ଲକଡାଉନ ଭୟ: ପୁଣି ଘର ମୁହାଁ ହେଲେଣି ପ୍ରବାସୀ ଶ୍ରମିକ

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ପ୍ରଭାବିତ କରିବାରେ ଲାଗିଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପି ନଥିଲା। ହେଲେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦୈନିକ ସଂକ୍ରମଣ ଏକାଥରେ ଲକ୍ଷେ ଟିପିଛି। କରୋନା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ଦୈନିକ ସଂକ୍ରମଣ ପ୍ରାୟ ୬୦ ହଜାର ରହୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। […]

migrants

Hemant Lenka
  • Published: Monday, 05 April 2021
  • , Updated: 05 April 2021, 03:27 PM IST

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ପ୍ରଭାବିତ କରିବାରେ ଲାଗିଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପି ନଥିଲା। ହେଲେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି।

ଦୈନିକ ସଂକ୍ରମଣ ଏକାଥରେ ଲକ୍ଷେ ଟିପିଛି। କରୋନା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ଦୈନିକ ସଂକ୍ରମଣ ପ୍ରାୟ ୬୦ ହଜାର ରହୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ସପ୍ତାହାନ୍ତ ଲକଡାଉନ ଠାରୁ ଆରମ୍ଭ କରି ଅନେକ କଟକଣା ଲଗାଇଛନ୍ତି। ଆଗକୁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବାର ଆଶଙ୍କା ଥିବାରୁ ପ୍ରବାସୀ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି।

ପୂର୍ବବର୍ଷ ଯେତେବେଳେ ପୂରା ଦେଶରେ ଲକଡାଉନ ଲାଗୁ ହୋଇଥିଲା ସେତେବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସାରା ବିଶ୍ୱ ଦେଖିଥିଲା। ପ୍ରବାସୀ ଶ୍ରମିକମାନେ ଶହଶହ କିମି ଚାଲିଚାଲି ନିଜ ଗାଁକୁ ଫେରିବାର ଘଟଣା ସାରା ଦେଶକୁ ଆନ୍ଦୋଳିତ କରିଥିଲା। ଏବେ ପୁଣି ଥରେ ଲକଡାଉନ ଲାଗୁ ହେବା ଆଶଙ୍କାରେ ମହାରାଷ୍ଟ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି।

ବିଶେଷ କରି ରେଷ୍ଟୁରାଷ୍ଟ, ଶିଳ୍ପ ୟୁନିଟ ଓ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ନାଶିକରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଆଜି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବେଙ୍ଗଲକୁ ଫେରୁଥିବା ଦେଖିବାକୁ ମିଳିଛି। ନାଶିକର ଗୋଟିଏ ରେଷ୍ଟୁରାଣ୍ଟରେ ରୋଷେୟା ଭାବେ କାମ କରୁଥିବା ରୋଶନ କୁମାର ସିଂହଙ୍କ ଘର ହେଉଛି ଉତ୍ତର ପ୍ରଦେଶର କାନପୁର। ସେ ଆଜି ନିଜ ପରିବାର ସହ ନିଜ ଗାଁକୁ ଫେରିଛନ୍ତି।

ସେ କହିଛନ୍ତି, ମୋ ଭାଇ ଏଠାରେ କାମ କରୁଛି। କିନ୍ତୁ ମୁଁ ତା’ର ଓ ମୋ ପରିବାରର ସଦସ୍ୟଙ୍କୁ ନେଇ ଆମ ଗାଁକୁ ଫେରି ଯାଉଛି। ଯଦି ଏଠାରେ ପୁଣି ଲକଡାଉନ ହେବ, ତା’ହେଲେ ଆମର ଚଳିବା କଷ୍ଟକର ହୋଇଯିବ। ଲକଡାଉନ ହେଲେ ଗାଁକୁ ଫେରିବା ଅସମ୍ଭବ ହୋଇଯିବ। ଗତଥର ଲକଡାଉନ ବେଳେ ଆମେ ଅନେକ ଯନ୍ତ୍ରଣା ଭୋଗିଥିଲୁ ବୋଲି ସେ କହିଛନ୍ତି।

ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ଅନୁରାଗ ସିଂହ ମଧ୍ୟ ଲକଡାଉନ ଭୟରେ ନିଜ ପରିବାର ଲୋକଙ୍କୁ ଧରି ଗାଁକୁ ଫେରିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ଆଜି ମୁଁ ମୋ ପରିବାରକୁ ଧରି ନିଜ ରାଜ୍ୟ ଉତ୍ତର ପ୍ରଦେଶକୁ ଫେରୁଛି। ସେଠାରେ ସ୍ଥିତି ଭଲ ରହିଛି। ଆମେ ସେଠାରେ କଷ୍ଟମଷ୍ଟେ ଚଳିଯିବୁ। ସେଠାରେ ଆମର ଗୋଟିଏ ଫାର୍ମ ଅଛି। ଆମକୁ ରହିବା ଓ ଖାଇବାକୁ ଟଙ୍କା ଦେବାକୁ ପଡ଼ିବ ନାହିଁ।”

ଛୋଟଛୋଟ ବ୍ୟବସାୟ କରୁଥିବା ସଂସ୍ଥାଗୁଡ଼ିକ ଲକଡାଉନ ବେଳେ ନିଜର କର୍ମଚାରୀଙ୍କୁ ସହାୟତା କରିପାରିବେ ନାହିଁ ବୋଲି ପ୍ରବାସୀ ଶ୍ରମିକମାନେ ଭଲ ଭାବେ ଜାଣିଛନ୍ତି। ତେଣୁ ଲକଡାଉନ ପୂର୍ବରୁ ସେମାନେ ନିଜ ନିଜ ରାସ୍ତା ବାଛିବା ଆରମ୍ଭ କରିଛନ୍ତି। ବେଙ୍ଗଲର ପ୍ରବାସୀ ଶ୍ରମିକ ଅମିତ ଦାସ କହିଛନ୍ତି, ଗତଥର ଲକଡାଉନ ବେଳେ ମାଲିକଙ୍କ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା। ଟ୍ରେନ ଚଳାଚଳ କରିବା ଯାଏ ସେ ଆମକୁ ସବୁ ପ୍ରକାରର ସହାୟତା କରିଥିଲେ। ଲକଡାଉନ କଟକଣା ହଟିବା ପରେ ମୁଁ ତାଙ୍କ ପାଖକୁ କାମ କରିବାକୁ ଆସିଥିଲି।

ଏବେ ସେ ଆଗୁଆ ଆମକୁ କାମ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ଆମେ ମଧ୍ୟ ତାଙ୍କ ସମସ୍ୟା ବୁଝି ପାରୁଛୁ। ତେଣୁ ମୁଁ ମୋ ପରିବାର ଧରି ଘରକୁ ଫେରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। କେବଳ ଏହି ନାଶିକ ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ ଭୟରେ ନିଜ ନିଜ ଗାଁକୁ ଫେରିବାରେ ଲାଗିଛନ୍ତି।

Related story