ଗୁଜରାଟ ଝୁଲାପୋଲ ଭୁଶୁଡ଼ିବା ଘଟଣା: ୯ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ମୋର୍ବି: ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ସେହିପରି ଏହି ଭୟଙ୍କର ଘଟଣାରେ ଗୁଜରାଟ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ। ରବିବାର ଝୁଲାପୋଲ ଭୁଶୁଡ଼ିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି। ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା। ରବିବାର ସନ୍ଧ୍ୟାରେ […]

Morbi

  • Published: Monday, 31 October 2022
  • , Updated: 31 October 2022, 06:38 PM IST

ମୋର୍ବି: ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ସେହିପରି ଏହି ଭୟଙ୍କର ଘଟଣାରେ ଗୁଜରାଟ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ।

ରବିବାର ଝୁଲାପୋଲ ଭୁଶୁଡ଼ିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି। ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା। ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହି ଝୁଲାପୋଲଟି ଲୋକଙ୍କ ପାଇଁ ବେଶ କିଛି ଦିନ ବନ୍ଦ ରହିଥିଲା।

ହେଲେ ନିକଟରେ ଲୋକଙ୍କ ଯିବା ଆସିବା ପାଇଁ ଅନୁମତି ମିଳିଥିଲା। କାଲି ରବିବାର ଥିବା ବେଳେ ବ୍ରିଜ ଉପରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ଝୁଲାପୋଲର କ୍ଷମତା ୧୨୫ ଥିବା ବେଳେ ଘଟଣା ବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ। ଫଳରେ ଝୁଲାପୋଲଟି ମଝିରୁ ଛିଣ୍ଡି ଯାଇଥିଲା।

ଏହା ଉପରେ ଥିବା ଲୋକମାନେ ସିଧା ନଦୀକୁ ଖସି ପଡ଼ିଥିଲେ। ଲୋକମାନେ କେବଳ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ୧୩୪ ଜଣ ପ୍ରାଣ ହରାଇ ସାରିଲେଣି। ଏମାନଙ୍କ ମଧ୍ୟରେ ପ୍ରାୟ ୪୮ ଜଣ ହେଉଛନ୍ତି ଛୋଟ ପିଲା। ସେହିପରି ଅନେକ ମହିଳା ମଧ୍ୟ ଆଖି ବୁଜିଛନ୍ତି।

ବ୍ରିଜ୍‌ର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ୧୫ ବର୍ଷ ପାଇଁ ସରକାର ଅଜନ୍ତା ଓରେଭା କମ୍ପାନୀକୁ ଦେଇଥିଲେ। ଏ ସଂକ୍ରାନ୍ତରେ ମୋର୍ବି ପୌରପାଳିକା ୨୦୨୨ ମାର୍ଚ୍ଚ ମାସରେ କମ୍ପାନୀ ସହ ଗୋଟିଏ ଚୁକ୍ତି କରିଥିଲା। ୨୦୩୭ରେ ଚୁକ୍ତିର ଅବଧି ଶେଷ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ହିଁ ଏତେ ବଡ଼ ଅଘଟଣ ଘଟିଛି। ତେଣୁ ଘଟଣାର ତଦନ୍ତ କରୁଥିବା ଗୁଜରାଟ ପୁଲିସ୍‌ ଏସଆଇଟି କମ୍ପାନୀର ୯ ଜଣଙ୍କୁ ଗିରଫ କରିଛି।

ମୋର୍ର୍ବି ପୌରପାଳିକାର ମୁଖ୍ୟ ସନ୍ଦୀପ ସିଂହ ଦାବି କରିଛନ୍ତି ଯେ ବିନା ଅନୁମତିରେ ବ୍ରିଜ୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଫିଟନେସ ପ୍ରମାଣପତ୍ର ବ୍ରିଜ୍‌ ଖୋଲିବା ପୂର୍ବରୁ ହାସଲ କରାଯିବା ଦରକାର। କିନ୍ତୁ କମ୍ପାନୀ ସେମିତି କିଛି ପ୍ରମାଣପତ୍ର ପାଇ ନଥିଲା।

ପୂର୍ବରୁ ଗୋଟିଏ ଥରରେ ବ୍ରିଜ୍‌ ଉପରେ ୨୦ରୁ ୨୫ ଜଣ ଅତିକ୍ରମ କରୁଥିଲେ। ହେଲେ କମ୍ପାନୀର ଅବହେଳା ପାଇଁ ଏତେ ବଡ଼ ଘଟଣା ଘଟିଛି। ଏକଥରେ ୪୦୦ରୁ ୫୦୦ ଜଣ ଲୋକ ବ୍ରିଜ୍‌କୁ ଯିବାରୁ ଏହା ଭୁଶୁଡ଼ି ପଡ଼ିଲା ବୋଲି ସେ କହିଛନ୍ତି।

ରବିବାର ସନ୍ଧ୍ୟାରେ ଘଟଣା ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୫ଟି ଟିମ, ଏସଡିଆରଏଫର ୬ଟି ଟିମ, ବାୟୁସେନାର ଗୋଟିଏ ଟିମ୍‌, ଆର୍ମିର ୨ଟି ଟିମ ଓ ନୌସେନାର ୨ଟି ଟିମ୍‌ ସହ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି। ଏବେ ବି ଆଉ କିଛି ଲୋକ ପାଣି ଭିତରେ ନିଖୋଜ ଥିବା ଆଶଙ୍କା କରାଯାଉଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି।

ଅନ୍ୟପକ୍ଷରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋର୍ବି ଯାଇ ସ୍ଥିତି ଅନୁଧ୍ୟାନ କରିବେ।

Related story