ସୁରତ: ଆଜି ଗୁଜରାଟର ସୁରତ କୋର୍ଟରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଧାରଣ ନିର୍ବାଚନ ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଆଜି ସୁରତର ଏକ କୋର୍ଟରେ ହାଜର ହୋଇ ପକ୍ଷ ରଖିବେ। ସେ କହିଥିଲେ କାହିଁକି ସମସ୍ତ ଚୋରଙ୍କ ନାଁରେ ମୋଦି ଲାଗିଛି। ଏହାକୁ ନେଇ ସୁରତ-ପଶ୍ଚିମର ବିଧାୟକ ପୂର୍ଣ୍ଣେଶ ମୋଦି କୋର୍ଟରେ ମାନହାନୀ ମୋକଦ୍ଦମା ମାମଲା ଦାୟର କରିଥିଲେ।
ରାହୁଲ ଗାନ୍ଧୀ ସୁରତ କୋର୍ଟରେ ହାଜର ହେବା ନେଇ ସୁନିଶ୍ଚିତ କରିଛନ୍ତି ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମିତ ଚାଭଡା। ସେ କହିଛନ୍ତି ରାହୁଲ ଗୁରୁବାର ସୁରତ ଆସିବେ। ସକାଳ ପ୍ରାୟ ୧୦ ଟାରେ ସୁରତରେ ପହଞ୍ଚିବେ। ଏହାପରେ କୋର୍ଟ କାମ ସରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ ରୁ ୧୨:୩୦ ମଧ୍ୟରେ ସେ ଦିଲ୍ଲୀ ଫେରିଯିବେ। ଏହି ସମୟରେ କୌଣସି ରାଜନୀତିକ ବୈଠକ କି ସମାବେଶ ହେବ ନାହିଁ ବୋଲି ଚାଭଡା କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୧୩, ୨୦୧୯ରେ କର୍ଣ୍ଣାଟକର କୋଲାରରେ ସାଧାରଣ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ- "ନୀରବ ମୋଦି, ଲଲିତ ମୋଦି, ନରେନ୍ଦ୍ର ମୋଦି .. କାହିଁକି ସମସ୍ତଙ୍କ ମୋଦିଙ୍କ ନାମ ଅଛି? ସମସ୍ତ ଚୋରଙ୍କ ନାଁରେ ମୋଦି ନାମ କାହିଁକି?"
ପୂର୍ଣ୍ଣେଶ ମୋଦି ତାଙ୍କ ଅଭିଯୋଗରେ କହିଛନ୍ତି ଯେ କଂଗ୍ରେସ ନେତା ତାଙ୍କ ମନ୍ତବ୍ୟ ସହିତ ସମଗ୍ର ମୋଦି ସମୁଦାୟକୁ ଅପମାନିତ କରିଛନ୍ତି। ବିଧାୟକ ପୂର୍ଣ୍ଣେଶ ମୋଦି ସ୍ଥାନୀୟ କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଆଇପିସିର ଧାରା ୪୯୯ ଏବଂ ୫୦୦ ଉଲ୍ଲଂଘନ ପାଇଁ ଏକ ମାମଲା ରୁଜୁ ହୋଇଥିଲା।
ଖାଲି ଏତିକି ନୁହେଁ ରାଫେଲ ମାମଲାରେ ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ 'ଚୌକିଦାର ଚୌର ହେ' ବୋଲି ରାହୁଲ୍ ଗାନ୍ଧୀ ନାରା ଦେଇଥିଲେ। ଯଦିଓ ଏଭଳି ନାରା ଦେଇ କ୍ଷମତାକୁ ଆସିବେ ବୋଲି ରାହୁଲ ହୁଙ୍କାର ଭରିଥିଲେ। କିନ୍ତୁ ତାଙ୍କ ଦଳ ୨୦୧୪ ତୁଳନାରେ ବିଜେପି ଅଧିକ ଆସନରେ ବିଜୟୀ ହୋଇଥିଲା। ରାହୁଲ୍ ନିଜେ ତାଙ୍କର ଗଡ଼ ଆମେଠିରୁ ଶୋଚନୀୟ ପରାଜୟ ବରଣ କରିଥିଲେ। ପରେ କେରଳ ଓ୍ୱାଏନାଡରୁ ବିଜୟୀ ହୋଇ ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଏହି ଚୌକିଦାର ଚୌର ହେ ନାରା ପାଇଁ ଗୁଜରାଟର ଏକ କୋର୍ଟରେ ମାମଲା ଦାୟର ହୋଇଥିଲା। ଯେଉଁଥିପାଇଁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରି ଭୁଲ୍ ମାଗିଥିଲେ ରାହୁଲ ଗାନ୍ଧୀ। ସେହିସମୟରେ ପୂର୍ଣ୍ଣେଶ ମୋଦି ମଧ୍ୟ ଏହି ମାମଲା ଦାୟର କରିଥିଲେ।