କୃଷକ ଆନ୍ଦୋଳନରେ ସାମିଲ ଯୁବତୀ 'ଦୁଷ୍କର୍ମର ଶିକାର', ପରେ କରୋନାରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଦିଲ୍ଲୀର ଟିକିରି ସୀମାରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ୱର ମାସରୁ ଆନ୍ଦୋଳନ ଚାଲିଛି। ଆଉ ଏହି ଆନ୍ଦୋଳନରେ ସାମିଲ୍ ହେବାକୁ ଆସିଥିଲେ ଜଣେ ୨୬ ବର୍ଷୀୟ ମହିଳା ସାମାଜିକ କର୍ମୀ। ଯିଏକି ଦିଲ୍ଲୀରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆଉ ପରେ ସେ କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ମୃତ ସାମାଜିକ କର୍ମୀ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ମୃତ ମହିଳା ଜଣଙ୍କ […]

Rape Graphics

Subhransu Sekhar
  • Published: Monday, 10 May 2021
  • , Updated: 10 May 2021, 09:33 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଟିକିରି ସୀମାରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ୱର ମାସରୁ ଆନ୍ଦୋଳନ ଚାଲିଛି। ଆଉ ଏହି ଆନ୍ଦୋଳନରେ ସାମିଲ୍ ହେବାକୁ ଆସିଥିଲେ ଜଣେ ୨୬ ବର୍ଷୀୟ ମହିଳା ସାମାଜିକ କର୍ମୀ। ଯିଏକି ଦିଲ୍ଲୀରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆଉ ପରେ ସେ କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ମୃତ ସାମାଜିକ କର୍ମୀ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ମୃତ ମହିଳା ଜଣଙ୍କ ଏପ୍ରିଲ ୩୦ରେ ଆଖି ବୁଜିଛନ୍ତି। ହେଲେ ଏବେ ତାଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ପାଇଁ ଚାରି ଜଣଙ୍କ ବିରୋଧରେ ଏତଲା ଦାୟର କରିବା ପରେ ଘଟଣା ସାମ୍ନାକୁ ଆସିଛି। ଏପ୍ରିଲ ୩୦ରେ ମହିଳା ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଦିଲ୍ଲୀର ଶିବମ ହସ୍ପିଟାଲରେ ଚାରି ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ।

ମୃତ ମହିଳାଙ୍କ ବାପା ବାହାଦୂରଗଡରେ ଥାନାରେ ଚାରି ଜଣଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି। ଏଫଆଇଆରରେ ଅନୁପ ଏବଂ ଅନିଲ ମଲିକଙ୍କ ନାମ ରହିଛି। ଯେଉଁମାନେ ‘କିସାନ ସୋଶିଆଲ ଆର୍ମି’ ନାମକ ସଂଗଠନ ଚଳାନ୍ତି। ମୃତ ମହିଳା ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କ ସହ ପଶ୍ଚିମବଙ୍ଗରୁ ଦିଲ୍ଲୀ ଏକାଠି ଆସିଥିଲେ। ଉଭୟ ଏପ୍ରିଲ ୧୧ରେ ଟିକିରି ସୀମାରେ କୃଷକ ବିରୋଧୀ ସମାବେଶରେ ସାମିଲ ହୋଇଥିଲେ।

ସଂଯୁକ୍ତ କିସାନ ମୋର୍ଚ୍ଚା ଏ ବାବଦରେ ବିବୃତ୍ତି ରଖି କହିଛି, ମହିଳା ଜଣକ ଦିଲ୍ଲୀ ଯିବା ବାଟରେ ଏବଂ ଟିକିରି ସୀମାରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ। ଗୋଟିଏ ସପ୍ତାହ ପରେ ମହିଳା ଜଣଙ୍କ କୋଭିଡରେ ସଂକ୍ରମିତ ହୋଇଥିଲେ। ଆଉ ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଏବେ ମୃତକଙ୍କ ବାପାଙ୍କ ଏଫଆଇଆରକୁ ଆଧାର କରି ହରିଆଣା ପୁଲିସ ରବିବାର ଜଣେ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି।

ସଂଯୁକ୍ତ କିସାନ ମୋର୍ଚ୍ଚା ଏବେ କହିଛି ଯେ ଆମେ ମୃତ ମହିଳା ସହକର୍ମୀଙ୍କୁ ନ୍ୟାୟ ପାଇଁ ଛିଡା ହୋଇଛୁ। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଂଗଠନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ସେମାନଙ୍କୁ ଆନ୍ଦୋଳନ ସ୍ଥଳରୁ ହଟାଯାଇଥିବା ବେଳେ ତାଙ୍କର ହୋର୍ଡିଂ ଓ ଟେଣ୍ଟକୁ ଉପାଡି ଦିଆଯାଇଛି।

Related story