ଆନ୍ଦୋଳନ ଶେଷ, ୧୧ରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଓ ଏମଏସ୍‌ପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି। ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି। ସରକାରଙ୍କ କଥାରେ ବିଶ୍ୱାସ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଆନ୍ଦୋଳନକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରୁ ନିଜ ନିଜ ଘରକୁ ଫେରିବେ। ତେବେ ଜାନୁଆରୀ […]

Farmer

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 03:24 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଓ ଏମଏସ୍‌ପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି। ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି। ସରକାରଙ୍କ କଥାରେ ବିଶ୍ୱାସ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଆନ୍ଦୋଳନକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

ଆସନ୍ତା ୧୧ ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରୁ ନିଜ ନିଜ ଘରକୁ ଫେରିବେ। ତେବେ ଜାନୁଆରୀ ୧୫ରେ ପୁଣି ଗୋଟିଏ ସମୀକ୍ଷା ବୈଠକ ବସିବ। ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରିନ୍ତି, ତା’ହେଲେ ଏହି ବୈଠକ ପରେ ପୁଣି ଆନ୍ଦୋଳନ ପାଇଁ ମୋର୍ଚ୍ଚା ପାଗ ଭିଡ଼ ବୋଲି ଆଜି କହିଛି।

୨୦୨୦ ମସିହା ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକରି ସୀମାରେ ଶତାଧିକ ଚାଷୀ ଆନ୍ଦୋଳନ ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିବା ସହ ଆନ୍ଦୋଳନ ଜାରି ରଖିଥିଲେ।

ଶେଷରେ ଚଳିତ ବର୍ଷ ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ସହ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ। ଏହାପରେ ଲୋକସଭା ଓ ରାଜ୍ୟସଭାରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। ତେବେ ଚାଷୀମାନେ ଏମଏସ୍‌ପିର ଗ୍ୟାରେଣ୍ଟି, ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିଲେ।

ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି ମଙ୍ଗଳବାର ଲଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ଉପରେ ମୋର୍ଚ୍ଚା ପକ୍ଷରୁ ଦୁଇ ଦିନ କାଳ ସିଙ୍ଘୁ ସୀମାରେ ବୈଠକ ବସିଥିଲା। ଶେଷରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରି ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଚାଷୀ ନେତା ଗୁରୁନାମ ସିଂହ କହିଛନ୍ତି, “ଆମେ ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଜାନୁଆରୀ ୧୫ରେ ଗୋଟିଏ ସମୀକ୍ଷା ବୈଠକ କରିବୁ। ଯଦି ସରକାର ପ୍ରତିଶ୍ରୁତି ପୂରଣ ନ କରିବେ, ତା’ହେଲେ ଆମେ ପୁଣି ଆନ୍ଦୋଳନ ଆରମ୍ଭ କରିବୁ। ଆଜି ବି ଏମଏସ୍‌ପି ଓ ଋଣ ଭଳି ସମସ୍ୟା ଚାଷୀଙ୍କ ଆଗରେ ରହିଛି।

ସେହିପରି ଏହି ଆନ୍ଦୋଳନ ପୂରା ଦେଶର ଚାଷୀଙ୍କର ଥିଲା। ଆଜି ଆମେ ଗୋଟିଏ ବଡ଼ ବିଜୟ ସହ ଘରକୁ ଫେରୁଛୁ।” ଆନ୍ଦୋଳନରତ ଚାଷୀମାନେ ଆସନ୍ତା ୧୧ ତାରିଖରୁ ଆନ୍ଦୋଳନସ୍ଥଳ ଖାଲି କରିଦେବେ। ୧୦ ତାରିଖରେ ଶୋକସଭା ଆୟୋଜନ ହେବ। ୧୧ ତାରିଖରେ ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ।

ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଅନ୍ୟତମ ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି। ଏଥିସହ ଆନ୍ଦୋଳନ ଯୋଗୁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଚାଷୀମାନେ କ୍ଷମା ମଧ୍ୟ ମାଗିଛନ୍ତି।

ସରକାର ଚାଷୀଙ୍କ ପାଖକୁ ପଠାଇଥିବା ଚିଠିରେ ଏମଏସ୍‌ପି ଧାର୍ଯ୍ୟ ଓ ଏହାକୁ ଆଇନଗତ ମାନ୍ୟତା ଦେବାକୁ କମିଟି ଗଠନ ହେବ ବୋଲି କହିଛନ୍ତି। ଏହି କମିଟିରେ କେନ୍ଦ୍ର, ରାଜ୍ୟର ସଦସ୍ୟ, କୃଷି ବିଶେଷଜ୍ଞ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବେ। ସେହିପରି ନଡ଼ା ଜାଳିବା ପାଇଁ ଚାଷୀଙ୍କ ଉପରେ ଲାଗୁ ହେଉଥିବା ଜୋରିମାନା ପ୍ରାବଧାନକୁ ସରକାର ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା।

ଏହାକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ଚିଠିରେ ଉଲ୍ଲେଖ କରିଛନ୍ତି। ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଥିବା ଜଣାପଡ଼ିଛି।

Related story