ସାଇବର ଆଟାକ୍‌ କରି ମୁମ୍ବାଇରେ ବିଜୁଳି ବିଭ୍ରାଟ କରିଥିଲା ଚାଇନା

ମୁମ୍ବାଇ: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚାଇନା ସାଇବର ଆଟାକ ମଧ୍ୟ କରିଛି। ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଦୀର୍ଘ ସମୟ ଧରି ବିଜୁଳି ବିଭ୍ରାଟ ଦେଖାଯାଇଥିଲା। ଟ୍ରେନ୍‌ ଚଳାଚଳ ଠାରୁ ଆରମ୍ଭ କରି ବେପାର ବଣିଜ କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ଏହା ପଛରେ ଚାଇନାର ସାଇବର ଆଟାକ ଥିବା ନ୍ୟୁୟର୍କ ଟାଇମ୍ସରେ ଆଶଙ୍କା କରାଯାଇଛି। ଏହି ଖବର ସଂପୂର୍ଣ୍ଣ ସତ୍ୟ ଓ ମୁମ୍ବାଇରେ ବିଜୁଳି ବିଭ୍ରାଟ ପଛରେ ଚାଇନାର […]

China

Hemant Lenka
  • Published: Monday, 01 March 2021
  • , Updated: 01 March 2021, 05:01 PM IST

ମୁମ୍ବାଇ: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚାଇନା ସାଇବର ଆଟାକ ମଧ୍ୟ କରିଛି। ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଦୀର୍ଘ ସମୟ ଧରି ବିଜୁଳି ବିଭ୍ରାଟ ଦେଖାଯାଇଥିଲା। ଟ୍ରେନ୍‌ ଚଳାଚଳ ଠାରୁ ଆରମ୍ଭ କରି ବେପାର ବଣିଜ କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ଏହା ପଛରେ ଚାଇନାର ସାଇବର ଆଟାକ ଥିବା ନ୍ୟୁୟର୍କ ଟାଇମ୍ସରେ ଆଶଙ୍କା କରାଯାଇଛି। ଏହି ଖବର ସଂପୂର୍ଣ୍ଣ ସତ୍ୟ ଓ ମୁମ୍ବାଇରେ ବିଜୁଳି ବିଭ୍ରାଟ ପଛରେ ଚାଇନାର ସାଇବର ଆଟାକ ରହିଥିବା ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନୀତୀନ ରାଉତ ଆଜି କହିଛନ୍ତି।

ଭାରତରେ କରୋନା ମହାମାରୀର ସଙ୍କଟ ଚାଲିଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଏକ ବଡ଼ଧରରଣ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା। ଏହି କାରଣରୁ ଟ୍ରେନଗୁଡ଼ିକ ରାସ୍ତାରେ ଅଟକି ରହିଥିଲା ଓ ହସ୍ପିଟାଲ ଗୁଡ଼ିକ ଜେନେରେଟର ଚଳାଇ ଭେଣ୍ଟିଲେଟରରେ ରୋଗୀଙ୍କ ଚିକିତ୍ସା କରିଥିଲେ। ଏ ବିଷୟରେ ଏବେ ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ ଚାଇନାର ହ୍ୟାକର ଗୋଷ୍ଠୀ RedEcho ଭାରତୀୟ ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଛି। ଏହି ଗ୍ରୁପ୍‌ ହିଁ ଭାରତୀୟ ପାୱାର ପ୍ଲାଣ୍ଟରେ ମାଲୱେର ଛାଡ଼ି ଏହାକୁ ଅଚଳ କରିଦେଇଥିଲା। ଗଲୱାନ ଉପତ୍ୟକାରେ ଉଭୟ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖାଦେଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଚାଇନା ମଧ୍ୟ ଅନେକ ଯବାନଙ୍କୁ ହରାଇଥିଲା।

ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚମର ସୀମାରେ ପହଞ୍ଚିଥିଲା। ଭାରତକୁ ଶିକ୍ଷା ଦେବା ପାଇଁ ଚାଇନାର ହ୍ୟାକରମାନେ ବିଜୁଳି ବିତରଣ କେନ୍ଦ୍ର ବା ଗ୍ରୀଡ୍‌କୁ ଟାର୍ଗେଟ କରି ମାଲୱେର ଛାଡ଼ିଥିଲେ। ଏଥିଯୋଗୁ ମୁମ୍ବାଇରେ ପ୍ରାୟ ୨ ଘଣ୍ଟା ଧରି ବିଜୁଳି କଟି ଯାଇଥିଲା। ଚାଇନିଜ୍ ମାଲୱେର ପ୍ରବାହକୁ ଆମେରିକାର ଏକ କମ୍ପାନୀ Recorded Future ଠାବ କରିଥିଲା।

ଏହି କମ୍ପାନୀ ଡିଜିଟାଲ ବିପଦର ଅଧ୍ୟୟନ କରିଥାଏ। କମ୍ପାନୀ କହିଛି ଯେ ଭାରତୀୟ ପାୱାର ଗ୍ରୀଡରେ ମାଲୱେର ପ୍ରବେଶ କରିଥିଲେ ହେଁ ଅଧିକାଂଶ ଆକ୍ଟିଭ ହୋଇ ନଥିଲା। ଏହି କାରଣରୁ ବେଶୀ କିଛି କ୍ଷତି ହୋଇ ନଥିଲା। କେବଳ ମାଲୱେରର ଛୋଟିଆ ଅଂଶ ମୁମ୍ବାଇରେ ବିଜୁଳି ବିଭ୍ରାଟ ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତୀନ ରାଉତ କହିଛନ୍ତି, ନ୍ୟୁୟର୍କ ଟାଇମ୍ସରେ କରାଯାଇଥିବା ଦାବିରେ ସତ୍ୟତା ରହିଛି। ଆମେ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲୁ। ସାଇବର ବିଭାଗ ଠାରୁ ଆମେ ଆଜି ସନ୍ଧ୍ୟାରେ ବିସ୍ତୃତ ରିପୋର୍ଟ ପାଇବୁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ସାଇବର ବିଭାଗ ମୁମ୍ବାଇ ବିଜୁଳି ବିଭ୍ରାଟ ପଛରେ ସାଇବର ଆଟାକ କଥା ସନ୍ଦେହ କରିଥିଲା।

Related story