ବିକ୍ରି ହେବ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପତ୍ତି!

ନୂଆଦିଲ୍ଲୀ: ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସଂପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ରାସ୍ତା, ରେଳବାଇ, ଏୟାରପୋର୍ଟ, ବିଜୁଳି ଟ୍ରାନ୍ସମିଶନର ଲାଇନ ଓ ଗ୍ୟାସ ପାଇପ ଲାଇନ ଆଦି କ୍ଷେତ୍ରର କେତେକ ସମ୍ପତ୍ତି ବିକ୍ରି ହେବ। ଆସନ୍ତା ୪ ବର୍ଷ ମଧ୍ୟରେ ଏସବୁ ଭତ୍ତିଭୂମିରୁ କିଛି ଅଂଶ ବିକ୍ରି କରି ଦିଆଯିବ। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ତଥ୍ୟ ଖୁବଶୀଘ୍ର ଘୋଷଣା କରିବେ। […]

Road

Hemant Lenka
  • Published: Monday, 23 August 2021
  • , Updated: 23 August 2021, 05:45 PM IST

ନୂଆଦିଲ୍ଲୀ: ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସଂପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ରାସ୍ତା, ରେଳବାଇ, ଏୟାରପୋର୍ଟ, ବିଜୁଳି ଟ୍ରାନ୍ସମିଶନର ଲାଇନ ଓ ଗ୍ୟାସ ପାଇପ ଲାଇନ ଆଦି କ୍ଷେତ୍ରର କେତେକ ସମ୍ପତ୍ତି ବିକ୍ରି ହେବ। ଆସନ୍ତା ୪ ବର୍ଷ ମଧ୍ୟରେ ଏସବୁ ଭତ୍ତିଭୂମିରୁ କିଛି ଅଂଶ ବିକ୍ରି କରି ଦିଆଯିବ। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ତଥ୍ୟ ଖୁବଶୀଘ୍ର ଘୋଷଣା କରିବେ।

 ସରକାରଙ୍କ ଡିସଇନଭେଷ୍ଟମେଣ୍ଟ ବା ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଅଧୀନରେ ସରକାରୀ ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା ହୋଇଛି। ଏହାର ଅର୍ଥ ସରକାରଙ୍କ ଅଧୀନରେ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ରହିବ ଓ ବାକି ଘରୋଇ ସଂସ୍ଥାଗୁଡ଼ିକ ନିୟନ୍ତ୍ରଣକୁ ଚାଲିଯିବ।

ମହାମାରୀ କରୋନା ବେଳେ ଟିକସ ଆଦାୟ ହ୍ରାସ ପାଇଥିବାରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ସରକାର ଏପରି ସରକାରୀ ସମ୍ପତ୍ତି ଘରୋଇ ସଂସ୍ଥା ହାତରେ ଟେକି ଦେଇ ୧.୭୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଚଳିତ ବର୍ଷ ପୁଞ୍ଜି ପ୍ରତ୍ୟାହାର ଯୋଜନାରେ ସାମିଲ ଥିବା ସବୁଠାରୁ ବଡ଼ ସଂସ୍ଥା ହେଉଛି ଏଲଆଇସି। ଏହାବାଦ୍‌ ଭାରତ ପେଟ୍ରୋଲିୟମ ଓ ଏୟାର ଇଣ୍ଡିଆ ଲିଃରେ ଥିବା ସରକାରୀ ଅଂଶ ବିକ୍ରି ହେବ।

ସରକାର ରାସ୍ତା ଭିତ୍ତିଭୂମିକୁ ବିକ୍ରି କରି ୧. ୬ ଲକ୍ଷ କୋଟି, ରେଲବାଇରୁ ୧.୫ ଲକ୍ଷ କୋଟି, ବିଜୁଳି କ୍ଷେତ୍ରରୁ ୧ ଲକ୍ଷ କୋଟି, ଗ୍ୟାସ ପାଇପ ଲାଇନରୁ ୫୯୦୦୦ କୋଟି ଓ ଟେଲିକମ୍ୟୁନିକେସନ ସମ୍ପତ୍ତିରୁ ୪୦୦୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାବାଦ୍ ପବ୍ଲିକ ୱେୟାରହାଉସ, ବେସାମରିକ ବିମାନ ଚଳଚଳ, ପୋର୍ଟ ଭିତ୍ତିଭୂମି ଓ କ୍ରୀଡ଼ା ଷ୍ଟାଡିୟମରୁ ମଧ୍ୟ ସରକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପାଇବେ।

ବଜେଟ ନିଅଣ୍ଟ ଭରଣା କରିବା ପାଇଁ ଏସବୁ ସରକାରୀ ସଂପତ୍ତିରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ସରକାରୀ ଅଂଶ ଘରୋଇ କମ୍ପାନୀକୁ ବିକି ଯେଉଁ ଅର୍ଥ ମିଳିବ ସେଥିରେ ବଜେଟ ନିଅଣ୍ଟ ଭରଣା ହୋଇପାରିବ ବୋଲି ଆକଳନ କରାଯାଉଛି। ପୂର୍ବ ବର୍ଷ ବଜେଟ ନିଅଣ୍ଟ ଜିଡିପିର ୯.୩% ଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୬.୮%କୁ ଖସି ଆସିବ ବୋଲି ଆକଳନ କରାଯାଉଛି।

ତେବେ ଏ ସମ୍ପର୍କରେ ଅର୍ଥମନ୍ତ୍ରଣାଳୟ ତରଫରୁ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରକାଶ ପାଇନାହିଁ।

Related story