ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ’ ସହ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ । ଯାହାର ଫୋକସ୍ରେ ରହିଛି ମିଶନ ୨୦୨୪ ସାଧାରଣ ନିର୍ବାଚନ ସହ ଚଳିତ ବର୍ଷ ହେବାକୁ ଥିବା ୯ ରାଜ୍ୟରେ ବିଧାନସଭା । ଭୋଟ୍ ପାଇଁ ପ୍ରସ୍ତୁତ ହେଉଛି ଷ୍ଟ୍ରାଟେଜି। ମୋଦିଙ୍କ ନେତୃତ୍ୱରେ ଦଳକୁ ପୁଣି କେନ୍ଦ୍ରରେ କ୍ଷମତାସୀନ କରାଇବା ଓ ୨୪ ଇଲେକ୍ସନ ପୂର୍ବରୁ ସେମି ଫାଇନାଲ୍ ଭାବେ ବିବେଚନା କରାଯାଉଥିବା ୯ରାଜ୍ୟରେ ବି ପଦ୍ମ ଫୁଟାଇବାକୁ ଚାଲିଛି ମାନସ ମନ୍ଥନ । ଚଳିତ ବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ଼ ସହ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ ।
ଏହାବାଦ୍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ବି ହୋଇପାରେ ଇଲେକ୍ସନ । ଏ ସବୁ ରାଜ୍ୟରେ ଯେପରି ପଦ୍ମ ଫୁଟିବ ସେଥିପାଇଁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଆଜିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ରାଷ୍ଟ୍ରୀ କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ। ଏଥିସହ ମୋଦିଙ୍କ ନେତୃତ୍ୱରେ ୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ଦଳ କିଭଳି ବହୁମତ ହାସଲ କରି କ୍ଷମତା ବଜାୟ ରଖିବ, ସେଥିପାଇଁ ବି ଚାଲିଛି ଷ୍ଟ୍ରାଟେଜି ମେକିଂ । ଦଳର ସମସ୍ତ ପ୍ରଦେଶ ଅଧ୍ୟକ୍ଷ, ସଂଗଠନ ମହାମନ୍ତ୍ରୀ ଓ ପ୍ରଭାରୀମାନଙ୍କୁ ମଞ୍ଚ ଉପରୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ଅନ୍ୟପଟେ ଜାନୁଆରୀ ୨୦ରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଆଗାମୀ ନିର୍ବାଚନ ପାଇଁ ବଢ଼ାଯାଇପାରେ ବୋଲି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇପାରେ ।
ସେହିପରି ବରିଷ୍ଠ ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇପାରେ । କାର୍ଯ୍ୟକାରିଣୀ ବୈଠକ ପରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । କିଛି ହେଭିୱେଟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ସଂଗଠନ ଦାୟିତ୍ୱ ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି, ଗୁଜରାଟରେ ଭଲ ପ୍ରଦର୍ଶନ କରିଥିବା କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ଅନ୍ୟପଟେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେହି ରାଜ୍ୟର କିଛି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇପାରେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।