କୋଲକାତା:ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବେଙ୍ଗଲ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଏକ ଶିଶୁ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଥିଲେ। ଏଥିପାଇଁ ବେଲଙ୍ଗଲର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତାଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇଥିଲେ। ଗିରଫ ହୋଇଥିବା ପାର୍ଥଙ୍କ ସହ ଅର୍ପିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅର୍ପିତାଙ୍କ ଘରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଜବତକୁ ନେଇ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଦାଖଲ କରିଥିବା ଚାର୍ଜସିଟ୍ରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରହିଛି। ପ୍ରଥମେ ଅର୍ପିତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପାର୍ଥ କହିଥିଲେ। କିନ୍ତୁ ଅର୍ପିତାଙ୍କଠାରୁ ପୋଷ୍ୟ ପ୍ରମାଣପତ୍ର ମିଳିବା ପରେ ପାର୍ଥଙ୍କୁ ଜେରା କରଥିଲା ଇଡି।
ଉତ୍ତରରେ ପାର୍ଥ କହିଥିଲେ ଯେ, ସେ ଯେହେତୁ ଜଣେ ଲୋକପ୍ରତିନିଧି ତାଙ୍କ ପାଖକୁ ବହୁ ଲୋକ ବିଭିନ୍ନ କାମ ନେଇ ଆସନ୍ତି। ଏଭଳି ପ୍ରମାଣପତ୍ର ପାଇଁ ମଧ୍ୟ ତାଙ୍କ ସୀକୃତି ଲାଗି ଅନେକ ଲୋକେ ଆସନ୍ତି। ଏହି ଜେରା ବେଳେ ଅର୍ପିତାଙ୍କ ସର୍ମ୍ପକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ପାର୍ଥ। କିନ୍ତୁ ଅର୍ପିତାଙ୍କ ଇନ୍ସରାନ୍ସ ପେପରରେ ପାର୍ଥ ନୋମିନ୍ ରହିଥିବା ଇଡି ପ୍ରମାଣ ପାଇଛି। ଏ ବିଷୟରେ ମଧ୍ୟ ଇଡି ପାର୍ଥଙ୍କୁ ପଚରାଉଚରା କରିଥିଲା। ସେହିପରି ଅର୍ପିତା ଏବଂ ପାର୍ଥଙ୍କ ଘରେ ରେଡ୍ ଓ ଭୟଙ୍କ ଘରୁ ଜବତ ଟଙ୍କା ଓ କାଗଜପତ୍ରକୁ ନେଇ ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ବ୍ୟାପକ ପରିମାଣରେ ଅର୍ଥ ଜବତ ପରେ ଉଭୟ ପାର୍ଥ ଏବଂ ଅର୍ପିତା ଗିରଫ ହୋଇ ଜେଲରେ ଅଛନ୍ତି।
ପୂର୍ବରୁ ଅର୍ପିତାଙ୍କ ଘରେ ଚଢଉ କରି ଇଡି ପ୍ରାୟ ୫୦ କୋଟିର ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା। ଜେରା ସମୟରେ ଅର୍ପିତା କହିଥିଲେ ଯେ ଯେଉଁ ଘରୁ ଟଙ୍କା ଓ ସୁନା ଜବତ ହୋଇଛି ସେହି ଘରକୁ ପାର୍ଥ ସର୍ବଦା ତାଲା ପକାଇ ରଖିଥାନ୍ତି। ତାଙ୍କୁ ସେହି ଘରକୁ ଯିବାକୁ ଅନୁମତି ମଧ୍ୟ ଦିଆଯାଇ ନଥାଏ। ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ପାର୍ଥ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସରକାର ଓ ଦଳରୁ ବିଦା କରିଛନ୍ତି। ଅନ୍ୟପଟେ ଅଭିଯୋଗକୁ ପାର୍ଥ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି।