ସମସ୍ତ ପ୍ରକାରର ସାଧାରଣ ସଭାକୁ ବାତିଲ କଲେ ମମତା ବାନାର୍ଜୀ

କୋଲକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ବଳକା ଥିବା ୨ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ସେ ଆଉ କୌଣସି ପ୍ରକାରର ସାଧାରଣ ସଭା କରିବେ ନାହିଁ। ଆଜି ମମତା ତାଙ୍କର ସମସ୍ତ ପ୍ରକାରର ସାଧାରଣ ସମାବେଶକୁ ବାତିଲ କରିଦେଇଛନ୍ତି। ଏଥିସହ ସେ କେବଳ ଭର୍ଚ୍ୟୁଆଲ ପ୍ରଚାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି। ମମତା ଟ୍ୱିଟ କରି […]

Didi

Hemant Lenka
  • Published: Thursday, 22 April 2021
  • , Updated: 22 April 2021, 09:50 PM IST

କୋଲକାତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ବଳକା ଥିବା ୨ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ସେ ଆଉ କୌଣସି ପ୍ରକାରର ସାଧାରଣ ସଭା କରିବେ ନାହିଁ। ଆଜି ମମତା ତାଙ୍କର ସମସ୍ତ ପ୍ରକାରର ସାଧାରଣ ସମାବେଶକୁ ବାତିଲ କରିଦେଇଛନ୍ତି। ଏଥିସହ ସେ କେବଳ ଭର୍ଚ୍ୟୁଆଲ ପ୍ରଚାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି।

ମମତା ଟ୍ୱିଟ କରି କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିସହ ନିର୍ବାଚନ କମିଶନ ମଧ୍ୟ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ଇସିଙ୍କ କଟକଣାକୁ ସମ୍ମାନ ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଁ ମୋର ସମସ୍ତ ପ୍ରକାରର ସାଧାରଣ ସଭା ବା ସମାବେଶକୁ ବାତିଲ କରୁଛି। ଆମେ ଏବେ ଭର୍ଚ୍ୟୁଆଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବୁ। ଭର୍ଚ୍ୟୁଆଲ ମିଟିଂ କେଉଁଠି ଓ କେମିତି ହେବ, ତା’ର ପୂରା ବିବରଣୀ ଖୁବଶୀଘ୍ର ଦିଆଯିବ ବୋଲି ଦିଦି କହିଛନ୍ତି।

ସୂଚନା ଅନୁସାରେ ମମତା ବାନାର୍ଜୀ ଶୁକ୍ରବାର ୪ଟି ସ୍ଥାନରେ ସାଧାରଣ ସମାବେଶ କରି ଲୋକଙ୍କୁ ସମ୍ବୋଧନ କରିବାର ଥିଲା। ଦିନ ୧୧ଟାରୁ ସେ ରାଲି ଆରମ୍ଭ କରି ସନ୍ଧ୍ୟା ୭ଟା ସୁଦ୍ଧା ଶେଷ କରିଥାଆନ୍ତେ। ହେଲେ ଆଜି ସେ ସମସ୍ତ ପ୍ରକାରର ସାଧାରଣ ସଭାକୁ ବାତିଲ କରିଦେଇଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତ ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପି ଚାଲିଛି। ଏପରି ସ୍ଥିତିରେ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ସଂକ୍ରମଣର ଆଶଙ୍କା ଆହୁରି ବଢ଼ୁଛି। ରାଜନେତାମାନେ କରୁଥିବା ସମାବେଶରେ ଯୋଗ ଦେଉଥିବା ଲୋକମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତାକୁ ମାନୁନାହାନ୍ତି।

ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପ୍ରଚାର ଉପରେ କଟକଣା ଲଗାଇଥିଲେ। ନିର୍ବାଚନ କମିଶନ ଧାରା ୩୨୪ରେ ଥିବା ସ୍ୱତନ୍ତ୍ର କ୍ଷମତାର ବ୍ୟବହାର କରି ବେଙ୍ଗଲରେ ରୋଡ ଶୋ’, ପଦଯାତ୍ରା, ସାଇକେଲ, ବାଇକ ଓ ଗାଡ଼ି ଶୋଭାଯାତ୍ରାକୁ ସଂପୂର୍ଣ୍ଣ ଭାବେ ବାରଣ କରିଥିଲେ। ଏହାବାଦ୍‌ ଖୋଲା ସ୍ଥାନରେ ହେଉଥିବା ସାଧାରଣ ସଭାରେ ଏଣିକି ୫୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ। ପଡ଼ିଆର ଆକାର ଅନୁଯାୟୀ ଜନସମାଗମକୁ ଅନୁମତି ମିଳିବ। ଯେଉଁ ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାର ବ୍ୟବସ୍ଥା ଥିବ, ସେହିଠାରେ ହିଁ ସାଧାରଣ ସଭା କରିବାକୁ ରାଜନୀତିକ ଦଳଗୁଡ଼ିକୁ ଅନୁମତି ମିଳିବ।

ଆଜିର ବିଜ୍ଞପ୍ତି ପୂର୍ବରୁ କୌଣସି ରାଜନୀତିକ ଦଳକୁ ରୋଡ ଶୋ’ କିମ୍ବା ପଦଯାତ୍ରା କରିବାକୁ ଅନୁମତି ମିଳି ସାରିଥିବ, ତା’ହେଲେ ସେଗୁଡ଼ିକୁ ବାତିଲ କରାଯିବ। ସେହିପରି ସାଧାରଣ ସଭା ପାଇଁ ମିଳିଥିବା ଅନୁମତିକୁ ମଧ୍ୟ ନୂଆ ନିର୍ଦ୍ଦେଶନାମା ଅନୁସାରେ ପରିବର୍ତ୍ତନ କରାଯିବ ବୋଲି କମିଶନ କହିଥିଲେ। ଏହି ବିଜ୍ଞପ୍ତିର କିଛି ଘଣ୍ଟା ପରେ ମମତା ତାଙ୍କର ସମସ୍ତ ପ୍ରକାରର ସାଧାରଣ ସଭାକୁ ବାତିଲ କରିଛନ୍ତି।

Related story