କିଭଳି ହୋଇଥିଲା ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ୍, କାରଣ କହିଲା IAF

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର MI-17V5 ଦୁର୍ଘଟଣା ସମ୍ପର୍କରେ ବାୟୁସେନାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ, କିନ୍ତୁ ଏହା ପଛର ମୁଖ୍ୟ କାରଣ ଖରାପ ପାଗ ବୋଲି ବିଶ୍ୱାସ କରାଯାଉଛି। କୁହାଯାଉଛି ଯେ ଏୟାର ମାର୍ଶଲ ମନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ନିଜ ଧ୍ୟାନ ହରାଇଥିଲେ, […]

Bipin Rawat

Madhupriya Mistry
  • Published: Sunday, 02 January 2022
  • , Updated: 02 January 2022, 04:28 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର MI-17V5 ଦୁର୍ଘଟଣା ସମ୍ପର୍କରେ ବାୟୁସେନାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ, କିନ୍ତୁ ଏହା ପଛର ମୁଖ୍ୟ କାରଣ ଖରାପ ପାଗ ବୋଲି ବିଶ୍ୱାସ କରାଯାଉଛି। କୁହାଯାଉଛି ଯେ ଏୟାର ମାର୍ଶଲ ମନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ନିଜ ଧ୍ୟାନ ହରାଇଥିଲେ, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି।

ଟେକ୍‌ନିକାଲ ଆଧାରରେ ପାଇଲଟ୍ ଧ୍ୟାନ ହରାଇଲେ କିମ୍ବା ପରିସ୍ଥିତିର ସଠିକ୍ ପୂର୍ବାନୁମାନ ନକଲେ ଏହିପରି ଦୁର୍ଘଟଣା ଘଟେ। ଏହା ବ୍ୟତୀତ, ଏହାମଧ୍ୟ ହୋଇପାରେ ଯେ ପାଇଲଟ୍ ଅଜାଣତରେ କିଛି ପୃଷ୍ଠ ସହିତ ମୁହାଁମୁହିଁ ହୋଇଥିଲେ। ଏହିପରି ପରିସ୍ଥିତିକୁ ନିୟନ୍ତ୍ରିତ ଫ୍ଲାଇଟ୍ ଇନ୍ ଟେରେନ୍ (CIFT) କୁହାଯାଏ।

ପାଇଲଟ ହେଲିକପ୍ଟରରେ ଲ୍ୟାଣ୍ଡ କରିବା ସମୟରେ ଖରାପ ପାଗ ଯୋଗୁଁ ଏହି ପ୍ରକାରର ଦୁର୍ଘଟଣା ପ୍ରାୟତଃ ଘଟେ। ଏଭଳି ପରିସ୍ଥିତିରେ ପାଇଲଟଙ୍କ ପାଇଁ ହେଲିକପ୍ଟରକୁ ନିୟନ୍ତ୍ରଣ କରିବା ପ୍ରାୟ ଅସମ୍ଭବ ହୋଇପଡେ। ତେବେ ଉକ୍ତ ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା ବୋଲି ତଦନ୍ତ କମିଟି ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ତଦନ୍ତକାରୀ ଦଳ ଏହି ରିପୋର୍ଟକୁ ଆହୁରି ସ୍ପଷ୍ଟ କରିବା ପାଇଁ ବାୟୁସେନାର ଆଇନ ବିଭାଗର ପରାମର୍ଶ ନେଉଛନ୍ତି। ଆଶା କରାଯାଉଛି ଯେ ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଏହି ରିପୋର୍ଟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର. ଚୌଧୁରୀଙ୍କୁ ହସ୍ତାନ୍ତର କରାଯାଇପାରେ।

ସୂଚନା ମୁତାବକ, ଗତ ମାସରେ ତାମିଲନାଡୁର କୁନ୍ନୁରରେ ଦେଶ ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ସେ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁସେନା ହେଲିକପ୍ଟର MI-17V5ଟି ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

Related story