ଏମସିଡିରୁ ବିଜେପି ଆଉଟ୍‌, ‘ଝାଡ଼ୁ’ ମାରିଦେଲା ଆପ୍‌

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍‌ର ଦଳୀୟ ଚିହ୍ନ ଝାଡ଼ୁ ବିପୁଳ ପରିମାଣର ଜନମତ ସହ ଏମସିଡିରେ ମେୟର ପଦ ହାତେଇବାକୁ ଯାଉଛି। ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ […]

aap

  • Published: Wednesday, 07 December 2022
  • , Updated: 07 December 2022, 03:19 PM IST

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ(ଏମସିଡି)ରେ ବିଜେପି ଚଳାଇଥିବା ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌) ଏମସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ଆପ୍‌ର ଦଳୀୟ ଚିହ୍ନ ଝାଡ଼ୁ ବିପୁଳ ପରିମାଣର ଜନମତ ସହ ଏମସିଡିରେ ମେୟର ପଦ ହାତେଇବାକୁ ଯାଉଛି।

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ସ୍ଥାନରେ ବାଜିମାତ କରିଛନ୍ତି।

ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା। ଏମସିଡିକୁ ୪ର୍ଥ ଥର ପାଇଁ ଦଖଲ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବି ବ୍ୟବହାର କରିଥିଲା। ଶତାଧିକ ସାଂସଦ ଓ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରିଥିଲେ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିକୁ ମଧ୍ୟ ଦଳ ପ୍ରସଙ୍ଗ କରି ଆପ୍‌ ବିରୋଧରେ ପ୍ରଚାର କରିଥିଲା। ହେଲେ ଦିଲ୍ଲୀବାସୀ ବିଜେପିକୁ ଆଉ ଥରେ ଶାସନ କରିବାକୁ କୌଣସି ସୁଯୋଗ ଦେଇ ନାହାନ୍ତି। ଏମସିଡି ନିର୍ବାଚନରେ ବିଜେପି ପରାସ୍ତ ହୋଇଛି।

ମ୍ୟାଜିକ ନମ୍ବର ୧୨୬ ଠାରୁ ବିଜେପି ପଛରେ ରହିଥିଲେ ମଧ୍ୟ ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିବା ନୂଆ ଟ୍ୱିଷ୍ଟ ଆଣିଛି। କାରଣ ଆଜି ନିର୍ବାଚିତ ହୋଇଥିବା କର୍ପୋରେଟରମାନେ ମେୟର ନିର୍ବାଚନରେ ଭୋଟ ଦେବେ। ଏହି ସମୟରେ ସେମାନେ ଦଳ ବଦଳ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେପି ମେୟର ପଦ ହାତେଇବା ଲକ୍ଷ୍ୟରେ ରହିଥିବା ଚର୍ଚ୍ଚା ହେଉଛି।

୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୨ଟି ଆସନରୁ ୧୮୧ଟିରେ ଜିତିଥିଲା। ଆପ୍‌ ୪୮ଟି ଓ କଂଗ୍ରେସ ମାତ୍ର ୩୦ଟିରେ ଜିତିଥିଲା। ୨୦୧୫ରେ ଆପ୍‌ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରେକର୍ଡ ୭୦ଟି ଆସନରୁ ୬୭ରେ ଜିତିଥିଲା। ତଥାପି ବିଜେପି ୨୦୧୭ରେ ଏମସିଡି ନିର୍ବାଚନ ଜିତି ଆପ୍‌କୁ ଶକ୍ତ ଝଟକା ଦେଇଥିଲା। ଏମସିଡି ନିର୍ବାଚନରେ ବିଜେପି କ୍ରମାଗତ ଭାବେ ଜିତି ଆସୁଥିଲେ ବି ଏଥର ସ୍ଥିତି ବଦଳିଛି। ଆପ୍‌ ୧୩୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

ଏହି ବିଜୟ ପରେ ଆପ୍‌ କର୍ମୀ ଓ ନେତାମାନେ ଦଳୀୟ ମୁଖ୍ୟାଳୟରେ ଏକାଠି ହୋଇ ସେଲିବ୍ରେସନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ମଧ୍ୟ ଦଳୀୟ ମୁଖ୍ୟାଳୟରେ ଉପସ୍ଥିତ ରହିଛନ୍ତି।

Related story