଟ ହୋଇ ନଥିଲା। ତଥାପି ଏହାକୁ ଅଣଦେଖା କରି ଲୋକଙ୍କ ଜୀବନ ସହ ଖେଳ ଖେଳାଯାଇଥିଲା। ଓରେଭା ଗ୍ରୁପ ଦ୍ୱରା ନିଯୁକ୍ତି ପାଇଥିବା ଗାର୍ଡସ ଓ ଟିକେଟ କଲେକ୍ଟର ହେଉଛନ୍ତି ଦୈନନ୍ଦିନ ଶ୍ରମିକ। ସେମାନଙ୍କ ପାଖରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଦୌ ଅଭିଜ୍ଞତା ନଥିଲା ବୋଲି ସରକାରୀ ଓକିଲ କହିଛନ୍ତି।

ସରକାର ଦେଇଥିବା ରିପୋର୍ଟରେ ଆହୁରି କୁହାଯାଇଛି ଯେ ଗାର୍ଡସମାନଙ୍କୁ କେବେ ହେଲେ କମ୍ପାନୀ ସୁରକ୍ଷା ପ୍ରୋଟକଲ ସମ୍ପର୍କରେ ବୁଝାଇ ନଥିଲା। ସେହିପରି ଝୁଲା ପୋଲକୁ ଗୋଟିଏ ସମୟରେ କେତେ ଜଣଙ୍କୁ ଛଡ଼ା ଯିବ, ସେ ନେଇ ମଧ୍ୟ କିଛି ବି ସୂଚନା ଦିଆଯାଇ ନଥିଲା।

ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ଏଯାଏ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତ ଆଜି ଜାମିନ ପାଇଁ ଆବେଦନ କରିଥିବା ବେଳେ ସରକାରୀ ଓକିଲ ଏପରି କହିଛନ୍ତି। ପୁଲିସ୍‌ ମ୍ୟାନେଜର ଓ ଟିକେଟ କଲେକ୍ଟର ଦାୟିତ୍ୱରେ ଥିବା ଲୋକଙ୍କୁ ଗିରଫ କରିଥିଲେ ମଧ୍ୟ ଓରେଭାର ଟପ ମ୍ୟାନେଜମେଣ୍ଟ ଦେହରେ ହାତ ମାରିପାରିନି। ଓରେଭା ସାଧାଣତଃ ଅଜନ୍ତା ଘଣ୍ଟା ତିଆରି କରିଥାଏ। ହେଲେ ସେଭଳି ଗୋଟିଏ କମ୍ପାନୀକୁ ବ୍ରିଜ୍‌ ମରାମତି କାମ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Related story