ଚଣ୍ଡିଗଡ଼: ବକେୟା ବିଲ୍ ଦେଇନାହାନ୍ତି ପଞ୍ଜାବ କଂଗ୍ରେସର ପ୍ରମୁଖ ନେତା ନବଜୋତ ସିଂହ ସିଦ୍ଧୁ। ସ୍ୱତନ୍ତ୍ର କେସରେ ସିଦ୍ଧୁଙ୍କୁ ବକେୟା ବିଲ୍ ଦେବା ନେଇ ଛାଡ଼ ଦିଆଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା।ଏବେ ଏହାକୁ ନେଇ ଶକ୍ତି ବିଭାଗର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସିଦ୍ଧୁଙ୍କ ନାଁରେ ଏତେ ଟଙ୍କାର ବକେୟା ବିଦ୍ୟୁତ ବିଲ୍ କାହିଁକି ରହିଛି ସେ ଜାଣି ନାହାନ୍ତି। ସବଡିଭିଜନାଲ ଅଫିସ ଏ ବାବଦରେ ଜାଣିଥିବେ। ଏ ପ୍ରସଙ୍ଗରେ ଆଗାମୀ ଦିନରେ ସେ ଅନୁଧ୍ୟାନ କରିବେ। ବକେୟା ବିଲ୍ ଦେବାରେ କାହାକୁ ଆଶ୍ୱସ୍ତି ଦିଆଯାଇ ନାହିଁ ବୋଲି ଅମୃତସର ଶକ୍ତି ବିଭାଗର ମୁଖ୍ୟ ଇଞ୍ଜିନିୟର କହିଛନ୍ତି।
ପଞ୍ଜାବର ରାଜ୍ୟ ବିଦ୍ୟୁତ ନିଗମ ଲିମିଟେଡ (ପିଏସପିସିଏଲ)ର ଓ୍ୱେବସାଇଟ୍ ଅନୁଯାୟୀ ସିଦ୍ଧୁଙ୍କ ଅମୃତସର ଘର ନାଁରେ ୮,୬୭,୫୪୦ ଟଙ୍କାର ବକେୟା ବିଲ୍ ରହିଛି। ବିଲ୍ ଜମା କରିବାର ଅନ୍ତିମ ତାରିଖ ଜୁଲାଇ ୨ ରହିଥିଲା। ତେବେ ଏହାକୁ ନେଇ ନବଜୋତ ସିଂହ ସିଦ୍ଧୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି କି କୌଣସି ଟ୍ୱିଟ୍ କରି ନାହାନ୍ତି।
https://twitter.com/ANI/status/1411165755857530881?s=20
ପଞ୍ଜାବରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଏହାକୁ ନେଇ ଗୁରୁବାର ପ୍ରତିକ୍ରିୟା ରଖିଥିଲେ ସିଦ୍ଧୁ। ଶିରୋମଣି ଅକାଳୀ ଦଳ ଓ ବିଜେପି ସରକାର ବେଳେ ରାଜ୍ୟରେ ବିଦ୍ୟୁତ କିଣିବା ନେଇ ଚୁକ୍ତି ହୋଇଥିଲା। ଏବେ ଏହି ଚୁକ୍ତି ବାତିଲ୍ କରି ନୂଆ ଚୁକ୍ତି କରିବା ଦରକାର ବୋଲି ସିଦ୍ଧୁ କହିଥିଲେ। ରାଜ୍ୟରେ ବଢୁଥିବା ବିଦ୍ୟୁତ ଦର ପାଇଁ ବାଦଲ ସରକାରକୁ ସିଦ୍ଧୁ ଏହି ଅବସରରେ ଦାୟୀ କରିଛନ୍ତି।
ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ଟାର୍ଗେଟ୍ କରି କହିଥିଲେ ଯଦି ଆମେ ଠିକ୍ ଭାବରେ କାମ କରିଥାନ୍ତେ ତାହେଲେ ଆଜି ଏଭଳି ବାରମ୍ୱାର ବିଦ୍ୟୁତ କାଟ୍ ହୋଇନଥାନ୍ତା। ସିଦ୍ଧୁ ବିଦ୍ୟୁତ ସଙ୍କଟକୁ ନେଇ ଯଦିଓ ତାଙ୍କରି ଦଳର ସରକାର ଏବଂ ପୂର୍ବତନ ସରକାରକୁ ଦାୟୀ କରିଛନ୍ତି। ହେଲେ ନିଜ ନାଁରେ ବକେୟା ବିଲ୍ ଖବର ଆସିବା ପରେ ପାଟି ଚୁପ୍ କରି ରହିଥିବା ଦେଖିବାକୁ ମିଳିଛି।