ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ପୂର୍ବରୁ ବନ୍ଧା ହେବେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିପାରେ। କେବଳ ଗିରଫ ନୁହେଁ ତାଙ୍କ ଘରେ ଘନ ଘନ ରେଡ୍ ମଧ୍ୟ କରିପାରେ। କେନ୍ଦ୍ର ସରକାର କେବଳ ଇଡି ନୁହେଁ ସିବିଆଇ ଓ ଅନ୍ୟ କର୍ମଚାରୀଙ୍କୁ ପଠାଇ ଖୋଲତାଡ କରିବେ। ଏ କଥା ଆମେ କହୁନି, ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି କିଛି ଅଭିଯୋଗ ଆଣିଛନ୍ତି।
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଲଢ଼େଇ ଚରମରେ ପହଞ୍ଚିଛି। ଏହାରି ଭିତରେ ଆଜି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିବାକୁ ଯୋଜନା କରୁଥିବା ସେ ଅଭିଯୋଗ ଆଣଇଛନ୍ତି। ଇଡି ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିପାରେ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ପୂର୍ବରୁ ଦୁଇଥର ସତ୍ୟେନ୍ଦ୍ର ଜୈନ୍ଙ୍କ ଘରେ ଚଢ଼ାଉ କରିଥିଲେ ମଧ୍ୟ ସେମାନେ କିଛି ପାଇ ନ ଥିଲେ। କିନ୍ତୁ ଆମେ ଏଥର ମଧ୍ୟ ତାଙ୍କୁ ସ୍ୱାଗତ କରିବୁ। ଆଗକୁ ପଞ୍ଜାବ ନିର୍ବାଚନ। ବିଜେପି ପ୍ରତି ନିର୍ବାଚନ ପୂର୍ବରୁ ନିଜ ଏଜେନ୍ସିଗୁଡିକୁ ଛାଡି ଦିଏ। ବିଜେପିର କେନ୍ଦ୍ର ସରକାର ଇଡି ସମେତ ସିବିଆଇ, ଆୟକର ବିଭାଗ କିମ୍ବା ଦିଲ୍ଲୀ ପୁଲିସ ଅବା ଅନ୍ୟ ଏଜେନ୍ସିକୁ ପଠାଇ ପାରନ୍ତି, ଆମେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କେଜ୍ରିୱାଲ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।
ସେ ଆହୁରି କହିଛନ୍ତି, ଯେତେବେଳେ କୌଣସି ନିର୍ବାଚନରେ ବିଜେପିକୁ ହାରିବା ଭୟ ଘାରେ ସେତେବେଳେ ସବୁ ଏଜେନ୍ସି ଲାଗି ପଡନ୍ତି। କିନ୍ତୁ ଆମେ ଭୟ କରିବୁ ନାହିଁ। କାରଣ ଆମେ ସଚ୍ଚୋଟତାର ସହ କାମ କରିଛୁ, ଏଭଳି ଅନେକ ବାଧାବିଘ୍ନ ଆସିଲେ ବି ଆମର କିଛି କରିପାରିବ ନାହିଁ। ଆମେ କୌଣସି ଭୁଲ୍ କାମ କରିନୁ। ମୋ ଉପରେ ମଧ୍ୟ ପୂର୍ବରୁ ଅନେକ ଥର ରେଡ୍ ହୋଇ ସାରିଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ମଧ୍ୟ ଚଢ଼ାଉ ହୋଇସାରିଛି। ଜେଲ୍ ମଧ୍ୟ ଯାଇ ସାରିଛୁ।
ଯଦି ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରାଯାଏ ତେବେ ୫ରୁ ୬ ଦିନ ଭିତରେ ତାଙ୍କୁ ଜାମିନ ମିଳିଯିବ। ଆପଣ ଆମ ସମସ୍ତଙ୍କ ଘରେ ଚଢ଼ାଉ କରନ୍ତୁ, ଆମେ ସମସ୍ତଙ୍କୁ ସ୍ୱାଗତ କରିବକୁ ବୋଲି କହି କଡା ଭାଷାରେ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି।
ସୂଚନା ମୁତାବକ, ଗତ କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଚାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। କେଜ୍ରିୱାଲ ଟ୍ୱିଟ୍ କରି ଲେଖିଥିଲେ, 'ଚନ୍ନି ସାଧାରଣ ବ୍ୟକ୍ତି ନୁହନ୍ତି, ବେଇମାନ ଅଟନ୍ତି।' ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବାକୁ ନେଇ ଏଭଳି ଟ୍ୱିଟ୍ କରିଥିଲେ କେଜ୍ରିୱାଲ।
https://twitter.com/ArvindKejriwal/status/1485138207427952645?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।