ଲକ୍ଷ୍ନୌ: ବହୁଚର୍ଚ୍ଚିତ ୟୁପିର ହାଥରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ସରକାରି ଚାକିରି ଦେବାକୁ ରାଜ୍ୟ ସରକାରଙ୍କୁ ଆଲ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଛନ୍ତି। ୩ ମାସ ଭିତରେ ଚାକିରି ଦେବାକୁ କୁହାଯାଇଛି। ମଙ୍ଗଳବାର ଆଲ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏ ସମ୍ପର୍କରେ ଶୁଣାଣି ହୋଇଥିଲା। ସମ୍ପୃକ୍ତ ପୀଡ଼ିତାଙ୍କ ପରିବାର ସଦସ୍ୟକୁ ହାଥରସ ବାହାରେ ତଥା ୟୁପି ଭିତରେ ଚାକିରି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଉକ୍ତ ପରିବାରର ସାମାଜିକ, ଆର୍ଥିକ ଥଇଥାନ ପାଇଁ ସରକାରଙ୍କୁ ୬ ମାସ ଭିତରେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ଜଷ୍ଟିସ ରଞ୍ଜନ ରୟ ଏବଂ ଜଷ୍ଟିସ ଜସପ୍ରୀତି ସିଂହଙ୍କ ୨ ଜଣିଆ ଖଣ୍ଡପୀଠରେ ଏହି ମାମାଲାର ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ, ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବା ଉଚିତ।।
୨୦୨୦ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ଯାଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ହୋଇ ନାହିଁ। ସେତେବେଳେ ପୀଡ଼ିତାଙ୍କ ପରିବାର ସଦସ୍ୟକୁ ଗ୍ରୁପ ସି ରେ ସରକାରି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏ ସମ୍ପର୍କରେ ଏକ ପିଆଇଏଲ ମାମଲାର ଶୁଣାଣି କରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।
୨୦୨୦ ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗାଁରେ ୧୯ ବର୍ଷୀୟ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ଓ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୫ ଦିନର ଚିକିତ୍ସା ପରେ ପୀଡ଼ିତା ଜଣକ ଶେଷରେ ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ଆଖି ବୁଜିଥିଲେ । ପରେ ପୁଲିସ ଦ୍ୱାରା ପରିବାର ଲୋକଙ୍କ ବିନା ଅନୁମତିରେ ପୀଡ଼ିତାଙ୍କର ଶବ ସତ୍କାର କରାଯାଇଥିଲା । ଏହି ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା ।