ରାସ୍ତାରେ ଯାଉଥିବା ବେଳେ ଭୁଶୁଡ଼ିଲା ବିଲଡିଂ, ଚାଲିଗଲା ୨ ଛୋଟ ପିଲାଙ୍କ ଜୀବନ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ପରିବା ମଣ୍ଡିରେ ଥିବା ଗୋଟିଏ ୩ ମହଲା କୋଠା ଆଜି ହଠାତ୍‌ ଭୁଶୁଡ଼ି ପଡ଼ିଛି। ବିଲଡିଂ ଭୁଶୁଡ଼ିବା ଯୋଗୁ ଅନେକ ଲୋକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଇତି ମଧ୍ୟରେ ଧ୍ୱଂସାବଶେଷ ତଳୁ ଉଦ୍ଧାର ହୋଇଥିବା ୨ ଜଣ ଛୋଟ ପିଲା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏମାନେ ପରିବା ମାର୍କେଟର ରାସ୍ତା ଦେଇ ଯାଉଥିବା ବେଳେ ବିଲଡିଂ ଭୁଶୁଡ଼ିବା ଜନିତ ଅଘଟଣର ଶିକାର ହୋଇଥିଲେ। ଦିଲ୍ଲୀ ପୁଲିସ୍‌ […]

Building

Hemant Lenka
  • Published: Monday, 13 September 2021
  • , Updated: 13 September 2021, 05:13 PM IST

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ପରିବା ମଣ୍ଡିରେ ଥିବା ଗୋଟିଏ ୩ ମହଲା କୋଠା ଆଜି ହଠାତ୍‌ ଭୁଶୁଡ଼ି ପଡ଼ିଛି। ବିଲଡିଂ ଭୁଶୁଡ଼ିବା ଯୋଗୁ ଅନେକ ଲୋକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଇତି ମଧ୍ୟରେ ଧ୍ୱଂସାବଶେଷ ତଳୁ ଉଦ୍ଧାର ହୋଇଥିବା ୨ ଜଣ ଛୋଟ ପିଲା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

ଏମାନେ ପରିବା ମାର୍କେଟର ରାସ୍ତା ଦେଇ ଯାଉଥିବା ବେଳେ ବିଲଡିଂ ଭୁଶୁଡ଼ିବା ଜନିତ ଅଘଟଣର ଶିକାର ହୋଇଥିଲେ। ଦିଲ୍ଲୀ ପୁଲିସ୍‌ କହିଛି ଯେ ଉଦ୍ଧାରକାରୀ ଦଳ ଜଣେ ମହିଳାଙ୍କ ସମେତ ଧ୍ୱଂସାବଶେଷ ତଳୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୨ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସେହିପରି ଏବେ ବି ୩ରୁ ୪ ଜଣ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବିଲଡିଂ ମଧ୍ୟରେ ନିର୍ମାଣ କାମ ଚଳାଇଥିବା ଦୋକାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୩୦୪ ଧାରାରେ ଏଫଆଇଆର ହେବ ବୋଲି ପୁଲିସ୍‌ କହିଛି।

ବିଲଡିଂ ଭୁଶିଡ଼ା ଯୋଗୁ ଗୋଟିଏ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିଶମ ବାହିନୀ ଓ ଆର୍ଥମୁଭର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପରିବା ମଣ୍ଡିରେ ବିଲଡିଂ ଭୁଶୁଡ଼ିବା ଯୋଗୁ ଏହାର ଆଖପାଖରେ ଥିବା କୋଠା ଓ ପ୍ରତିଷ୍ଠାନଗୁଡ଼ିକ ଦୋହଲି ଯାଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି।

ରାଜଧାନୀ ଦିଲ୍ଲୀର ମଲକା ଗଞ୍ଜ ଅଞ୍ଚଳରେ ଏହି ପରିବା ମଣ୍ଡିଟି ରହିଛି। ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଥିଲା। ଏହି କାରଣରୁ ଆଜି ବିଲଡିଂଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଆଜି ଅପରାହ୍ନ ୧୧.୫୦ରେ ପୁଲିସ୍‌ ବିଲଡିଂ ଭୁଶୁଡ଼ିବା ସମ୍ପର୍କରେ ଖବର ପାଇଥିଲା।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ପରିବା ମଣ୍ଡି ଅଞ୍ଚଳରେ ବିଲଡିଂ ଭୁଶୁଡ଼ିବା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି। ମୁଁ ନିଜେ ପୂରା ଘଟଣାର ମନିଟରିଂ କରୁଛି।” ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ଦିଲ୍ଲୀର ଯୁଗ୍ମ ସିପି ଏନ୍‌ଏସ୍‌ ବୁନ୍ଦେଲା କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ୍‌, ଏମସିଡି, ଏନଡିଆରଏଫ ଓ ଅନ୍ୟ ଟିମଗୁଡ଼ିକ ନିୟୋଜିତ ହୋଇଛନ୍ତି। ଧ୍ୱଂସାବଶେଷ ତଳେ କେତେ ଜଣ ଫସି ରହିଛନ୍ତି, ତା’ର ଯାଞ୍ଚ ପାଇଁ ସମୟ ଦରକାର। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।

Related story