ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ତଥ୍ୟ: ପବନରେ ବ୍ୟାପୁଛି କରୋନା ଭାଇରସ

କୋଲୋରାଡୋ: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ାଇବା ଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ଭାଇରସ ମୁଖ୍ୟତଃ ପବନରେ ପ୍ରବାହିତ ହୋଇ ଲୋକଙ୍କୁ ସଂକ୍ରମଣ କରୁଛି। କରୋନା ପବନରେ ଜଣଙ୍କଠାରୁ ଆଉ ଜଣଙ୍କ ପାଖକୁ ଯାଉଛି ବୋଲି ନିୟମିତ ଓ ବଳିଷ୍ଠ ପ୍ରମାଣ ମଧ୍ୟ ବିଶେଷଜ୍ଞମାନଙ୍କ ହାତରେ ଲାଗିଛି। କରୋନା ସୃଷ୍ଟି କରୁଥିବା ସାର୍ସ କୋଭ-୨ ଭାଇରସ ବାୟୁମଣ୍ଡଳରେ ବୁଲି ବୁଲି ଲୋକଙ୍କୁ ସଂକ୍ରମଣ କରିବାକୁ ସକ୍ଷମ ବୋଲି ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ରିପୋର୍ଟ […]

Corona

Hemant Lenka
  • Published: Friday, 16 April 2021
  • , Updated: 16 April 2021, 05:24 PM IST

କୋଲୋରାଡୋ: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ାଇବା ଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ଭାଇରସ ମୁଖ୍ୟତଃ ପବନରେ ପ୍ରବାହିତ ହୋଇ ଲୋକଙ୍କୁ ସଂକ୍ରମଣ କରୁଛି। କରୋନା ପବନରେ ଜଣଙ୍କଠାରୁ ଆଉ ଜଣଙ୍କ ପାଖକୁ ଯାଉଛି ବୋଲି ନିୟମିତ ଓ ବଳିଷ୍ଠ ପ୍ରମାଣ ମଧ୍ୟ ବିଶେଷଜ୍ଞମାନଙ୍କ ହାତରେ ଲାଗିଛି। କରୋନା ସୃଷ୍ଟି କରୁଥିବା ସାର୍ସ କୋଭ-୨ ଭାଇରସ ବାୟୁମଣ୍ଡଳରେ ବୁଲି ବୁଲି ଲୋକଙ୍କୁ ସଂକ୍ରମଣ କରିବାକୁ ସକ୍ଷମ ବୋଲି ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

ବ୍ରିଟେନ, ଆମେରିକା, କାନାଡା, ସିଆଇଆରଇଏସ୍‌ର କେମିଷ୍ଟ ଜୋସେ-ଲୁସି ଜିମେନଜେ ଓ କୋଲୋରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ଏକ୍ସପର୍ଟମାନେ କହିଛନ୍ତି, କରୋନା ଭାଇରସ ମୁଖ୍ୟତଃ ବାୟୁ ଦ୍ୱାରା ସଂକ୍ରମିତ କରୁଥିବାରୁ ଏହାକୁ ରୋକିବାକୁ ନିଆଯାଇଥିବା ସ୍ୱାସ୍ଥ୍ୟଗତ ପଦକ୍ଷେପ ଫେଲ ମାରିଛି। ଏହି କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ଭାଇରସ ପବନରେ ସଂକ୍ରମଣ କରୁଥିବା ନେଇ ଏକାଧିକ ପ୍ରମାଣ ରହିଛି। ଅପରପକ୍ଷରେ ବଡ଼ ଜଳବିନ୍ଦୁ ବା ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ୍ ଯୋଗୁ ଯେ ଏହା ଜଣଙ୍କଠାରୁ ଆଉ ଜଣଙ୍କ ଶରୀରରେ ପ୍ରବେଶ କରୁଛି, ତା’ର କୌଣସି ପ୍ରମାଣ ମିଳିନାହିଁ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ଏଜେନ୍ସି ଏହାକୁ ଗୁରୁତର ସହ ନେଇ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହାଦ୍ୱାରା ଏୟାରବର୍ଣ୍ଣ ଟ୍ରାନ୍ସମିସନକୁ ଆମେ ରୋକିବାରେ ସକ୍ଷମ ହୋଇପାରିବା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି, ଖୋଲା ସ୍ଥାନ ଅପେକ୍ଷା ବନ୍ଦ କୋଠରୀରେ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଛି। ତେଣୁ ଇଣ୍ଡୋର ଭେଣ୍ଟିଲେସନ ଦ୍ୱାରା ଆମେ ସଂକ୍ରମଣକୁ ରୋକିପାରିବା। ସବୁ ସଂକ୍ରମଣ ମଧ୍ୟରୁ ପ୍ରାୟ ୪୦% ସଂକ୍ରମିତ ସାଇଲେଣ୍ଟ ଆକ୍ରାନ୍ତଙ୍କ ପାଇଁ ସାମ୍ନାକୁ ଆସୁଛି। ଏହାର ଅର୍ଥ ଲକ୍ଷଣ ନଥିବା କିମ୍ବା ବହୁତ କମ୍ ଲକ୍ଷଣ ଥିବା ଲୋକମାନଙ୍କ ପାଇଁ ସଂକ୍ରମଣ ଅଧିକ ବ୍ୟାପୁଛି। ସାଇଲେଣ୍ଟ ଆକ୍ରାନ୍ତଙ୍କ ପାଇଁ ବିଶ୍ୱରେ କରୋନା ସଂକ୍ରମଣ ଅଧିକ ରହୁଛି।

ଜଣେ ସଂକ୍ରମିତ କଥା କହିବା ବେଳେ, ଚିତ୍କାର କଲା ବେଳେ, ଗୀତ ଗାଇବା ବେଳେ ଓ ଛିଙ୍କିବା ବେଳେ ପବନରେ ଭାଇରସ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଥାଏ। ଏହାକୁ ରୋକିବା ପାଇଁ ଭେଣ୍ଟିଲେସନ, ଏୟାର ଫିଲ୍ଟରେସନ, ଗହଳୀ ହ୍ରାସ ଆଦି ପଦକ୍ଷେପ ନେବାକୁ ପଡ଼ିବ।

ଏହାବାଦ୍‌ ଯେତେ କମ୍‌ ସମୟ ଲୋକମାନେ ଗୋଟିଏ ବନ୍ଦ ଘରେ ରହିବେ, ସଂକ୍ରମଣ ସେତେ ହ୍ରାସ ପାଇବ। ଘର ମଧ୍ୟରେ ବି ଯଦି ଦୁଇ ଜଣ ଲୋକ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହୁନାହିଁ, ତା’ହେଲେ ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ମାସ୍କ ପିନ୍ଧିବାକୁ ପଡ଼ିବ। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ଉନ୍ନତଧରଣର ପିପିଇ କିଟ୍‌ ମଧ୍ୟ ଯୋଗାଇ ଦେବାକୁ ହେବ।

Related story