କଂଗ୍ରେସ ମୁଖ୍ୟାଳୟରେ ଧସେଇ ପଶିଲା ପୁଲିସ୍‌, କାଲି ସମଗ୍ର ଦେଶରେ ରାଜଭବନ ଘେରାଉ କରିବ ଦଳ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି କ୍ରମାଗତ ୩ୟ ଦିନ ପାଇଁ ଜେରା କରୁଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସତ୍ୟାଗ୍ରହ କରୁଛନ୍ତି। ସତ୍ୟାଗ୍ରହ କରି ଅଢ଼େଇ ଦିନ ମଧ୍ୟରେ କଂଗ୍ରେସର ୮୦୦ କର୍ମୀ ଓ ନେତାଙ୍କୁ ପୁଲିସ୍‌ ଅଟକ ରଖିଲାଣି। ତଥାପି ଆଜି ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଥିବା ବେଳେ ଅନ୍ୟପଟେ ଶତାଧିକ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ […]

congress

Hemant Lenka
  • Published: Wednesday, 15 June 2022
  • , Updated: 15 June 2022, 03:37 PM IST

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି କ୍ରମାଗତ ୩ୟ ଦିନ ପାଇଁ ଜେରା କରୁଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ମଧ୍ୟ ସତ୍ୟାଗ୍ରହ କରୁଛନ୍ତି। ସତ୍ୟାଗ୍ରହ କରି ଅଢ଼େଇ ଦିନ ମଧ୍ୟରେ କଂଗ୍ରେସର ୮୦୦ କର୍ମୀ ଓ ନେତାଙ୍କୁ ପୁଲିସ୍‌ ଅଟକ ରଖିଲାଣି।

ତଥାପି ଆଜି ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଥିବା ବେଳେ ଅନ୍ୟପଟେ ଶତାଧିକ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଏହି ବିକ୍ଷୋଭକୁ ଭଣ୍ଡୁର କରିବା ପାଇଁ ଦିଲ୍ଲୀ ପୁଲିସ୍‌ ସବୁ ସୀମା ଟପି ଯାଇଛି। ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟରେ ଶତାଧିକ ପୁଲିସ କର୍ମୀ ଧସେଇ ପଶିଛନ୍ତି। ଏଥିସହ ସେଠାରେ ଥିବା କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ଠେଲାପେଲା କରିଛନ୍ତି। ଦୁଇ ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ କର୍ମଚାରୀମାନେ ମୁଖ୍ୟାଳୟ ଭିତରକୁ ଘୋଷାରି ଘୋଷାରି ଆଣୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପୁଲିସର ଏପରି ଆଚରଣକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି। ଏହାକୁ ବିରୋଧ କରି ଦଳ ଆସନ୍ତାକାଲି ସମଗ୍ର ଦେଶରେ ରାଜଭବନଗୁଡ଼ିକ ଘେରାଉ କରିବ। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ସରକାରଙ୍କ କଥାରେ ଦିଲ୍ଲୀ ପୁଲିସ୍‌ ଗୁଣ୍ଡାଗର୍ଦ୍ଦି କରୁଛି। ସେମାନେ କଂଗ୍ରେସ ଅଫିସରେ ପଶି କର୍ମୀମାନଙ୍କୁ ମାଡ଼ ମାରିଛନ୍ତି।

ଏହା ଏକ ଅପରାଧ। ସେମାନଙ୍କ ଗୁଣ୍ଡାଗର୍ଦ୍ଦି ଚରମ ସୀମାରେ ପହଞ୍ଚିଛି। ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ଆମେ କଂଗ୍ରେସ ଭବନରେ ଧସେଇ ପଶିଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରୁଛୁ। ସେମାନଙ୍କୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସନ୍ତାକାଲି କଂଗ୍ରେସ ଦେଶର ସବୁ ରାଜଭବନ ଘେରାଉ କରିବ। ସେହିପରି ଦିନକ ପରେ ଜିଲ୍ଲା ସ୍ତରରେ ମଧ୍ୟ ବିକ୍ଷୋଭ କରାଯିବ।


କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ ପୁଲିସର କେମିତି ଗୁଣ୍ଡାଗର୍ଦ୍ଦି କରୁଛି, ତା’ର ଭିଡିଓକୁ ଟ୍ୱିଟ କରିଛନ୍ତି। ଏହି ଭିଡିଓରେ ପୁଲିସ୍‌ କର୍ମଚାରୀମାନେ କଂଗ୍ରେସ ଭବନକୁ ଧସେଇ ପଶିବା ସହ ଜଣେ ଦଳୀୟ କର୍ମୀଙ୍କୁ ବଳ ପୂର୍ବକୁ ସେଠାରୁ ଉଠାଇ ଆଣିବାର ଦୃଶ୍ୟ ରହିଛି। ଏହି ସମୟରେ ଅନ୍ୟ କଂଗ୍ରେସ କର୍ମୀମାନେ ପୁଲିସ୍‌କୁ ପ୍ରଶ୍ନ ପଚାରିବା ସହ ଏହାକୁ ମୋବାଇଲରେ ରେକର୍ଡିଂ କରିଥିଲେ।

ଜଣେ ନାଲି ଶାର୍ଟ ପିନ୍ଧିଥିବା ବ୍ୟକ୍ତି ମୋବାଇଲରେ ଘଟଣାକୁ ରେକର୍ଡ କରିବା ସହ ପୁଲିସ୍‌ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ହେଲେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ମଧ୍ୟ ତାଙ୍କୁ ଟେକି ନେଇ ଭ୍ୟାନରେ ଭର୍ତ୍ତି କରିଥିଲା। ସେହିପରି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଧ୍ୟ ଆଜି ଇଡି ବିରୋଧରେ ବିକ୍ଷୋଭ କରି ଅଟକ ରହିଛନ୍ତି। କାର୍ତ୍ତି ଚିଦାମ୍ବରମ ଭିଡିଓକୁ ଶେୟାର କରି ଦିଲ୍ଲୀ ପୁଲିସକୁ ବିଜେପିର ଘରୋଇ ମିଲିସିଆ ଭାବେ ନାମିତ କରିଛନ୍ତି।

କଂଗ୍ରେସ ମଧ୍ୟ ତା’ର ଅଫିସିଆଲ ଟ୍ୱିଟରରେ ପୁଲିସ କେମିତି କର୍ମୀମାନଙ୍କ ଉପରେ ଅତ୍ୟାଚାର କରୁଛି, ତା’ର ଭିଡିଓ ପୋଷ୍ଟ କରିଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ତାଙ୍କୁ କ୍ରୁ ଶାସକ ଭାବେ ଦଳ ଅବିହିତ କରିଛି।


ଅନ୍ୟପକ୍ଷରେ ପୁଲିସ୍‌ କଂଗ୍ରେସ ମୁଖ୍ୟାଳୟରେ ପଶି ନଥିବା କହିଛି। ସ୍ପେଶାଲ କମିଶନର ସାଗର ପ୍ରୀତ ହୁଡା କହିଛନ୍ତି, “ଏଆଇସିସି ଅଫିସ ନିକଟରେ ପୁଲିସ୍‌ ଉପରକୁ ଅନେକ ଲୋକ ବ୍ୟାରିକେଡ ଫୋପାଡ଼ିଥିଲେ। ଏହି ସମୟରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ପୁଲିସ ଏଆଇସିସି କାର୍ଯ୍ୟାଳୟ ଭିତରେ ପଶିନି କିମ୍ବା ଲାଠିଚାର୍ଜ କରିନି। ଆମେ ସେମାନଙ୍କୁ ସହଯୋଗ କରିବାକୁ ବାରମ୍ବାର କହିଥିଲେ ମଧ୍ୟ ସେମାନେ କିଛି ବି ଶୁଣିଲେନି।”

ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ମୁଖ୍ୟାଳୟ ଭିତରେ ବୈଠକ କରୁଛନ୍ତି। ଏହାପରେ ସେମାନେ ଗଣମାଧ୍ୟମକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

Related story